Advertisment

ବହିଷ୍କୃତ ବିରଞ୍ଚି ସାହୁଙ୍କ ଫିଟିଲା ଆଉ ଏକ କଳା ଗୁମର

ପ୍ରାୟ ୪ କୋଟିର ଆୟବହିର୍ଭୂତ ସଂପତ୍ତିର ଉତ୍ସ, ବେଆଇନ ନିବେଶ ଏବଂ ଦୁର୍ନୀତିର ବ୍ଲୁ ପ୍ରିଣ୍ଟ ଆଦି ଦିଗକୁ ନେଇ ଖୋଳତାଡ଼ କରୁ କରୁ ଏବେ କୁବେର ବିରଞ୍ଚିଙ୍କ ଖୋଲୁଛି ଭାନୁମତି ପେଡ଼ି। ତାହେଲେ ଚାକିରି ପାଇବାକୁ ହେଲେ ପଲିସି କରିବାକୁ ପଡ଼ିବ ବୋଲି ପ୍ରବର୍ତ୍ତାଉଥିଲେ କି ବିରଞ୍ଚି ?

author-image
Chandan Shishu
ବହିଷ୍କୃତ ବିରଞ୍ଚି ସାହୁଙ୍କ ଫିଟିଲା ଆଉ ଏକ କଳା ଗୁମର

PS Biranchi Sahoo

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ପଦରୁ ବହିଷ୍କୃତ ବିରଞ୍ଚି ସାହୁଙ୍କ ଫିଟିଲା ଆଉ ଏକ କଳା ଗୁମର। ଆୟବର୍ହିଭୂତ ସମ୍ପତ୍ତିର ଖୋଳତାଡ଼ କରୁ କରୁ ସାମ୍ନାକୁ ଆସିଛି ବିରଞ୍ଚିଙ୍କ ବୀମା ବେପାର। ପତ୍ନୀଙ୍କୁ ସଜାଇଥିଲେ ଏଜେଣ୍ଟ। ଆଉ ୧୦ ବର୍ଷରେ କରିଥିଲେ ୯ ଶହ ପଲିସି। ସେହି ୯ଶହ ପଲିସି ଭିତରେ ଅଛନ୍ତି ଏକାଧିକ ଚାକିରି ଆଶାୟୀ। ୪ ଦିନିଆ ରିମାଣ୍ଡ ଭିତରେ ବିରଞ୍ଚିଙ୍କଠାରୁ ଏଭଳି ସତ ଉଗାରିଛି ଭିଜିଲାନ୍ସ। OSSC ପରୀକ୍ଷା ଦେଇଥିବା ୨୧ ଜଣ ପ୍ରାର୍ଥୀଙ୍କ ନାଁ ଏବେ ମିଳିଛି ବିରଞ୍ଚିଙ୍କ ଏହି ବୀମା ବେପାରର ତାଲିକାରେ।

Advertisment

ତେବେ ଏମାନେ କେଉଁ ଆଧାରରେ ବୀମା କରିଛନ୍ତି ବିରଞ୍ଚିଙ୍କ ପାଖରେ ? ଏହି ୨୧ ଜଣ ଚାକିରି ପାଇଛନ୍ତି ନା ନାହିଁ ? ସେନେଇ ଭିଜିଲାନ୍ସ ଖୋଳତାଡ଼ କରୁଛି।କେବଳ ବୀମା ନୁହେଁ, ଚଢ଼ାଉବେଳେ ବିରଞ୍ଚିଙ୍କ ଘରୁ ମିଳିଥିବା ୧୧୪ଟି ଆଡମିଟ୍ କାର୍ଡ ସମ୍ପର୍କରେ ବି ତଦନ୍ତ କରୁଛି ଭିଜିଲାନ୍ସ। ତାମଧ୍ୟରୁ ୧୦୭ ଜଣ OSSC ଦ୍ୱାରା କୌଣସି ଚାକିରି ପାଇନଥିବାବେଳେ ଅନ୍ୟ ୭ ଜଣଙ୍କ ସମ୍ପର୍କରେ ଖୋଳତାଡ଼ କରୁଛି ଭିଜିଲାନ୍ସ। 

ପ୍ରାୟ ୪ କୋଟିର ଆୟବହିର୍ଭୂତ ସଂପତ୍ତିର ଉତ୍ସ, ବେଆଇନ ନିବେଶ ଏବଂ ଦୁର୍ନୀତିର ବ୍ଲୁ ପ୍ରିଣ୍ଟ ଆଦି ଦିଗକୁ ନେଇ ଖୋଳତାଡ଼ କରୁ କରୁ ଏବେ କୁବେର ବିରଞ୍ଚିଙ୍କ ଖୋଲୁଛି ଭାନୁମତି ପେଡ଼ି। ତାହେଲେ ଚାକିରି ପାଇବାକୁ ହେଲେ ପଲିସି କରିବାକୁ ପଡ଼ିବ ବୋଲି ପ୍ରବର୍ତ୍ତାଉଥିଲେ କି ବିରଞ୍ଚି ? ୯ ଶହ ପଲିସିରୁ କେତେ ପ୍ରିମୟମ୍ ମିଳୁଥିଲା ଯେ, କୋଟି କୋଟି ଟଙ୍କାର ସଂପତ୍ତି ଠୁଳ କରିଦେଲେ ? ୯ ଶହ ପଲିସିରୁ ମାତ୍ର ୨୧ ନା ଆହୁରି ପ୍ରାର୍ଥୀ ଅଛନ୍ତି ?

Advertisment

ପଲିସି ଏବଂ ଟଙ୍କା କାରବାର କରି ବିରଞ୍ଚି ଚଳାଇଥିଲେ କି ଟୁ ଇନ୍ ଓ୍ବାନ୍ ବିଜନେସ୍ ? ଯଦି ହଁ, ତେବେ ଟେବୁଲ ତଳ କାରବାରର ସତ ବାହାର କରିବ ତ ଭିଜିଲାନ୍ସ ? ତା ସହିତ ଏହି କଳାସାମ୍ରାଜ୍ୟ ପଛରେ ଆହୁରି ଅନେକ ବଡ଼ବଡ଼ିଆ ଥିବା କୁହାଯାଉଥିବା ବେଳେ ଏସବୁର ତଦନ୍ତ ହେବ ବୋଲି ଭିଜିଲାନ୍ସ ଏସ୍ପି କହିଛନ୍ତି। 

ଗତ ୩୦ ତାରିଖରୁ ଗିରଫ ହୋଇଥିବା ବିରଞ୍ଚିଙ୍କ ସରିଛି ୪ ଦିନିଆ ଭିଜିଲାନ୍ସ ରିମାଣ୍ଡ ଅବଧି। ଏହାପରେ ଆଜି ତାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି। ତେବେ ବିରଞ୍ଚିଙ୍କ ଗିରଫଦାରୀ ପରଠୁ OSSCରେ ଜଳଜଳ ଦେଖାଯାଉଥିବା ନିଯୁକ୍ତି କେଳେଙ୍କାରୀକୁ ନେଇ ଚାକିରି ଆଶାୟୀଙ୍କଠୁ ରାଜନେତାଙ୍କ ଯାଏଁ ଅସନ୍ତୋଷ ଝାଡୁଛନ୍ତି। 

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, ଚାକିରି ଘୋଟାଲାରେ ବିରଞ୍ଚି ଏକା ଦାୟୀ ନୁହନ୍ତି, କମିଶନ ଓ ସଦସ୍ୟ ସମପରିମାଣରେ ଦାୟୀ। ତେଣୁ କମିଶନ ଓ ସଦସ୍ୟଙ୍କୁ ସେଠାରୁ ତୁରନ୍ତ ହଟାଯିବା ଦରକାର ବୋଲି କହିଛନ୍ତି। ସେପଟେ ଆଜି ଜିଲ୍ଲା ଛାତ୍ର କଂଗ୍ରେସ ଖୋର୍ଦ୍ଧାରେ ବିରାଟ ଶୋଭାଯାତ୍ରା କରି ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ତେବେ OSSCର କୌଣସି ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ହୋଇନାହିଁ ବୋଲି କମିଶନ ଅଧ୍ୟକ୍ଷ କହିଥିବାବେଳେ କଂଗ୍ରେସ ଓ ବିଜେପିର ଦାବି ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି।

ରିପୋର୍ଟ: ବଳରାମ ଲେଙ୍କା, ଆଲୋକ ମହାନ୍ତି  

Odisha News Vigilance Raid Arrested By Vigilance OSSC
Advertisment
Advertisment