• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅନ୍‌ଲାଇନ୍‌ ଠକାମୀର ଶିକାର ହେଲେ ବିଧାୟକଙ୍କ ଝିଅ । ଏକ ମିଠା ଦୋକାନରୁ ମିଠା କିଣି, ତାକୁ ପେମେଣ୍ଟ ଆପ୍‌ ଯୋଗେ ଟଙ୍କା ଦେଲା ବେଳେ ଠାକାମୀର ଶିକାର ହୋଇଛନ୍ତି ବିଧାୟକଙ୍କ ଝିଅ । ଏହି ବିଧାୟକ ଜଣକ ହେଉଛନ୍ତି ମୁମ୍ବାଇ ମୀରା ରୋଡ୍‌ ଅଞ୍ଚଳର ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମୀରା ରୋଡ ଅଞ୍ଚଳର ବିଧାୟକ ଗୀତା ଜୈନ୍‌ଙ୍କ ଝିଅ ସ୍ନେହା ସକ୍‌ଲେଚା ଠକାମୀର ଶିକାର ହୋଇଛନ୍ତି । ସେ ଅନ୍‌ଲାଇନ୍‌ରେ ଠକାମୀର ଶିକାର ହୋଇଛନ୍ତି । ୧୦୦ କି ୨୦୦ ନୁହେଁ ତାଙ୍କଠାରୁ ଏକା ଥରକେ ୭୯୦୦୦ ଟଙ୍କା ଠକି ନେଇଛି ସାଇବର ଠକ । ସାକଲେଚାଙ୍କୁ ବୟସ ମାତ୍ର ୩୧ । ସେ ତାଙ୍କ ପରିବାରର ମାଲିକାନାରେ ଥିବା ଏକ କନ୍‌ଷ୍ଟ୍ରକସନ୍‌ କମ୍ପାନୀ ସୋନମ୍‌ ଗ୍ରୁପ୍‌ ଅଫ୍‌ କମ୍ପାନୀଜ୍‌ର ଡାଇରେକ୍ଟର ପଦବୀ ଦାୟିତ୍ୱ ତୁଲାଉଛନ୍ତି । ଏଭଳି ଏକ ଠକାମୀର ଶିକାର ହେବା ପରେ ସେ ତୁରନ୍ତ ନବଘର ପୋଲିସ ଷ୍ଟେସନ୍‌ର ଦ୍ୱାରସ୍ଥ ହୋଇଥିଲେ ।

ଏହି ଘଟଣା ନଭେମ୍ବର ୯ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଘଟିଥିଲା । ସାକଲେଚା ନିଜ ବଙ୍ଗଳାରେ ଥିଲେ । ତାଙ୍କ ଶାଶୁ ମାଆ ମିଠା କିଣିବା ପରେ ତାଙ୍କୁ ୪୮୦ ଟଙ୍କା ଅନ୍‌ଲାଇନ୍‌ ପେମେଣ୍ଟ କରିବା ପାଇଁ କଲ କରି କହିଥିଲେ । ସାକଲେଚାଙ୍କ ପାଖକୁ ଏକ କ୍ୟୁଆର୍‌ କୋଡ୍‌ ପହଞ୍ଚିଥିଲା, ସେଥିରେ ସେ ସ୍କାନ୍‌ କରି ପେମେଣ୍ଟ କରିଥିଲେ । ଶାଶୁ ମାଆ, ସାକଲେଚାଙ୍କ ମୋବାଇଲ ନମ୍ବର ଦୋକାନୀଙ୍କୁ ଦେଇଥିଲେ ।

ସାକଲେଚା ପେମେଣ୍ଟ କରି ସାରିବାର କିଛି ସମୟ ପରେ ପୁଣି ଥରେ ତାଙ୍କୁ ଏକ କଲ ଆସିଥିଲା । ଆଉ ସେହି କଲ ମିଠା ଦୋକାନରୁ କରାଯାଇଥିବା ସୂଚନା ଦିଆଯାଇଥିଲା । ଆଉ କୁହାଯାଇଥିଲା ମିଠାର ପେମେଣ୍ଟ ହୋଇସାରିଛି । କିନ୍ତୁ ଜିଏସ୍‌ଟି ବାବଦ ପେମେଣ୍ଟ ବାକି ରହିଯାଇଛି । ଆଉ ଫୋନ୍‌ଲାଇନ୍‌ରେ ଥିବା ବେଳେ ହିଁ ପେମେଣ୍ଟ ଆପ୍‌ ଖୋଲି ଏକ କୋଡ୍‌ ଟାଇପ୍‌ କରିବାକୁ ସାକଲେଚାଙ୍କୁ କୁହାଯାଇଥିଲା ।

ଫୋନ୍‌ କରିଥିବା ବ୍ୟକ୍ତି ଜଣକ ଯେମିତି ପ୍ରୋସିଜିଓର କହିଥିଲା, ସାକଲେଚା ଠିକ୍‌ ସେମିତି କରିବାକୁ ଲାଗିଲେ । ଆଉ ଅଚାନକ ତାଙ୍କ ଆକାଉଣ୍ଡରୁ ୩୯,୫୦୬ ଟଙ୍କା କଟି ଯାଇଥିଲା । ତାପରେ ସେହି ଟଙ୍କା ଫେରସ୍ତ ପାଇଁ ପୁଣି ଥରେ ସେମିତି କରିବାକୁ କହିଥିଲା ଠକ । ହେଲେ ପୁନରବାର ଆକାଉଣ୍ଟରୁ ସେତିକି ଟଙ୍କା ଖାଲି ହୋଇଯାଇଥିଲା । ଟଙ୍କା ଖାଲି ହେବା ମାତ୍ର କଲ ମଧ୍ୟ କଟିଯାଇଥିଲା । ସେହି ନମ୍ବରକୁ କଲ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ଆଉ ଲାଗିନଥିଲା । 

ଏନେଇ ସାକଲେଚନା ଥାନାର ଦ୍ୱାରସ୍ଥ ହୋଇଥିଲେ । ଆଇଟି ଆକ୍ଟ ଅଧିନରେ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିସାରିଛି । ଖୁବ୍‌ଶୀଘ ଠକ ଧରାପଡ଼ିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଛି ।