• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରାୟଗଡ଼ା ପୋଲିସ ଉପରେ ଆଉ ଭରସା ନାହିଁ... ଆଠ ଦିନ ବିତିଗଲାଣି, ଯୁବା ଝିଅକୁ ହରାଇଥିବା ବାପା ଆଜି ନ୍ୟାୟ ମାଗି ମାଗି ନୟାନ୍ତ। କାଶୀପୁର ବ୍ଲକ ଟିକିରି ନାକେଟିଗୁଡ଼ାର ଲକ୍ଷ୍ମୀ ମାଝୀ । ବୟସ ୨୩ । ଗତ ୫ ବର୍ଷ ହେଲା ସ୍ୱେଚ୍ଛାସେବୀ ସଂସ୍ଥା ଆଲିଶା ପକ୍ଷରୁ ଚନ୍ଦ୍ରପୁର ମା’ଗୃହରେ ନିଯୁକ୍ତ ହୋଇଥିଲେ ୱାଡେନ୍ ଭାବେ। ଲକ୍ଷ୍ମୀ ଆଂଶିକ ଦିବ୍ୟାଙ୍ଗ ଥିଲେ। ଗୋଡ଼ରେ ସମସ୍ୟା ଯୋଗୁ ଭଲରେ ଚାଲିପାରନ୍ତିନି । ଗତ ୨୧ ତାରିଖ ଅପରାହ୍ନ ପ୍ରାୟ ୪ଟାରେ ମା’ଗୃହରୁ ବାହାରକୁ ଯାଇଥିଲେ ଲକ୍ଷ୍ମୀ। କିନ୍ତୁ, ତାଙ୍କ ସହ କ’ଣ ଘଟିଗଲା କେଜାଣି, ସେଦିନ ରାତି ପ୍ରାୟ ୧୧ଟାରେ ମା’ଗୃହ ନିକଟରେ ମିଳିଥିଲା ଦରପୋଡ଼ା ମରଶରୀର।

ଏ ସଂପର୍କରେ ସହକର୍ମୀଙ୍କ ପାଖରୁ ଖବର ପାଇ ଗାଁରୁ ଦୌଡ଼ି ଆସିଥିଲେ ଲକ୍ଷ୍ମୀଙ୍କ ବାପା। ସେତେବେଳକୁ ଝିଅର ଆଉ ଜୀବନ ନଥିଲା। ଏ ସଂପର୍କରେ ୨୨ ତାରିଖରେ ଲକ୍ଷ୍ମୀଙ୍କ ବାପା ଚନ୍ଦ୍ରପୁର ଥାନାରେ ଏତଲା ଦେବା ସହ ହତ୍ୟା ଅଭିଯୋଗ ଆଣିଥିଲେ। କିନ୍ତୁ ସପ୍ତାହେ ପରେ ବି ପୋଲିସ ମୃତ୍ୟୁର ରହସ୍ୟ ଉପରୁ ପରଦା ଉଠାଇ ପାରୁ ନ ଥିବାରୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ଲକ୍ଷ୍ମୀଙ୍କ ବାପା । ଏପରିକି ଆଦିବାସୀ ସଂଘ ବି ଘଟଣାକୁ ଗୁରୁତର ସହ ନେଇ ଟିକିରିରେ ଶୋଭାଯାତ୍ରା କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ଲକ୍ଷ୍ମୀଙ୍କ ଏଭଳି ରହସ୍ୟଜନକ ମୃତ୍ୟୁ ପଛର କାରଣ କ’ଣ ? ଏହା ହତ୍ୟା ନା ଆତ୍ମହତ୍ୟା ? ଯଦି ହତ୍ୟା, କିଏ ଓ କାହିଁକି ଲକ୍ଷ୍ମୀଙ୍କୁ ମାରିଛି ? ଯଦି ଆତ୍ମହତ୍ୟା, ତେବେ କାହିଁକି ? ଆଇନ ମନ୍ତ୍ରୀଙ୍କ ଜିଲ୍ଲାରେ ଆଦିବାସୀ ଯୁବତୀଙ୍କ ଏଭଳି ରହସ୍ୟଜନକ ମୃତ୍ୟୁକୁ ସପ୍ତାହେ ବିତିଯାଇଥିଲେ ବି କାହିଁକି ସତକୁ ସାମ୍ନାକୁ ଆଣିପାରୁନି ରାୟଗଡ଼ା ପୋଲିସ ? ଲକ୍ଷ୍ମୀ ମାଝୀ ମୃତ୍ୟୁ ପଛରେ କୌଣସି ପ୍ରଭାବଶାଳୀଙ୍କ ହାତ ନାହିଁ ତ ? ଏବେ ଏଭଳି ନାନା ପ୍ରଶ୍ନ ଉଠିବା ସହ ତଦନ୍ତ ପ୍ରକ୍ରିୟାକୁ ନେଇ ପୋଲିସ ଉପରକୁ ଅଙ୍ଗୁଳି ଉଠାଇଛନ୍ତି ବିରୋଧୀ । ବିଜେପି ମହିଳା ମୋର୍ଚ୍ଚାର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ ପରେ ଗର୍ଜିଛି ରାୟଗଡ଼ାରେ। ୬ ଘଣ୍ଟା ଧରି ଜିଲ୍ଲାରେ ବନ୍ଦ ପାଳନ ସହ ଲକ୍ଷ୍ମୀଙ୍କୁ ନ୍ୟାୟ ଦାବି କରିଛି । ସେପଟେ କଂଗ୍ରେସ ଘଟଣାର ସିବିଆଇ ତଦନ୍ତ ଦାବି କରିଥିବାବେଳେ ଆଇନ ମନ୍ତ୍ରୀ କହିଛନ୍ତି, ଦୋଷୀ ନିଶ୍ଚିତ ଧରାପଡ଼ିବ ।


ଲକ୍ଷ୍ମୀ ମାଝୀଙ୍କ ରହସ୍ୟଜନକ ମୃତ୍ୟୁ ଆଜି ମନେପକାଇଦେଲା ଇତିଶ୍ରୀ ପ୍ରଧାନ ମାମଲାକୁ । ୨୦୧୩ରେ ଏଭଳି ରହସ୍ୟଜନକ ଭାବେ ନିଆଁରେ ପୋଡ଼ି ପ୍ରାଣ ହରାଇଥିଲେ ଶିକ୍ଷୟିତ୍ରୀ ଇତିଶ୍ରୀ । ଅଥଚ ରହସ୍ୟ ହୋଇ ରହିଗଲା ଘଟଣା। ଆଉ ୧୦ ବର୍ଷ ପରେ ଏବେ ସେଭଳି ଏକ ଘଟଣାର ପୁନରାବୃତ୍ତି ହୋଇଛି ରାୟଗଡ଼ା ଜିଲ୍ଲାରେ।

 

  • Reported by:
  • Maudi Barik