• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜହ୍ଲାଦ ବାପାର ଜଘନ୍ୟକାଣ୍ଡ । ଦ୍ୱିତୀୟ ପତ୍ନୀ ସହ ମିଶି କଲେଜ ପଢୁଆ ଝିଅକୁ ମର୍ଡର । ରାତିଅଧିଆ ଗାଁ ଶ୍ମଶାନରେ ଦାହ କରି ପ୍ରମାଣ ନଷ୍ଟ ପାଇଁ ବି କରିଛି ଫନ୍ଦି । ଗୋପ ବ୍ଲକ ବିଜିପୁର ଗାଁରେ ଗତ ୭ ତାରିଖର ଏ ଘଟଣା । ଗତକାଲି ଲୋକଲୋଚନକୁ ଆସିବା ପରେ ଖେଳିଯାଇଛି ଚାଞ୍ଚଲ୍ୟ । ମୃତା ଛାତ୍ରୀ ଜଣକ ହେଲେ ଗୋପ କଲେଜର ଯୁକ୍ତ ତିନି ଛାତ୍ରୀ ମୋନାଲି ମହାରଣା ।

ଗୋପ ଥାନାରେ ଏତଲା ଦେଇଥିବା ମୃତା ମୋନାଲିଙ୍କ ବଡ଼ଭଉଣୀ ରଂଜିତାଙ୍କ ଅଭିଯୋଗ ଅନୁସାରେ-୨୦୧୮ରେ ମାଆଙ୍କ ମୃତ୍ୟୁ ପରେ ୨୦୨୦ରେ ବାପା ଦୁର୍ଗାଚରଣ ମହାରଣା ଦ୍ୱିତୀୟ ବିବାହ କରିଥିଲେ । ସେବେଠୁ ସାନ ଭଉଣୀ ମୋନାଲିଙ୍କୁ ସାବତ ମାଆ ଓ ବାପା ନିର୍ଯାତନା ଦେଇ ଆସୁଥିଲେ । ପାଠ ପଢ଼ା ଛାଡ଼ି ଘରକାମ କରିବାକୁ ମୋନାଲିଙ୍କୁ ସବୁବେଳେ ବାଧ୍ୟ କରୁଥିଲେ ।

ଗତ ୭ ତାରିଖ ରାତିରେ ମୋନାଲିଙ୍କୁ ବାପା ଦୁର୍ଗାଚରଣ,ସାବତ ମାଆ ମମତା ଓଝା ଓ ସାବତ ମାମୁଁ ଜୀବନ ଓଝା ମିଶି ହତ୍ୟା କରି ରାତାରାତି ଗାଁ ଶ୍ମଶାନରେ ଦାହ କରି ଦେଇଥିଲେ । ଗାଁର ଜଣଙ୍କଠାରୁ ଏକଥା ଶୁଣି ସତ ଜାଣିବାକୁ ବାପାଙ୍କୁ ଫୋନ୍ ବି କରିଥିଲେ ରଂଜିତା, ହେଲେ ମୋନାଲି ଦେହ ଭଲ ନଥିବା କହି ଫୋନ୍ କାଟି ଦେଇଥିଲେ ବାପା ।

ତେଣୁ ସନ୍ଦେହ ହେବାରୁ ମୋନାଲି ତାଙ୍କ କାର୍ଯ୍ୟସ୍ଥଳୀ କୋଲକାତାରୁ ଗାଁକୁ ଆସି ଜଣେ ମାଉସୀଙ୍କ ଘରେ ପହଞ୍ଚି ଘଟଣା ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ । ସାନଭଉଣୀକୁ ହତ୍ୟା କରି ପ୍ରମାଣ ଲୁଚାଇବାକୁ ରାତାରାତି ପୋଡ଼ି ଦେଇଥିବା ଜାଣି ପୋଲିସ୍‌ରେ ଏତଲା ଦେଇଥିଲେ ରଂଜିତା । ଏମିତିକି ହତ୍ୟା ପୂର୍ବରୁ ମୋନାଲି, ଜେଜେ ମାଆ ଶଶି ମହାରଣାଙ୍କ ପାଖରେ ଶୋଇଥିବାରୁ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ଗୁହାରି କରିଛନ୍ତି । ଏଥିସହ ଶବଦାହରେ ସଂପୃକ୍ତ ବ୍ୟକ୍ତି ମାନଙ୍କୁ ବି ତଦନ୍ତ ପରିସରଭୁକ୍ତ କରି କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ରଂଜିତା ଓ ତାଙ୍କ ମାଉସୀ ।

ମୃତା ମୋନାଲି ଯୁକ୍ତ ତିନି ଛାତ୍ରୀ ଥିଲେ, ଭଲ ବି ପଢୁଥିଲେ । କେମିତି ମଲା ସାନ ଭଉଣୀ ? କିଏ କିଏ ଓ କେତେବେଳେ ମିଶି ମାରି ଦେଲେ ? କାହିଁକି ବାପା ତାଙ୍କୁ ମୋନାଲି ମରି ଯାଇଥିବା କଥା ଲୁଚାଇଲେ ? ମୃତଦେହ ନ ଦେଖାଇ କାହିଁକି ରାତାରାତି ପୋଡ଼ି ଦେଲେ ? ଏସବୁ ପ୍ରଶ୍ନ ବଡ଼ ଭଉଣୀ ରଂଜିତା ଜାଣିବାକୁ ଚାହିଁଥିବା ବେଳେ ଗୋପ ପୋଲିସ୍ ତାଙ୍କ ଏତଲା ଆଧାରରେ ତନାଘନା ଚଳାଇଛି । ହତ୍ୟାକାରୀ ବାପା ଦୁର୍ଗା ମହାରଣାକୁ ସାଙ୍ଗରେ ଧରି ଗାଁ ଶ୍ମଶାନକୁ ଯାଇ ଖୋଳତାଡ଼ ବି କରିଛି ।

ମୃତଦେହ ପୋଡ଼ା ଯାଇଥିବା ସ୍ଥାନକୁ ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ହାଡ଼ ଓ ପାଉଁଶ ଜବତ କରିଛି । ଅଭିଯୁକ୍ତ ବାପାର ରକ୍ତ ନମୂନା ସଂଗ୍ରହ କରି DNA ଟେଷ୍ଟ ପାଇଁ ପଠାଇଛି । ସାବତ ମା ଓ ଏତଲାରେ ନାଁ ଥିବା ଅନ୍ୟମାନଙ୍କୁ ଖୋଜୁଛି । ତେଣେ ଗଣମାଧ୍ୟମ ଆଗରେ କିନ୍ତୁ ଝିଅକୁ ହତ୍ୟା କଥାକୁ ଅସ୍ୱୀକାର କରିଛି ଜହ୍ଲାଦ ବାପା । ବଡ଼ ଭଉଣୀ ରଂଜିତାଙ୍କ ଏତଲା ଆଧାରରେ ପୋଲିସ କେତେଶୀଘ୍ର ମୋନାଲି ମୃତ୍ୟୁ ମାମଲାର ପର୍ଦ୍ଦାଫାସ୍ କରୁଛି, ଏବେ ତା ଉପରେ ନଜର ।