• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କ୍ଷଣିକର ରାଗ ରାକ୍ଷସ ଯୋଗୁଁ ପୁରା ପରିବାର ଛାରଖାର । ଆରପାରିରେ ସ୍ତ୍ରୀ, ହସ୍ପିଟାଲରେ ୬ ବର୍ଷର ଝିଅ, ହତ୍ୟା ଅଭିଯୁକ୍ତ ବାପା ପୋଲିସ ହେପାଜତରେ, ଅସହାୟ ୪ ଦିନର ନବଜାତ ଶିଶୁ ।

ସ୍ୱାମୀ ସାଜିଲା ସଇତାନ । ଧାରୁଆ ଅସ୍ତ୍ରରେ ହାଣି ସ୍ତ୍ରୀ ସରସ୍ୱତୀଙ୍କୁ ସ୍ୱାମୀ ସଂଜିତ ଦାସ ହତ୍ୟା କରିଥିବା ଅଭିଯୋଗ । ଏତିକିରେ ବି ରାଗ ଶାନ୍ତ ହେଲା ନାହିଁ ଯେ, ନିଜ ୬ ବର୍ଷ ଝିଅର ତଣ୍ଟି ମଧ୍ୟ କାଟି ଦେଇଛି ନୃଶଂସ ବାପା । ଝିଅଟି ଏବେ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ସହିତ କରୁଛି ସଂଗ୍ରାମ । ପିଶାଚ ବାପା କବଳରୁ ଅଳ୍ପକେ ବର୍ତ୍ତି ଯାଇଛି ୪ ଦିନର ନବଜାତ ଶିଶୁକନ୍ୟା । ହତ୍ୟାକାଣ୍ଡ ପରେ କୁଆଡ଼େ ଫେରାର ନହୋଇ ନିଜ ଘର ଭୁବନେଶ୍ୱର ଘାଟିକିଆ ଅଞ୍ଚଳରେ ବୁଲୁଥିବା ଅବସ୍ଥାରେ ଅଭିଯୁକ୍ତ ସଂଜିତ ଦାସକୁ ଗିରଫ କରିଛି ପୋଲିସ୍ ।ସାଇଣ୍ଟିଫିକ୍ ଟିମ୍‌ର ଯାଞ୍ଚ ସହିତ ନିଜେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ଡିସିପି ପ୍ରତୀକ ସିଂହ ।

ଭୁବନେଶ୍ୱର ଘାଟିକିଆ ଅଞ୍ଚଳର ପୈତୃକ ଘରେ ପରିବାର ସହିତ ରହୁଥିଲା ସଂଜିତ । ରୋଜଗାର କିଛି ନଥିଲା, ପୁରା ବେକାର । ତଥାପି ସେ ନିଶା ସେବନ କରୁଥିଲା ବୋଲି ଅଭିଯୋଗ ହୋଇଛି । ସ୍ତ୍ରୀ ସରସ୍ୱତୀ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ । ସଂଜିତ ନିଶା ସେବନ କରୁଥିବାରୁ ଓ ବେକାର ଥିବାରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହୁଥିଲା ଝଗଡ଼ା । ଗତକାଲି ବି ପାଟିତୁଣ୍ଡ ହୋଇଥିଲା ।

ତେବେ ନିଶା ସେବନ କରୁଥିବା ସଂଜିତ, ହିତାହିତ ଜ୍ଞାନ ଭୁଲି ଏହି ନୃଶଂସ ହତ୍ୟା କରିଛି, ନା ଆଉ କିଛି କାରଣ ଅଛି ? କୁହାଯାଉଛି ଲଗାତର ଦୁଇଟି ଝିଅ ଜନ୍ମ ହେବାପରେ ଅସନ୍ତୁଷ୍ଟ ଥିଲା ସଂଜିତ । ଏହି କାରଣରୁ ସେ ସ୍ତ୍ରୀକୁ ହତ୍ୟା କରିବା ସହିତ ବଡ଼ ଝିଅକୁ ମଧ୍ୟ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି ।

ବୋହୂ ଆରପାରିକି ଚାଲିଗଲା, ମୃତ୍ୟୁ ସହ ସଂଗ୍ରାମ କରୁଛି ନାତୁଣୀ, ପୁଅ ଗିରଫ ହୋଇଛି, ଆଉ ୪ ଦିନର ନବଜାତ ନାତୁଣୀ ଅସହାୟ । ଏତେ ବଡ଼ ବିପର୍ଯ୍ୟୟରେ ଅଭିଯୁକ୍ତ ସଂଜିତର ମାଆଙ୍କ ଚେତା ବୁଡ଼ି ଯାଉଛି । ଘରେ ଦୋଳି ଅଛି, ହେଲେ ନାତୁଣୀ ହସ୍ପିଟାଲରେ । ଘରେ ବେଡ୍ ଉପରେ ପଡ଼ି ରହିଛି ତାର ଖାତା ବହି । ହେଲେ ସେ କେବେ ଘରକୁ ଫେରିବ ଠିକ୍ ଠିକଣା ନାହିଁ । କ୍ଷଣିକ ରାଗରେ ଛାରଖାର ହୋଇ ଯାଇଛି ପୁରା ପରିବାର ।