• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅପରାଧିଙ୍କ ନା ଜାତି ଥାଏ ନା ଧର୍ମ । ଅପରାଧି ସବୁ ବେଳେ ଅପରାଧୀ । ଏମାନେ ଅପରାଧ ଘଟାଇବା ବେଳେ ସ୍ଥାନ କାଳ ପାତ୍ରର ବିଶେଷତ୍ୱକୁ ଗୁରୁତ୍ୱ ଦେଇ ନଥାନ୍ତି । ସେମାନଙ୍କର ମୂଳ ଲକ୍ଷ ଥାଏ କିଭଳି ଅପରାଧକୁ ଅଞ୍ଜାମ ଦେବା । କିନ୍ତୁ ସାଧାରଣତଃ ଆମେ ଜାଣିଛନ୍ତି ଯେ, ମନ୍ଦିର ଭଳି ପବିତ୍ର ସ୍ଥାନରେ କେବେ କେହି ଅପରାଧ ଘଟାଇବା କଥା ଚିନ୍ତା କରନ୍ତି ନାହିଁ । କାରଣ ସେଠାକୁ ସମସ୍ତେ ଶାନ୍ତି ଓ ଭକ୍ତିରେ ଆସିଥାନ୍ତି । ତେବେ ଏହାରି ଭିତରେ ଆମ ପାଖକୁ ଏମିତି ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଗୋଟିଏ ଚୋର ଏକ ମନ୍ଦିରରୁ ଭଗବାନଙ୍କ ଗହଣା ଗାଣ୍ଠି ଚୋରି କରିନେଇଥିଲା । ହେଲେ ଚୋରି ହେବାର ମାତ୍ର କିଛି ଦିନ ଭିତରେ ସବୁ ଚୋରି ସମ୍ପତ୍ତି ଫେରାଇଦେଲା । ଏମିତିକି ଏକ ଚିଠି ମଧ୍ୟ ଛାଡ଼ିଦେଇ ଗଲା । ଯେଉଁଥିରେ ଲେଖାଥିଲା ମୋତେ କ୍ଷମା କରିଦେବେ । ମୁଁ ଭଗବାନଙ୍କ ଗହଣା ଚୋରି କରି ଖୁବ୍‌ ପସ୍ତାଉଛି । ଅନେକ ହଇରାଣ ହୋଇଛି । ଆଉ ହଇରାଣ ହେବାକୁ ଚାହୁଁନାହିଁ। ଏ କଥା କହି ଚୋରି କରିଥିବା ସବୁ ଜିନିଷକୁ ଫେରେଇଦେଇଛି। ତେବେ ଏହି ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ମଧ୍ୟ ସତ । କାରଣ ଏକଥା ଆମେ କହୁ ନାହୁଁ । ଏକଥା ଖୋଦ୍‌ ପୋଲିସ ବାବୁ କହିଛନ୍ତି ।

ଏହି ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ବାଲଘାଟ ଜିଲ୍ଲାରେ ଥିବା ଶାନ୍ତିନାଥ ଦିଗମ୍ବର ଜୈନ ମନ୍ଦିରରୁ । ଚୋରଟି ଭଗବାନଙ୍କର ଅନେକ ରୂପା ଅଳଙ୍କାର ଚୋରି କରିବା ସହ ମନ୍ଦିରରେ ଥିବା ଦାମୀ ସାମଗ୍ରୀ ସବୁ ନେଇଯାଇଥିଲା । କିନ୍ତୁ ଠାକୁରଙ୍କ ସମ୍ପତ୍ତି ଚୋରି କରି ସେ ନିଜକୁ ସମ୍ଭାଳିପାରିନଥିଲା । ଅନେକ ଦିଗରୁ ତାକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଯାହାକି ସେ ଅଳଙ୍କାର ସବୁ ଫେରାଇବା ବେଳେ ଏକ ଚିଠିରେ ଲେଖିଛି । ସେହି ଚିଠି ପୋଲିସ ହାତରେ ଲାଗିଛି । ଆଉ ପୋଲିସ ପକ୍ଷରୁ ଏନେଇ ପୁରା ସୂଚନା ଦିଆଯାଇଛି ।

ପୋଲିସର କହିବାନୁଯାୟୀ, ଚୋରଟି ଏକ ବ୍ୟାଗ୍‌ରେ ସବୁ ଅଳଙ୍କାର ଭର୍ତ୍ତି କରି ପଞ୍ଚାୟତ ଅଫିସ୍‌ ନିକଟରେ ରଖି ଚାଲିଯାଇଛି । ସେଥିରେ ଠାକୁରଙ୍କ ୧୦ଟି ରୂପା ଅଳଙ୍କାର ସହ ଛତ୍ରସ୍‌ (ଯାହାକି ଏକ ସୁସଜ୍ଜିତ ଛତା ସଦୃଶ ଦୃଶ୍ୟମାନ ହୁଏ) ଓ ଅନ୍ୟାନ୍ୟ ଜିନିଷ ରହିଛି। । ଠାକୁରଙ୍କର ଯାହା ସବୁ ଦାମୀ ଜିନିଷ ଚୋରି ହୋଇଥିଲା ସେସବୁ ଜିନିଷ ସେହି ବ୍ୟାଗ୍‌ରେ ରଖି ଚୋର ଫେରାଇଦେଇଛି । ରବିବାର ପ୍ରଥମେ ଗାଁ ଲୋକେ ଏହି ବ୍ୟାଗ୍‌ ଦେଖିଥିଲେ । ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସ୍ଥାନୀୟ ଲମତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାଗ୍‌ ଜବତ କରିବା ସହ ଠାକୁରଙ୍କର ସମସ୍ତ ଅଳଙ୍କାର ଉଦ୍ଧାର କରିଛି ।

ତେବେ ଏହି ପୁରା ଘଟଣାଟି ଜାଣିବା ପରେ ଆପଣମାନେ କ’ଣ ଚିନ୍ତା କରୁଛନ୍ତି, ସେନେଇ କମେଣ୍ଟରେ ଆମକୁ ଜଣାଇପାରିବେ ।