• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯାଉଛି ଜଣଙ୍କ ପରେ ଜଣଙ୍କ ଜୀବନ । ଆଖି ବୁଜୁଛନ୍ତି ଆଦିବାସୀ ସଂପ୍ରଦାୟର ଜଣଙ୍କ ପରେ ଜଣେ ମହିଳା ଅଧିକାରୀ । ପ୍ରଥମେ ରାଉରକେଲା ADM ଅଫିସର ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ଆଉ ୧୨ ଦିନ ପରେ ଉଦିତନଗର ଥାନାର ମହିଳା ASI ଆଲିଶା ନରମି ଲୁଗୁନ୍। RMC ଛକ ନିକଟ ରିଂରୋଡରେ ବସ-କାର୍ ଦୁର୍ଘଟଣାକୁ ନେଇ ଉତ୍ତେଜନା ଖବର ପାଇ ଆଲିଶା ପହଞ୍ଚିଥିଲେ ଘଟଣାସ୍ଥଳରେ । କିନ୍ତୁ ସେଠାରେ କ’ଣ ଘଟିଗଲା କେଜାଣି ହଠାତ୍ ଅସୁସ୍ଥ ହୋଇପଡ଼ିଥିବା ଦର୍ଶାଇ ନିଆଯାଇଥିଲା ରାଉରକେଲା ସରକାରୀ ହସ୍ପିଟାଲକୁ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ହେଲେ ମହିଳା ASIଙ୍କ ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ପରିବାର ଲୋକେ। ଘଟଣାସ୍ଥଳରେ ଲାଗିରହିଥିବା ଉତ୍ତେଜନା ଭିତରେ ହିଁ ତାଙ୍କୁ ଆକ୍ରମଣ କରି ହତ୍ୟା କରାଯାଇଥିବା ଆଲିଶାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। ଏତଲା ଆଧାରରେ ଉଦିତନଗର ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି। 

ଏହି ମହିଳା ASI ହେଉଛନ୍ତି ସିଏ, ଯାହାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ଭାଇ ସନ୍ଦିପ ମିଞ୍ଜ । ୧୯ ତାରିଖରେ ରାଉରକେଲା ସେଞ୍ଚୁରି ପାର୍କର ଏକ ପୋଖରୀରୁ ସୁସ୍ମିତାଙ୍କ ମୃତଦେହ ମିଳିବା ପରେ ୨୦ରେ ପ୍ଲାଣ୍ଟ ସାଇଟ୍ ଥାନାରେ ଏତଲା ଦେଇଥିଲେ । ଯେଉଁଥିରେ ଦର୍ଶାଇଥିଲେ, ସୁସ୍ମିତାଙ୍କ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିଲେ ASI ଆଲିଶା ନରମି ଲୁଗୁନ। ସୁସ୍ମିତା ADM ଏବଂ ଜିଲ୍ଲାପାଳଙ୍କ ସମସ୍ତ ରହସ୍ୟ ଜାଣିଥିଲେ । ତେଣୁ ସୁସ୍ମିତାଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରି ଜିଲ୍ଲାପାଳ, ADM, BDO, CDPO ଓ ASI ଆଲିଶା ଲୁଗନଙ୍କ ନାଁରେ ଏତଲା ଦେଇଥିଲେ। କିନ୍ତୁ ପୋଲିସ ଏତଲାକୁ ଗ୍ରହଣ କରିନଥିବା ଅଭିଯୋଗ କରିଛନ୍ତି ସୁସ୍ମିତାଙ୍କ ଭାଇ।

ତା ହେଲେ ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁ ସହ ASI ଆଲିଶା ଲୁଗୁନ ମୃତ୍ୟୁର ରହିଛି କି ଲିଙ୍କ୍ ? ସୁସ୍ମିତାଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ବୋଲି ତାଙ୍କ ମୃତ୍ୟୁ ରହସ୍ୟ ଜାଣିଥିବା ଆଶଙ୍କାରେ ASI ଲୁଗୁନଙ୍କୁ ରାସ୍ତାରୁ ହଟାଇ ଦିଆଯାଇନି ତ ? କାହିଁକି, ସେତେବେଳେ ସୁସ୍ମିତାଙ୍କ ଭାଇଙ୍କ ଏତଲାକୁ ରଖିନଥିଲା ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ?

ଏଭଳି ନାନା ପ୍ରଶ୍ନ ଆଉ ହଇଚଇ ପରେ ସୁସ୍ମିତା ମିଞ୍ଜ ମାମଲାରେ ବେଶ୍ ତତ୍ପର ହୋଇଛି ପୋଲିସ । ପୂର୍ବରୁ ମିଡ଼ିଆ ଆଗରେ ମୁହଁ ଖୋଲିବାକୁ କୁନ୍ଥୁ କୁନ୍ଥୁ ହେଉଥିବା ପୋଲିସ ଏବେ ଘନ ଘନ ପ୍ରତିକ୍ରିୟା ଦେବା ସହ ସୁସ୍ମିତା ମୃତ୍ୟୁର ତଦନ୍ତକୁ ଜୋରଦାର କରିଛି । ମୃତ୍ୟୁ ପୂର୍ବରୁ ସୁସ୍ମିତା ଯେଉଁ ହୋଟେଲରେ ରହିଥିଲେ, ସେହି ହୋଟେଲକୁ ଗତକାଲି ଯାଇ ଯାଞ୍ଚ କରିବା ସହ ରୁମକୁ ସିଲ୍ କରିଛି । ଆଉ ମୃତଦେହ ମିଳିଥିବା ସେଞ୍ଚୁରି ପାର୍କର ପୋଖରୀକୁ ୧୨ ଦିନ ପରେ ଆଜି ଦଳବଳ ସହ ଖାନତଲାସୀ କରିଛି ।  

ତେବେ ୧୨ ଦିନ ଭିତରେ ଆଦିବାସୀ ସଂପ୍ରଦାୟର ଦୁଇ ଦୁଇ ଜଣ ସରକାରୀ ମହିଳା ଅଧିକାରୀଙ୍କ ଏଭଳି ରହସ୍ୟଜନକ ମୃତ୍ୟୁ ଓ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ନାନା ଚର୍ଚ୍ଚା ହେଉଥିବାବେଳେ କି ସତ ସାମ୍ନାକୁ ଆସୁଛି, ତାକୁ ଅପେକ୍ଷା ।

 

  • Reported by:
  • PAWAN TIWARI