• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମଡେଲ ସୌମ୍ୟ ମୃତ୍ୟୁ ମାମଲା, ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ ତାଙ୍କ ପରିବାର ଏବେ ଧାରଣାରେ ବସିଛନ୍ତି । ସୋନାଲିକୁ ତୁରନ୍ତ ଗିରଫ କରି ତଦନ୍ତ ପରିସରଭୁକ୍ତ କରିବାକୁ ପରିବାର ଲୋକ ଦାବି କରିଛନ୍ତି । ସୌମ୍ୟଙ୍କ ପୁରା ପରିବାର ଏବେ ଡିସିପିଙ୍କ ଅଫିସ୍ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ସୋନାଲିଙ୍କ ପରିବାର ସହ ଧାରଣାରେ ବସିଥିବା ଜଣେ ମହିଲା କୋହଭରା କଣ୍ଠରେ କହିଛନ୍ତି ‘ସୋନାଲି ଗୋଟିଏ ସିଙ୍ଗର । ହେଲେ ସେ ତାର ରୂପ ବଳରେ ଗୋଟିଏ ପରେ ଗୋଟିଏ ପୁଅକୁ ଫଶାଇ ଚାଲିଛି । ପ୍ରଥମେ ଅଜୟ ପଣ୍ଡା, ତା ପରେ ସୌମ୍ୟ, ଆଉ ଏବେ ଆଉ ଗୋଟେ ପିଲା । ଯଦି ସୌମ୍ୟ ସୁଇସାଇଡ୍‌ ନୋଟ୍‌ରେ ଲେଖିଛି ସୋନାଲି ପାଇଁ ସେ ଆତ୍ମହତ୍ୟା କରୁଛି ବୋଲି । ତେବେ ପୋଲିସ ତାକୁ ତୁରନ୍ତ ଗିରଫ କରି ୩୦୬ ଦଫା ଲଗାଇବା କଥା । କିନ୍ତୁ ପୋଲିସ ତାହା କରୁନି । ସୌମ୍ୟ ଆଉ କାହା ନାଁ ନଲେଖି ସୋନାଲି ନାଁ କାହିଁକି ଲେଖିଲା ? ପୋଲିସ କ’ଣ ଜାଣିପାରୁନି ?’

‘ପୋଲିସ କ’ଣ ରିଲେସନ୍‌ସିପ୍‌ ଭିଡିଓ ଦେଖିଲେ ଯାଇ ଜାଣିବ ଯେ ସେମାନେ ରିଲେସନ୍‌ସିପ୍‌ରେ ଥିଲେ ବୋଲି ? ପୋଲିସ ସବୁ ଜାଣି ମଧ୍ୟ ଚୁପ୍‌ ବସିଛି । ଏତେ ସବୁ ହେବା ପରେ ବି ଏଯାଏଁ ସୋନାଲିକୁ ତଦନ୍ତ ପରିସରଭୁକ୍ତ କରି ନାହିଁ ପୋଲିସ କାହିଁକି ? ସୋନାଲି ଏମିତି କିଏ କି ? ଏମିତି ହେଲେ ସୌମ୍ୟକୁ କେବେ ବି ନ୍ୟାୟ ମିଳିପାରିବନି । ସୋନାଲି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଆଗକୁ ସେ ଏମିତି ଅନେକ ପୁଅଙ୍କ ଜୀବନ ନଷ୍ଟ କରିବ । ତେଣୁ ତା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।’

ନଚେତ ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବ । ଏମିତିକି ନବୀନ ନିବାସ ସମ୍ମୁଖରେ ଆତ୍ମହୂତି ଦେବାକୁ ସୌମ୍ୟଙ୍କ ପରିବାର ଲୋକ ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ, ମଡେଲ୍ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ଆଜି ପୂରିଛି ୨୨ ଦିନ । ହେଲେ ଘଟଣାରେ ପୋଲିସ୍‌ କୌଣସି ପଦକ୍ଷେପ ନେଉନଥିବାରୁ ଆଜି ସୌମ୍ୟଙ୍କ ପରିବାର ଲୋକେ ଭୁବନେଶ୍ୱର ଡିସିପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସିଛନ୍ତି । ଗତ ଜାନୁଆରୀ ମାସ ୩୦ ତାରିଖରେ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା । ସୌମ୍ୟଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ଦାୟୀ କରୁଥିବା ଯୁବତୀଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାର ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ଏନେଇ ସୌମ୍ୟଙ୍କ ଭଉଣୀ କହିଛନ୍ତି, ‘ମୋ ଭାଇ ସୁଇସାଇଡ୍‌ ନୋଟ୍‌ରେ ଲେଖିଛି ଯେ ତା ମୃତ୍ୟୁ ପାଇଁ ସୋନାଲି ଦାୟୀ । ଆଜି ପର୍ଯ୍ୟନ୍ତ ପୋଲିସ୍‌ ଏହି ମାମଲାରେ କୌଣସି ପ୍ରକାରର ଆକ୍ସନ୍‌ ନେଇ ନାହିଁ । ଏମିତି କି ସୋନାଲିକୁ ଡାକି କାଉନସେଲିଂ ମଧ୍ୟ କରାଯାଇନାହିଁ । ସେଥିପାଇଁ ଆମେ ବାଧ୍ୟ ହୋଇ ରାଜରାସ୍ତାରେ ଧାରଣାରେ ବସିଛୁ । ଭାଇଙ୍କ ଫୋନ୍‌ରେ ଯଥେଷ୍ଟ ଏଭିଡେନ୍ସ ଥାଇ ମଧ୍ୟ ପୋଲିସ୍‌ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରୁନାହିଁ । ତେଣୁ ଯେପର୍ଯ୍ୟନ୍ତ ସୋନାଲି ଧରା ହୋଇନାହିଁ ଆମେ ସେପର୍ଯ୍ୟନ୍ତ ଧାରଣାରେ ବସିବୁ’ ।