Advertisment

ନବ ଦାସ ମର୍ଡର ମିଷ୍ଟ୍ରିକୁ ପୂରିଲା ୩ ମାସ, ହେଲେ ସାମ୍ନାକୁ ଆସିପାରିଲାନି ହତ୍ୟା ପଛର ମୋଟିଭ୍

ରାଜନୈତିକ, ବ୍ୟାବସାୟିକ ନା ବ୍ୟକ୍ତିଗତ ଶତ୍ରୁତାରୁ ହତ୍ୟା ? କ୍ରାଇମବ୍ରାଞ୍ଚ ଓ ରାଜ୍ୟ ସରକାରଙ୍କ ନୀରବତାକୁ ନେଇ ପ୍ରଶ୍ନ

ଅଦ୍ୟତନ ହୋଇଛି
Naba Das Murder Case

Naba Das murder case

Advertisment

ପ୍ରଭାବଶାଳୀ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ପୂରିଲା ୩ ମାସ। କାରଣ ଜାଣିବାକୁ କ୍ରାଇମବ୍ରାଞ୍ଚ ତଦନ୍ତଠୁ ଆମେରିକୀୟ ତଦନ୍ତକାରୀ ସଂସ୍ଥା FBI ଯାଏଁ କଥା ଉଠିଲା। ହେଲେ କାଣିଚାଏ ବି ଜଣାପଡ଼ିଲାନି, ଏହି ଜଘନ୍ୟ ଅପରାଧ ପଛର ସତ କ’ଣ। କାହିଁକି ମାରିଲା ଅଭିଯୁକ୍ତ ଗୋପାଳ ଦାସ, ତା’ ମନକଥା ପଢ଼ିବାକୁ କେତେ କ’ଣ ପଦକ୍ଷେପ ନିଆଗଲା। ହେଲେ ହତ୍ୟାର କାରଣକୁ ନେଇ ଅସମ୍ଭବ ନୀରବତା ଅବଲମ୍ବନ କରୁଛି ପୋଲିସ। ଭଗବାନ ଭରସାରେ ଥିବା ଝିଅ ଦିପାଳୀ ବି ହତ୍ୟାକାଣ୍ଡକୁ ବିଧିର ବିଧାନ କହି ଏଡ଼ାଇ ଯାଉଥିବାବେଳେ ଏହାକୁ କିନ୍ତୁ ପ୍ରସଙ୍ଗ କରିଛନ୍ତି ବିରୋଧୀ। ....

Advertisment

ଜାନୁୟାରୀ ୨୯ରୁ ଅପ୍ରେଲ ୨୯... ଝାରସୁଗୁଡ଼ା ବ୍ରଜରାଜନଗର ଗାନ୍ଧୀ ଛକରେ ସ୍ପଷ୍ଟ ଦିବାଲୋକରେ ପଏଣ୍ଟ ବ୍ଲାଙ୍କରେ ଗୁଳି କରି ନବ ଦାସ ମାରିଦେଲା ଅଭିଯୁକ୍ତ ଗୋପାଳ ଦାସ । ହେଲେ କ’ଣ ଥିଲା କାରଣ ? କେଉଁ ରାଗ ଶୁଝାଇବାକୁ ଯାଇ ନବ ଦାସଙ୍କ ଭଳି ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କୁ ବିଚ୍ ବଜାରରେ ଗୁଳି କରି ମାରିଦେଲା ଗୋପାଳ ? ଦୁର୍ଭାଗ୍ୟ ନା ବିଡ଼ମ୍ବନା କେଜାଣି, ୩ ମାସ ପରେ ବି ମନ୍ତ୍ରୀ-ମର୍ଡର ଓ ମିଷ୍ଟ୍ରିର ଖୋଲୁନି ଗୁପ୍ତ ପେଡ଼ି। ରାଜନୈତିକ, ବ୍ୟାବସାୟିକ ନା ବ୍ୟକ୍ତିଗତ ? କେଉଁ କାରଣ ପାଇଁ ପୋଲିସ ବର୍ଦ୍ଦିରେ ଥାଇ ଗୁଳି କଲା ଗୋପାଳକୃଷ୍ଣ ଦାସ ? ହତ୍ୟା ପଛରେ ଥିଲା କି ଷଡ଼ଯନ୍ତ୍ର ? କିଏ ସେହି ଷଡ଼ଯନ୍ତ୍ରକାରୀ ? କୁଆଡ଼େ ଗଲା ଗୋପାଳର ମାନସିକ ସ୍ଥିତିର ଯାଞ୍ଚ ରିପୋର୍ଟ ? ଗୋପାଳ ସତରେ ପାଗଳ ନା ନୁହେଁ ? ପାଇଖାନା ଟାଙ୍କିରୁ ମିଳିଥିବା ହାତଲେଖା ଚିଠିରେ କ’ଣ ଥିଲା ?

ଏଯାଏଁ ହତ୍ୟାର କାରଣ ସଂପର୍କରେ ମୁହଁ ଖୋଲିନାହାଁନ୍ତି ତଦନ୍ତ ଦାୟିତ୍ୱରେ ଥିବା ବୋଥ୍ରା ଆଣ୍ଡ କୋ। ବିଧାନସଭାରେ ଆମେରିକୀୟ ତଦନ୍ତକାରୀ ସଂସ୍ଥା ଫେଡେରାଲ୍ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ତଥା FBIର ସହାୟତା ନିଆଯିବ ବୋଲି ଉତ୍ତର ରଖିଥିବା ରାଜ୍ୟ ସରକାର ବି ଏ ଦିଗରେ ସ୍ପଷ୍ଟ ନକରିବା, ଘଟଣାକୁ ଆହୁରି ରହସ୍ୟମୟ କରିଦେଉଛି। ହତ୍ୟାକାଣ୍ଡକୁ ଓ ଅଭିଯୁକ୍ତ ଗୋପାଳର ଗିରଫଦାରୀକୁ ବର୍ତ୍ତମାନ ୯୦ ଦିନ ପୂରିଥିବାବେଳେ ଚାର୍ଜସିଟ୍ ଦାଖଲକୁ ଆଉ ୩୦ ଦିନ ରହିଲା। ତା’ଭିତରେ ଯଦି ଚାର୍ଜସିଟ୍ ଦାଖଲ ନହୁଏ, ତେବେ ଗୋପାଳ ଜାମିନ ପାଇଯିବନି ତ ?

Advertisment

ଏସବୁ ଭିତରେ ସବୁଠୁ ବଡ଼ ଚର୍ଚ୍ଚା ହେଉଛି, ନବ ଦାସଙ୍କୁ ହତ୍ୟାର ୬ ଦିନ ପରେ ମୁହଁ ଖୋଲି ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହିଁ ଜଣା ବୋଲି ଯେଭଳି ମନ୍ତବ୍ୟ ଦେଇଥିଲେ ପୋଲିସ ଡିଜି ସୁନୀଲ ବଂଶଲ, ସେଭଳି ବାପାଙ୍କ ହତ୍ୟା ପରେ ନିର୍ବାଚନୀ ପୃଷ୍ଠଭୂମିରେ ଛିଡ଼ା ହୋଇଥିବା ଝିଅ ଦିପାଳୀ ଏହାକୁ ବେଳେବେଳେ ବିଧିର ବିଧାନ ବୋଲି କହୁଛନ୍ତି, ବାପାଙ୍କ ଆତ୍ମାକୁ ନ୍ୟାୟ ପାଇଁ ଭଗବାନ ଅଛନ୍ତି ବୋଲି ବି କହୁଛନ୍ତି।

ସେପଟେ ନବ ଦାସଙ୍କ ହତ୍ୟା ପରେ ହେଉଥିବା ଉପ ନିର୍ବାଚନୀ ମୈଦାନରେ ଏହି ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରି ଶାସକ ବିଜେଡି ଓ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରୁଛନ୍ତି ବିରୋଧୀ । ତଦନ୍ତକାରୀ ସଂସ୍ଥାର ତଦନ୍ତ ପ୍ରକ୍ରିୟା ଏବଂ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତାକୁ ନେଇ ବିଜେପି ଓ କଂଗ୍ରେସ ପ୍ରଶ୍ନ ଉଠାଇଥିବାବେଳେ ବିଜେଡି ଏହାର ଜବାବ ରଖିଛି।

Advertisment
Naba Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ