• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଫିଟୁଛି ରହସ୍ୟମୟୀ ଅର୍ଚ୍ଚନା ନାଗ୍‌ର ହାଇପ୍ରୋଫାଇଲ୍ ହେଟ୍ ଷ୍ଟୋରୀର ଗୁମର । ଯୁବତୀଙ୍କୁ ମୋହରା ସଜାଇ କେମିତି ବ୍ଲାକ୍‌ମେଲ୍ କରିଥାଏ ଅର୍ଚ୍ଚନା, ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଏତଲାରୁ ମିଳିଛି ସାଂଘାତିକ ତଥ୍ୟ । ଗତ ୩୦ ତାରିଖରେ ନୟାପଲ୍ଲୀ ଥାନାରେ ଦେଇଥିବା ଏତଲାରେ ଅକ୍ଷୟ ଦର୍ଶାଇଛନ୍ତି ଅର୍ଚ୍ଚନା ୩ କୋଟିର ଡିଲ୍ ଲାଗି ବାଧ୍ୟ କରିଥିଲା । ଟଙ୍କା ନଦେଲେ ଖଣ୍ଡ ଖଣ୍ଡ କରି ହତ୍ୟା କରିବାକୁ ଧମକ ବି ଦେଇଥିଲା । ତେବେ ଆପତ୍ତିଜନକ ଭାଇରାଲ୍ ଭିଡିଓରେ ଅକ୍ଷୟଙ୍କ ସହ ଥିବା ଯୁବତୀ ଏବେ କେଉଁଠି ? ଅର୍ଚ୍ଚନାଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିବା ଯୁବତୀ ଗଲେ କୁଆଡ଼େ ? ତାକୁ ନେଇ ଏବେ ରହସ୍ୟ ଲାଗିରହିଥିବା ବେଳେ ବ୍ଲାକମେଲିଂ ଟଙ୍କାରେ କେମିତି ନିଜର ବ୍ୟାବସାୟିକ ସାମ୍ରାଜ୍ୟର ଜାଲ ବିଛାଇଥିଲେ ଅର୍ଚ୍ଚନା, ତାର ନୂଆ ତଥ୍ୟ ସାମ୍ନାକୁ ଆସିଛି ।

ଅର୍ଚ୍ଚନାଙ୍କ ନାଗଫାଶର ଫିଟୁଛି ଗୁମର । ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଏତଲା ଫିଟାଇଲା ଅର୍ଚ୍ଚନାଙ୍କ କଳାଧନ୍ଦାର କାହାଣୀ । ଅକ୍ଷୟଙ୍କ ଏତଲା ଯେ ଅର୍ଚ୍ଚନାଙ୍କୁ ମହଙ୍ଗା ପଡ଼ିଛି ତା’ ନୁହେଁ, ବଡ଼ବଡ଼ିଆଙ୍କୁ ଫାଶରେ ପକାଇ କେମିତି କୋଟି କୋଟି ଟଙ୍କାର ଡିଲ୍ କରୁଥିଲେ, ତାସହ ଟଙ୍କା ନଦେଲେ କେମିତି ହତ୍ୟାର ଧମକ ଦେଉଥିଲେ, ତାର ପର୍ଦ୍ଦାଫାସ୍ ହୋଇଛି । ହନିଟ୍ରାପ୍, ବ୍ଲାକ୍‌ମେଲିଂ ଆଉ ଆପତ୍ତିଜନକ ଫଟୋ ଭାଇରାଲ ହେବା ପରେ ୩୦ ସେପ୍ଟେମ୍ବରରେ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ଅକ୍ଷୟ ପରିଜା । ଜଣେ ଯୁବତୀଙ୍କ ଜରିଆରେ ଅର୍ଚ୍ଚନା ନାଗ ତାଙ୍କୁ ବ୍ଲାକମେଲିଂ କରୁଥିବା ଏତଲାରେ ଦର୍ଶାଇଥିଲେ । ନିଜକୁ ଓକିଲ ବୋଲି ପରିଚୟ ଦେଇ ଧମକ ଦେଇଥିଲେ ଅର୍ଚ୍ଚନା ।

ଭୁବନେଶ୍ୱରର ଏକ ତାରକା ହୋଟେଲକୁ ଡାକି ୩ କୋଟି ଟଙ୍କା ମାଗିବା ସହ ଟଙ୍କା ନଦେଲେ ଖଣ୍ଡ ଖଣ୍ଡ କରି ହତ୍ୟା କରିବାକୁ ଅର୍ଚ୍ଚନା ଧମକ ଦେଇଥିଲେ ବୋଲି ଅକ୍ଷୟ ଏତଲାରେ ଦର୍ଶାଇଥିଲେ । ଅକ୍ଟୋବର ୨ ତାରିଖରେ ଖଣ୍ଡଗିରି ଥାନାରେ ଜଣେ ଯୁବତୀ ଅର୍ଚ୍ଚନାଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ । ଅର୍ଚ୍ଚନା କେମିତି ବନ୍ଧୁତ୍ୱ ରଖିବା ସହ ଆପତ୍ତିଜନକ ଫଟୋ ରଖି ବ୍ଲାକମେଲ୍ କରିଥିଲେ, ତାହା ସେ ଦର୍ଶାଇଥିଲେ । ଆଉ ସେହି ଏତଲା ଆଧାରରେ ଅର୍ଚ୍ଚନା ନାଗଙ୍କୁ ପୋଲିସ ଗିରଫ କରିଛି । ଏବେ ସେହି ଏତଲାକାରୀ ଯୁବତୀ କେଉଁଠି ? ତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ଭୁବନେଶ୍ୱର ଡିସିପି ଗତକାଲି କହିଥିଲେ ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ଅର୍ଚ୍ଚନା ବିରୋଧରେ ରୁଜୁ ହୋଇଥିବା ୨ଟି ମାମଲା ସମ୍ପର୍କରେ ତଦନ୍ତ ଜାରି ରହିଛି ।

ଏହା ତ ଥିଲା ଅର୍ଚ୍ଚନା, ଅକ୍ଷୟ ଓ ଅଭିଯୋଗକାରିଣୀ ଯୁବତୀର ତ୍ରିକୋଣୀୟ କଳାଧନ୍ଦା । ହେଲେ ଅର୍ଚ୍ଚନାର ଚକ୍ରବ୍ୟୁହରେ ଛନ୍ଦି ହୋଇ ବ୍ଲାକମେଲ୍‌ର ଶିକାର ହୋଇଥିବା ଅନ୍ୟ ପ୍ରଭାବଶାଳୀ ନେତା, ଠିକାଦାର, ସରକାରୀ ବାବୁ ଗଲେ କୁଆଡ଼େ ? ଅର୍ଚ୍ଚନା ବିରୋଧରେ ଏମାନେ କାହିଁକି ମୁହଁ ଖୋଲୁନାହାଁନ୍ତି ? ଘାରୁଛି କି ଲୋକଲଜ୍ଜାର ଭୟ ? ଅର୍ଚ୍ଚନା ବିରୋଧରେ ଯଦି କେହି ମୁହଁ ନଖୋଲନ୍ତି ତେବେ ମାମଲା ଦୁର୍ବଳ ହୋଇଯିବନି ତ ? ଉଭୟ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ନିଜ ପ୍ରୋଫାଇଲ୍‌ରେ ବିଜେଡି ସହ ସଂପୃକ୍ତି ନେଇ ଉଲ୍ଲେଖ କରିଥିବାବେଳେ ଦଳ କାହିଁକି ଏ ନେଇ ସ୍ପଷ୍ଟୀକରଣ ଦେଇନି ? ଏଭଳି ନାନା ପ୍ରଶ୍ନ ଭିତରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଭୁବନେଶ୍ୱର SDJMଙ୍କ କୋର୍ଟରେ ଜାମିନ ଆବେଦନ କରିଛନ୍ତି । କାଲି କୋର୍ଟରେ ଅର୍ଚ୍ଚନା ହାଜର ହୋଇପାରନ୍ତି । ତେବେ କଣ ଅର୍ଚ୍ଚନା ଜାମିନ ପାଇବ ନା ପୋଲିସ ତାକୁ ରିମାଣ୍ଡରେ ନେଇ ହନିଟ୍ରାପ୍‌ର ହାଇପ୍ରୋଫାଇଲ୍ ଲିଙ୍କ୍ କାଢ଼ିବ ?  

ଲେଡି ବ୍ଲାକମେଲର୍ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର ଯେତିକି ଖୋଳିଲେ ସେତିକି ବାହାରୁଛି । କଳାଟଙ୍କାରେ କେବଳ ଯେ ରାଜପ୍ରସାଦ ଭଳି ଘରେ ରହି କିମ୍ବା ନାମୀଦାମୀ ଗାଡ଼ି ଚଢ଼ି, ମାଳ ମାଳ ସୁନା ଅଳଙ୍କାର ପିନ୍ଧି ସଉକ୍ ମେଣ୍ଟାଉଥିଲେ ତା’ନୁହେଁ, ତାଙ୍କୁ ବ୍ଲାକ୍‌ମେଲ ଟଙ୍କାରେ ହୋଟେଲ୍, ରେଷ୍ଟୁରାଣ୍ଟର ବିଜନେସ୍‌ ନିଶା ଘାରିଥିଲା । ଗତ ଜୁନ୍ ୨୯ରେ ଗୋଲ୍‌ଡେନ୍ ଏମ୍ପ୍ରେସ ପ୍ରାଇଭେଟ୍ ଲିମିଟେଡ୍, ୨୦୨୧ ଜାନୁୟାରୀ ୯ରେ ଆଦିତ୍ୟ ପ୍ରେଷ୍ଟିଜ୍ ପ୍ରାଇଭେଟ୍ ଲିମିଟେଡ୍ ସହ ଏକ ପ୍ରଡ଼କ୍ସନ ହାଉସ୍ ତିଆରି କରିଥିଲେ ନାଗ-ଚାନ୍ଦ ଦମ୍ପତ୍ତି । ତେବେ ଏଭଳି କଳାଧନ୍ଧାର ସାମ୍ରାଜ୍ୟ ପଛରେ କାହାର ରହିଛି ଅଭୟ ବର ? କଳାହାଣ୍ଡିରୁ ଆସି ଭୁବନେଶ୍ୱରରେ କାହା ବଳରେ ବଳିୟାନ୍ ସାଜିଥିଲେ ଅର୍ଚ୍ଚନା ? ଏସବୁର ତଥ୍ୟ ପଦାକୁ ଆଣିବ ତ ପୋଲିସ ? ଏବେ ଏଭଳି ପ୍ରଶ୍ନ ଛିଡ଼ା ହୋଇଛି ।