Advertisment

ଯୌତୁକ ପାଇଁ ବଧୂ ହତ୍ୟା ! ପୋଲିସ ସହ ଧସ୍ତାଧସ୍ତି, ମୃତ ମହିଳାଙ୍କ ଶାଶୁଙ୍କୁ ଘୋଷାଡ଼ିଲେ

ଗତ ରାତିରେ ଅତି ରହସ୍ୟଜନକ ଭାବେ ମିଲିଙ୍କ ଅର୍ଦ୍ଧ ଦଗ୍ଧ ମରଶରୀର ଉଦ୍ଧାର କରାଯାଇଥିବାବେଳେ ଏହା ହତ୍ୟା ନା ଆତ୍ମହତ୍ୟା ?

author-image
Chandan Shishu
Mystery shrouds after half burned body of woman found in Balasore

Mystery shrouds after half burned body of woman found in Balasore

ବୋହୂ ନିର୍ଯାତନାର ଆଉ ଏକ ଲୋମଟାଙ୍କୁରା କାହାଣୀ। ଘର ଛାତ ଉପରେ ମଝି ରାତିରେ ଜଳି ପୋଡ଼ି ଆଖି ବୁଜିଦେଲା ବୋହୂଟିଏ। ଯୌତୁକ ପାଇଁ ଶାଶୁ ଓ ଶ୍ବଶୁର ହିଁ ଏଭଳି ଦଶା କରିଥିବା ମୃତ ବୋହୂଙ୍କ ମା’ ଓ ପଡ଼ୋଶୀ ଅଭିଯୋଗ କରିଛନ୍ତି। ତା’ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ହଙ୍ଗାମା କରିଛନ୍ତି। ବାଲେଶ୍ୱର ଭୋଗରାଇ ଅଞ୍ଚଳର ଏହି ଘଟଣା ପରେ ବୋହୂ ନିର୍ଯାତନାର କଳଙ୍କିତ କାହାଣୀରେ ଯୋଡ଼ି ହୋଇଛି ଆଉ ଏକ ରକ୍ତରଂଜିତ ଅଧ୍ୟାୟ।

Advertisment

ବଧୂ ନିର୍ଯାତନାର ଆଉ ଏକ ଭୟଙ୍କର କାହାଣୀ...ରାତିର ନିସ୍ତବ୍ଧ ପହରରେ ଜଳିପୋଡ଼ି କଳାକାଠ ପାଲଟିଯାଇଛି ମରଶରୀର...ଯାହା ଏତେ ବୀଭତ୍ସ ଯେ, ନା ଦେଖିହେବ ନା ଦେଖାଇ ହେବ। ଆଉ ଏହି ଲୋମଟାଙ୍କୁରା ହିଂସା ପରେ ଏ ହେଉଛି ତା’ର ପ୍ରତିଫଳନ। ପୋଲିସ-ପବ୍ଲିକ ମୁହିଁମୁହି, ଧସ୍ତାଧସ୍ତି। ଛିଣ୍ଡାଇଦେଲେ ଥାନା ବାବୁଙ୍କ ଷ୍ଟାର ଫ୍ଲାପ୍ ସହ ହୁଇସିଲ୍ କାର୍ଡ।ଶାଶୁକୁ ଘୋଷାଡ଼ିଲେ ଗାଁର ମହିଳା ମାନେ.. ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଅନନ୍ତପୁରରେ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ଛାତ ଉପରେ ଦେଖିବାକୁ ମିଳିଥିଲା ହେମନ୍ତ ପରିଡ଼ାଙ୍କ ବୋହୂ ମିଲିଙ୍କ ଅର୍ଦ୍ଧଦଗ୍ଧ ମୃତ ଶରୀର। ଏହି ଘଟଣା ପ୍ରଘଟ ପରେ ପହଞ୍ଚିଯାଇଥିଲେ ସ୍ଥାନୀୟ ଗ୍ରାମବାସୀଙ୍କ ସହ ମହିଳା। ମୃତ ମିଲିଙ୍କ ମା’ ଘର ଲୋକେ ବି ଆସିଯାଇଥିଲେ। ତାହାରି ଭିତରେ ସମସ୍ତଙ୍କ ଥିଲା ସେହି ଗୋଟିଏ ଅଭିଯୋଗ, ଯୌତୁକ ନିର୍ଯାତନାରୁ ଘଟିଛି ଏହି ଅଘଟଣ। ମିଲିଙ୍କ ଶାଶୁ ଶ୍ବଶୁର ଏବଂ ସ୍ୱାମୀଙ୍କୁ ତୁରନ୍ତ ଗିରଫ କର। ୭ ବର୍ଷ ପୂର୍ବେ ଅନନ୍ତପୁର ଗାଁର ହେମନ୍ତ ପରିଡ଼ାଙ୍କ ପୁଅ ଭାଗିରଥିଙ୍କୁ ବିବାହ କରିଥିଲେ ମିଲି। ଉଭୟଙ୍କ ଔରସରୁ ୨ଟି ସନ୍ତାନ ବି ଅଛନ୍ତି।

Advertisment

ସ୍ବାମୀ ଭାଗିରଥୀ ରାଜ୍ୟ ବାହାରେ ରୋଜଗାର କରନ୍ତି। ତେବେ ଅଭିଯୋଗ ଅନୁଯାୟୀ, ଶାଶୁ, ଶ୍ୱଶୁର ଓ ସ୍ୱାମୀ ସବୁବେଳେ ଅଧିକ ଯୌତୁକ ଦାବି କରି ମିଲିଙ୍କୁ ନିର୍ଯାତନା ଦେଇଆସୁଥିଲେ। କିନ୍ତୁ ଗାଁ ଲୋକେ ହସ୍ତକ୍ଷେପ କରି ସମାଧାନ କରିଆସୁଥିଲେ। ଏସବୁ ଭିତରେ ଗତ ରାତିରେ ଅତି ରହସ୍ୟଜନକ ଭାବେ ମିଲିଙ୍କ ଅର୍ଦ୍ଧ ଦଗ୍ଧ ମରଶରୀର ଉଦ୍ଧାର କରାଯାଇଥିବାବେଳେ ଏହା ହତ୍ୟା ନା ଆତ୍ମହତ୍ୟା ? ସେନେଇ ସସପେନସ ଲାଗିରହିଛି। ପୋଲିସ ଶାଶୁ ଶ୍ୱଶୁରଙ୍କୁ ଧରି ତଦନ୍ତ କରୁଛି। 

ବଧୂ ନିର୍ଯାତନାର ଏଭଳି କାହାଣୀ ଗତ ୨ ସପ୍ତାହ ମଧ୍ୟରେ ତିନି ତିନିଟି ସାମ୍ନାକୁ ଆସିଲାଣି। କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଝିଗୁଡ଼ା ଗାଁର ଜଣେ ବିବାହିତା ମହିଳା ରହସ୍ୟଜନକ ଭାବେ ଜଳିପୋଡ଼ି ପ୍ରାଣ ହରାଇଥିଲେ। ସେହିପରି ନୟାଗଡ଼ ଜିଲ୍ଲା କଜଳାଇପଲ୍ଲୀ ଗାଁ ବଧିସାହିରେ ଜଣେ ମହିଳାଙ୍କୁ ଶାଶୂଘର ଲୋକେ ହତ୍ୟା କରିଥିବା ଅଭିଯୋଗ ଉଠିଥିଲା। ରାଜ୍ୟରେ ଏଭଳି ଏକାଧିକ ମହିଳା ବିରୋଧୀ ହିଂସାରେ ବୋହୂଙ୍କ ହେଉଛି ପ୍ରାଣହାନୀ।

ସର୍ବଶେଷ ଏନସିଆରବି ତଥ୍ୟ କହୁଛି, ମହିଳାଙ୍କ ପ୍ରତି ବିଭିନ୍ନ ଅପରାଧ କ୍ଷେତ୍ରରେ ଦେଶର ୩ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ତାହାରି ଭିତରେ ୨୯୩ଟି ଯୌତୁକଜନିତ ହତ୍ୟା ମାମଲା ସହ ଓଡ଼ିଶା ରହିଛି ଦେଶର ଷଷ୍ଠ ସ୍ଥାନରେ। କେବଳ ଏତିକି ନୁହେଁ, ବିଭିନ୍ନ ଅପରାଧ କ୍ଷେତ୍ରରେ ୨୦୨୦ ତୁଳନାରେ ୨୦୨୧ରେ ମହିଳା ବିରୋଧୀ ହିଂସା ପାଖାପାଖି ୨୩ ପ୍ରତିଶତ ବୃଦ୍ଧି ପାଇଥିବା ଦର୍ଶାଇଛି NCRB। ରାଜ୍ୟରେ ଘରୋଇ ହିଂସାରେ ଏଭଳି ଅନେକ ମହିଳାଙ୍କ ଜୀବନ ଯାଉଥିବାବେଳେ କାହା ସ୍ବାର୍ଥରେ ସୁରକ୍ଷା ଓ ସଶକ୍ତିକରଣର କଥା କହୁଛନ୍ତି ସରକାର, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

Dowry
Advertisment
Advertisment