• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ମାମଲାରେ ଗିରଫଦାରୀକୁ ଏଡ଼ାଇବାକୁ ଯାଇ ଶାଶୂଙ୍କ ଘରେ ୩ ଦିନ ଧରି ଆତ୍ମଗୋପନ କରିଥିଲେ ଶର୍ମିଷ୍ଠା ରାଉତ । ଏ ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ କୋଳିପସି ଗାଁରେ ରହୁଥିବା ଶର୍ମିଷ୍ଠାଙ୍କ ଶାଶୁ ଶାନ୍ତିଲତାା । ସେ କହିଛନ୍ତି, ଶର୍ମିଷ୍ଠା ଗତ ମାର୍ଚ୍ଚ ୭ ତାରିଖ ବିଳମ୍ବିତ ରାତିରେ ଘରକୁ ଆସିଥିଲେ । ଆଶ୍ରମ ନାଁରେ ଡକ୍ୟୁମେଣ୍ଟ କରିବାକୁ ଆସିଛି ବୋଲି ଶାଶୂଙ୍କୁ ମିଛ କହି ସେଠାରେ ଶର୍ମିଷ୍ଠା ୩ ଦିନ ରହିଥିଲେ ।

ପରେ ୧୦ ତାରିଖ ସକାଳେ ଶର୍ମିଷ୍ଠା ଚାଲି ଯାଇଥିଲେ । ଶର୍ମିଷ୍ଠା ରହିବା କଥା ଜାଣି ମାନସ ମାମଲାର ତଦନ୍ତ କରୁଥିବା ପୋଲିସ ମାର୍ଚ୍ଚ ୧୯ରେ ଶର୍ମିଷ୍ଠାଙ୍କ ଶାଶୂଙ୍କ ଘରକୁ ଯାଇ ପଚରାଉଚରା କରିଥିବା ଜଣାପଡିଛି । ତେବେ ଶାଶୂ ଶାନ୍ତିଲତା କହିଛନ୍ତି, ତାଙ୍କ ସାମ୍ବାଦିକ ପୁଅ ଜିତେଶ କୁମାର ବଳଙ୍କୁ ୨୦୧୩ ମାର୍ଚ୍ଚରେ ପ୍ରେମ ବିବାହ କରିଥିଲେ ଶର୍ମିଷ୍ଠା । ୨୦୧୬ରେ ଉଭୟଙ୍କ ଗୋଟିଏ ପୁଅ ବି ଜନ୍ମ ହୋଇଥିଲା । ଶର୍ମିଷ୍ଠା ଓ ଜିତେଶ ଭୁବନେଶ୍ୱରରେ ରହୁଥିଲେ । ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିବାରୁ ୨୦୧୮ରୁ ଦୁହେଁ ଅଲଗା ହୋଇଯାଇଥିଲେ । କଳି ଝଗଡ଼ା ବି ଲାଗିରହୁଥିଲା ପୁଅ ବୋହୂଙ୍କ ମଧ୍ୟରେ । ୨୦୧୮ରୁ ପରିବାର ସହ ବି ପୁଅର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ଶର୍ମିଷ୍ଠାଙ୍କ ଶାଶୂ ତଥା ଜିତେଶଙ୍କ ମା ।

ଅନ୍ୟପଟେ ୱେବ୍ ଚାନେଲ୍ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ଭାଇ ବନ୍ଧାହେଲେ । ମାନସଙ୍କୁ ଅପହରଣଠୁ ମୃତଦେହ ପୋତିବା ଯାଏଁ ବ୍ୟବହୃତ କାର୍ ବି ମିଳିଗଲା । ଅନ୍ୟତମ ମାଷ୍ଟରମାଇଣ୍ଡ ନିରଂଜନ ସେଠୀ ବି କଷ୍ଟୋଡିକୁ ଗଲେ । ଅଥଚ ପାୱାର୍ କରିଡରର ଜଣାଶୁଣା ଶର୍ମିଷ୍ଠା ଏବେ କେଉଁଠି, ପହଞ୍ଚିପାରୁନି ପୋଲିସ । ତେବେ ରାଜ୍ୟର ଦୁଇ ଦୁଇ ଜଣ ପ୍ରଭାବଶାଳୀ ମନ୍ତ୍ରୀଙ୍କ ସହ ଶର୍ମିଷ୍ଠାଙ୍କ ଲିଙ୍କ୍ ଅଭିଯୋଗ ପରେ ମାମଲାର ତଦନ୍ତଭାର ହାତକୁ ନେଇଛି କ୍ରାଇମବ୍ରାଞ୍ଚ । ରାଜ୍ୟ ବାହାରେ ଥିବା ଶର୍ମିଷ୍ଠାଙ୍କୁ ଧରିବାକୁ ଗୋଟିଏ ଟିମ୍ ଓ ମାମଲାର ପୂର୍ଣ୍ଣାଙ୍ଗ ତଦନ୍ତ ପାଇଁ ଆଉ ଏକ ଟିମ୍ ଗଠନ କରାଯାଇଥିବା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି । ତେବେ ପ୍ରଶ୍ନ, ଯେଉଁ ମେମୋରିଚିପ୍ ପାଇଁ ହତ୍ୟା କଥା କୁହାଯାଉଛି, ସେହି ଚିପ୍ ଭିତରର ସତ ସାମ୍ନାକୁ ଆସିବ ତ ?

ଅନ୍ୟପଟେ ଶର୍ମିଷ୍ଠାଙ୍କ କାର ସନ୍ଧାନ କରୁ କରୁ ଆହୁରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ପୋଲିସ । ସିକ୍ୟୁରିଟି ଗାର୍ଡଙ୍କ କହିବା କଥା, ଆପାର୍ଟମେଣ୍ଟରେ ଥିବା ଶର୍ମିଷ୍ଠାଙ୍କ ଅଫିସ୍‌ରେ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ଟେକ୍ନିକାଲ୍ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ଥିଲା ଅବାଧ ପ୍ରବେଶ । ସପ୍ତାହକୁ ୨/୩ ଥର ଆସୁଥିଲେ ନିରଂଜନ । ସିକ୍ୟୁରିଟି ଚେକ୍ ବେଳେ ନିରଂଜନଙ୍କ କୌଣସି ଯାଞ୍ଚ କିମ୍ବା ଏଣ୍ଟ୍ରି ସମ୍ପର୍କୀତ ଦସ୍ତଖତ କରିବାକୁ ବାରଣ କରୁଥିଲେ ଶର୍ମିଷ୍ଠା । ନିରଞ୍ଜନ ନିଜ ଲୋକ । ସେ ଆମ ଚାନେଲ୍‌ର ଚେୟାରମ୍ୟାନ୍ ବୋଲି ସିକ୍ୟୁରିଟି ଗାର୍ଡକୁ ଶର୍ମିଷ୍ଠା କହିଥିବା ନେଇ ଓଟିଭିକୁ କହିଛନ୍ତି ସ୍କାଏ ଟାୱାର୍ ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ ।

ଏଠି ପ୍ରଶ୍ନ, ଶର୍ମିଷ୍ଠା-ନିରଂଜନଙ୍କ ସମ୍ପର୍କ ଭିତରେ କାହିଁକି ଏଭଳି ନିବିଡ଼ିତା ? କେତେଦିନ ହେଲା ଉଭୟଙ୍କ ମଧ୍ୟରେ ଗଢ଼ିଉଠିଥିଲା ସଂପର୍କ ? ନିରଂଜନଙ୍କ ସଂସ୍ପର୍ଶରେ ଆସି କେଉଁ ବଡ଼ବଡ଼ିଆଙ୍କ ଯାଏଁ ପହଞ୍ଚିଛନ୍ତି ଶର୍ମିଷ୍ଠା ? ଏବେ ଏଭଳି ପ୍ରଶ୍ନ ଉଠିଥିବାବେଳେ ଭଉଣୀ ଶର୍ମିଷ୍ଠାଙ୍କୁ ଫେରାର୍ କରାଇବାରେ ପ୍ରମୁଖ ଭୂମିକା ନେଇଥିବା ଭାଇ ପରମେଶ୍ୱର ରାଉତଙ୍କୁ ଗିରଫ କରିଛି ଚାନ୍ଦବାଲି ପୋଲିସ । ଶର୍ମିଷ୍ଠାଙ୍କୁ ବିଜୟୱାଡ଼ାରେ ଲୁଚାଇ ରଖିଥିଲେ ପରମେଶ୍ୱର । ଏପରିକି ଜଣେ ସମ୍ପର୍କିୟଙ୍କ ମାଧ୍ୟମରେ ମାର୍ଚ୍ଚ ୧୩ରେ ଶର୍ମିଷ୍ଠାଙ୍କୁ ୧୦ ହଜାର ଟଙ୍କା ବି ଦେଇଥିଲେ । ଆଉ ସେହି ଟଙ୍କାକୁ ଶର୍ମିଷ୍ଠା ଏଟିଏମ୍‌ରୁ ଡ୍ର କରି ଖସିଯିବା ବେଳେ ପୂର୍ବରୁ ବିଜୟୱାଡ଼ା ଯାଇଥିବା ଚାନ୍ଦବାଲି ପୋଲିସ ଜାଣିପାରିଥିଲା । ଆଉ ପରମେଶ୍ୱରଙ୍କୁ ବିଜୟୱାଡାରୁ ଧରିଥିଲା । ତାଙ୍କ ବିରୋଧରେ ହତ୍ୟା, ଅପରାଧିକ ଷଡ଼ଯନ୍ତ୍ର ଦଫା ବି ଲଗାଇଛି ପୋଲିସ୍ ।