• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୁର୍ଗମ ଅଞ୍ଚଳରେ ରହୁଥିଲେ ବି ସେ ଶିକ୍ଷିତ ଆଉ ସଚେତନ । ସେ ଆଜି ସମସ୍ତଙ୍କ ପାଇଁ ଏକ ଉଦାହରଣ । ତାଙ୍କ ପାଇଁ ପୁରା ଅଞ୍ଚଳବାସୀ ଆଜି ଗର୍ବିତ । ଆମେ କହୁଛୁ ଏମିତି ଜଣେ ଯୁବତୀଙ୍କ କଥା, ଯାହା ଶୁଣିବା ପରେ ଆପଣ ବି କହିବେ ତାଙ୍କ ସାହସକୁ ମାନିବାକୁ ପଡ଼ିବ । ଯୌତୁକ ପ୍ରଥାକୁ ସଭ୍ୟ ସମାଜଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ବିରୋଧ କରାଯାଉଛି । ସମସ୍ତେ ଯୌତୁକ ପ୍ରଥା ବିରୋଧରେ ମନ୍ତବ୍ୟ ଦେଉଛନ୍ତି । ଏମିତିକି ଏହାକୁ ରୋକିବାକୁ ଅନେକ ଚେଷ୍ଟା କରାଯାଇଥିଲେ ମଧ୍ୟ ସବୁ ବିଫଳ ହେଉଛି । ଏବେ ବି ସମାଜରେ ଯୌତୁକ ପ୍ରଥା ରହିଛି ।

ତେବେ ଆଜି ଆମେ ଆପଣଙ୍କୁ ଯେଉଁ କଥା କହିବୁ ତାହା ନିଶ୍ଚିତ ଭାବେ ଯୌତୁକ ପ୍ରଥାକୁ ବନ୍ଦ କରିବା ପାଇଁ ଏକ ପଦକ୍ଷେପ ହୋଇପାରେ । କାରଣ ଏଭଳି ହେବା ଦ୍ୱାରା ଯୌତୁକ ମାଗିବାକୁ ପୁଅ ଘର ପକ୍ଷ ଭୟ କରିବେ  କିମ୍ବା ୧୦୦ ଥର ଭାବିବେ ନିଶ୍ଚୟ ।

ଯୌତୁକ ପ୍ରଥାକୁ ବିରୋଧ କରି ଚର୍ଚ୍ଚାରେ ଦୁର୍ଗମ ଇଲାକାର ଝିଅ ଦେବକୀ ଦିଗାଲ । ଯୌତୁକରେ ବର ବାଇକ ମାଗିବାରୁ ସମସ୍ତଙ୍କ ସାମ୍ନାରେ ମଙ୍ଗଳ ସୂତ୍ର ଓ ଶଙ୍ଖା ଚୁଡ଼ି ଖୋଲି ଦେଇ ବାପା ଘରକୁ ଫେରିଗଲା ନବ ବିବାହିତା କନ୍ୟା । ଏହି ଘଟଣା ଏବେ ବାଲିଗୁଡା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ତୁମୁଡିବନ୍ଧ ଥାନା ସାରୁପାଟା ଦୁର୍ଗମ ଇଲାକାର ଝିଅ ଦେବକୀ ଦିଗାଲ ଗତ ୯ ତାରିଖରେ ବାଲିଗୁଡା ଥାନା ବରିକିଆ ଗ୍ରାମର ଅର୍ଜୁନ ଦିଗାଲ ନାମକ ଯୁବକଙ୍କୁ ବିବାହ କରିଥିଲେ । ତାପରଦିନ କନ୍ୟା ପକ୍ଷ ଲୋକେ ବର ଘରକୁ ଆସିଥିବା ସମୟରେ ଯୌତୁକରେ ବାଇକ ଦେବାକୁ ବର ଦାବି କରିଥିଲା । ଆଉ ଏହି ସମୟରେ ନବବଧୂ ଯୌତୁକକୁ ବିରୋଧ କରିବା ସହ ସଭା ମଧ୍ୟରେ ମଙ୍ଗଳ ସୂତ୍ର ସହ ଶଙ୍ଖା ଚୁଡ଼ି ଖୋଲି ବାପ ଘରକୁ ଫେରିଯାଇଥିଲେ ।

ଦୁର୍ଗମ ଇଲାକାରେ ବସବାସ କରୁଥିବା ଝିଅର ଏଭଳି ନିଷ୍ପତି ସହ ତାର ସାହସକୁ ନେଇ ଏବେ ସେ ଚର୍ଚ୍ଚାରେ ରହିଛନ୍ତି । ଅନ୍ୟପଟେ ବର ଘର ଲୋକେ ଯୌତୁକରେ ବାଇକ ମାଗିବା ଘଟଣା ମିଛ ବୋଲି କହିବା ସହ ଆମକୁ ଏବେ ଝିଅ ଦରକାର ବୋଲି କହିଛନ୍ତି ।