/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645626504.jpg)
Sonali Soumya
ମଡେଲ୍ ସୌମ୍ୟରଂଜନ ପାଣିଗ୍ରାହୀ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ମୃତକଙ୍କ ପରିବାରର ଅଭିଯୋଗ ଅନୁୟାୟୀ ୩ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଭୁବନେଶ୍ୱର DCPଙ୍କୁ ନିର୍ଦେଶ ଦେଇଛନ୍ତି କୋର୍ଟ । ଏଥିସହ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା, ତାହା ଅଭିଯୋଗକାରିଣୀଙ୍କୁ ଜଣାଇବା ପାଇଁ ବି ନିର୍ଦେଶ ଦେଇଛନ୍ତି ।
ଭୁବନେଶ୍ୱର ଇନ୍ଫୋସିଟି ଥାନା ଅନ୍ତର୍ଗତ କଳାରାହାଙ୍ଗ ଠାରେ ଗତ ଜାନୁଆରୀ ୩୦ରେ ସୌମ୍ୟରଂଜନ ଆତ୍ମହତ୍ୟା କରିଥିଲେ । ତେବେ ସୌମ୍ୟଙ୍କ ମୃତ୍ୟୁ ପାଇଁ ତାଙ୍କ ପ୍ରେମିକାଙ୍କୁ ଦାୟୀ କରିଥିଲେ ପରିବାର । ପୋଲିସ ସୁଇସାଇଡ୍ ନୋଟ୍ ସହିତ ସୌମ୍ୟ ବ୍ୟବହାର କରୁଥିବା ୨ଟି ଫୋନ ଜବତ କରି ତଦନ୍ତ କରୁଛି । ତେବେ ପୋଲିସର ନିରବତା ନେଇ ଗତ ଫେବ୍ରୁଆରୀ ୨ରେ ସୌମ୍ୟଙ୍କ ଭଉଣୀ ଇନ୍ଫୋସିଟି ଥାନା ଓ ପରେ ୧୯ ତାରିଖରେ ଭୁବନେଶ୍ୱର DCPଙ୍କ ଦ୍ୱାରସ୍ଥ ହୋଇଥିଲେ । ତଦନ୍ତରେ କୌଣସି ଅଗ୍ରଗତି ନହେବାରୁ ସୌମ୍ୟଙ୍କ ପରିବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ବି ହୋଇଥିଲେ ।
ମଡେଲ୍ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ଆଜି ପୂରିଛି ୨୪ ଦିନ । ଗତ ଜାନୁଆରୀ ମାସ ୩୦ ତାରିଖରେ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା । ସୌମ୍ୟଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ଦାୟୀ କରୁଥିବା ଯୁବତୀଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାର ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।
ଏନେଇ ସୌମ୍ୟଙ୍କ ଭଉଣୀ କହିଛନ୍ତି, ‘ମୋ ଭାଇ ସୁଇସାଇଡ୍ ନୋଟ୍ରେ ଲେଖିଛି ଯେ ତା ମୃତ୍ୟୁ ପଛରେ ସୋନାଲି ଦାୟୀ । ଆଜି ପର୍ଯ୍ୟନ୍ତ ପୋଲିସ୍ ଏହି ମାମଲାରେ କୌଣସି ପ୍ରକାରର ଆକ୍ସନ୍ ନେଇ ନାହିଁ । ଏମିତି କି ସୋନାଲିକୁ ଡାକି କାଉନସେଲିଂ ମଧ୍ୟ କରାଯାଇନାହିଁ । ଭାଇଙ୍କ ଫୋନ୍ରେ ଯଥେଷ୍ଟ ଏଭିଡେନ୍ସ ଥାଇ ମଧ୍ୟ ପୋଲିସ୍ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରୁନାହିଁ ।
ସେପଟେ ସୌମ୍ୟଙ୍କ ମାଆ କହିଛନ୍ତି ଯେ, ଥରେ ନୁହେଁ ଦୁଇ ଥର ଇନ୍ଫୋସିଟି ଥାନା ଓ ଡିସିପି ଅଫିସରେ ଏତଲା ଦେଇ ମଧ୍ୟ ପୋଲିସ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରି ନାହିଁ । ପ୍ରଥମତଃ ସୌମ୍ୟ ମୃତ୍ୟୁ ପୂର୍ବରୁ ସୁଇସାଇଡ୍ ନୋଟ୍ରେ ସୋନାଲିକୁ ନିଜ ମୃତ୍ୟୁ ପାଇଁ ଦାୟୀ ବୋଲି ଲେଖିଛି । ଦ୍ୱିତୀୟରେ ମୃତ୍ୟୁ ପୂର୍ବରୁ ସୌମ୍ୟ କିଛି ବଡ଼ ଷ୍ଟେପ୍ ନେବ ବୋଲି ସୋନାଲିର ମାଆକୁ କହିଛି । ହେଲେ ତାଙ୍କ ମାଆ ଏସବୁ ଜାଣିକି ମଧ୍ୟ ମୋତେ ଜଣାଇନଥିଲେ । ଯଦି ସେ ମୋତେ କହିଦେଇଥାନ୍ତେ ହୁଏତ ମୋ ପୁଅକୁ ଆଜି ମୁଁ ହରାଇନଥାନ୍ତି ।
ଉଭୟ ମାଆ ଝିଅ ଦୁଇ ଜଣ ପ୍ଲାନ୍ କରି ମୋ ପୁଅକୁ ମାରିଛନ୍ତି । ସୋନାଲି ମୋ ପୁଅକୁ ଫୋନ୍ କରି ମାନସିକ ନିର୍ଯାତନା ଦେଇଥିବାରୁ ମୋ ପୁଅ ଆତ୍ମହତ୍ୟା କରିଛି । ସୌମ୍ୟ ମୃତ୍ୟୁ ପଛରେ ସମ୍ପୂର୍ଣ୍ଣ ଭାବେ ସୋନାଲି ଓ ତା ମାଆ ହିଁ ଦାୟୀ ବୋଲି ଅଭିଯୋଗ କରିଛନ୍ତି ସୌମ୍ୟଙ୍କ ମାଆ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)