• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ପୁରୀ: ପୁଣି ଏକ ରକ୍ତରଂଜିତ ଅପରାଧକୁ ନେଇ ବଢ଼ିଲା ଆଉ ଜଣେ ବିଜେଡି ନେତାଙ୍କ ଅଡୁଆ। ପୁରୀରେ ୩ ଦିନ ଧରି ନିଖୋଜ ଥିବା ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଏବଂ ନଈ ଭିତରୁ ମୃତଦେହ ଉଦ୍ଧାରକୁ ନେଇ ତେଜିଛି ବିବାଦ। କୁହାଯାଉଛି, ମୃତ ଯୁବକ ବରିଷ୍ଠ ବିଜେଡି ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ। ତେଣୁ ଏହାକୁ ସୁପରିକଳ୍ପିତ ହତ୍ୟାକାଣ୍ଡ ଏବଂ ଏଥିରେ ଦାସବର୍ମାଙ୍କ ସଂପୃକ୍ତି ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ। ତେବେ ପୋଲିସ ଏନେଇ ଏକ ମାମଲା ରୁଜୁ ସହ ୩ ଜଣଙ୍କୁ ଧରି ପଚରାଉଚରା କରୁଛି। ସଞ୍ଜୟ ଦାସବର୍ମା କହିଛନ୍ତି, ସମସ୍ତ ଘଟଣା ତଦନ୍ତ ପରେ ସ୍ପଷ୍ଟ ହେବ।

ଭାସିଗଲା ସଂସାର। ପତ୍ନୀ ମଥାରୁ ଲିଭିଗଲା ସିିନ୍ଦୂର। ବଳ ବୟସ ନଥିବା ଘରର ମୂରବୀ ବା ଆଉ ସମ୍ଭାଳିବ କେମିତି। କାରଣ ଘରସଂସାର କରି ପରିବାର ପେଟକୁ ଦିମୁଠା ଦାନା ଯୋଗାଉଥିବା ପୁଅ ଆଉ ନାହିଁ। ନିଖୋଜ ଅବସ୍ଥାରେ ପୁଅକୁ ନେଇ ଗତ ଶନିବାରଠୁ ଘାଣ୍ଟିଚକଟି ହେଉଥିଲେ ସମସ୍ତେ। ଆଜି ରାତି ପାହିଲାବେଳକୁ ମିଳିଛି ମୃତଦେହ। ବ୍ରହ୍ମଗିରି ବ୍ଲକ ସାନବନ୍ଧକେରା ଗାଁର ଚିତ୍ତରଞ୍ଜନ ପଲାଇଙ୍କ ମୃତଦେହ ମିଳିଛି ପୁରୀ ସଦର ଥାନା ନୂଆନଈରୁ। ଶନିବାର ରାତିରେ ପୁରୀ ମାଟିଆପଡ଼ା ଅଞ୍ଚଳର ଜଗନ୍ନାଥ ଷଡ଼ଙ୍ଗୀ ଓରଫ ଜଗା ଘରେ ଆୟୋଜିତ ହୋଇଥିଲା ଭୋଜି। ସେଠାକୁ ଯାଇଥିଲେ ଚିତ୍ତରଂଜନ। କିନ୍ତୁ ଘରକୁ ଆଉ ଫେରିଲେନି। ମୋବାଇଲ୍ ହୋଇଯାଇଥିଲା ସୁଇଚ୍ ଅଫ। ରବିବାର ଯାଏଁ କୌଣସି ପତ୍ତା ନମିଳିବାରୁ ସଦର ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ। କିନ୍ତୁ ଦୁର୍ଭାଗ୍ୟ, ସେହି ଖୋଳତାଡ଼ ଭିତରେ ନୂଆନଈରୁ ଆଜି ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ଟିମ୍।

ପୋଲିସର କହିବା କଥା, ଶନିବାର ରାତିରେ ଭୋଜି ଚାଲିଥିବାବେଳେ ଜଗା ଓ ଚିତ୍ତ ବାହାରିିଥିଲେ ବାଇକ୍‌ରେ। ଭୋଜିସ୍ଥଳରୁ ପ୍ରାୟ ୨୦ କିଲୋମିଟର ଦୂର ଯିବା ପରେ ଛିଟିକି ପଡ଼ିଥିଲା ବାଇକ୍। ଘଟଣାସ୍ଥଳରେ ଅକ୍ଷତ ଅବସ୍ଥାରେ ଚେତାଶୂନ୍ୟ ଥିଲେ ଜଗା। ରକ୍ତଛିଟା ବି ପଡ଼ିଥିଲା। ଘଟଣାସ୍ଥଳରେ ଘୋଷରା ଯାଇଥିବା ଚିହ୍ନ ବି ବାରି ହେଉଥିଲା। ଖବରପାଇ ପୋଲିସ ପହଞ୍ଚି ଜଗାଙ୍କୁ ଉଦ୍ଧାର କରିଥିଲା ସତ, ହେଲେ ପାଖରେ ନଥିଲେ ଚିତ୍ତରଂଜନ। ହୋସ୍ ଆସିବା ପରେ ଜଗା ସେ କିଛି ଜାଣିନଥିବା ପୋଲିସକୁ କହିଛନ୍ତି।

ଏଠି ପ୍ରଶ୍ନ, ବାଇକ୍‌ରେ କାହିଁକି ଏବଂ କୁଆଡ଼େ ଯାଉଥିଲେ ଜଗା ଓ ଚିତ୍ତ ? ଯଦି ଏହା ଦୁର୍ଘଟଣା ତେବେ ନଈରୁ ଚିତ୍ତଙ୍କ ମୃତଦେହ ମିଳିବା ପଛର କାରଣ କଣ ? ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିବାକୁ ଯାଇ ଦୁର୍ଘଟଣାର ରୂପ ଦିଆଯାଉନି ତ ? କାରଣ ଚିତ୍ତ ଓ ଜଗା ହେଉଛନ୍ତି, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ। ପରିବାର ଲୋକଙ୍କ କହିବା କଥା, ଟଙ୍କା କାରବାରକୁ ନେଇ ପୂର୍ବରୁ ଉଭୟଙ୍କ ମଧ୍ୟରେ ହୋଇଥିଲା ଉଚବାଚ। ଏ ସଂପର୍କରେ ଦାସବର୍ମା ମଧ୍ୟ ଅବଗତ ଅଛନ୍ତି।

 

ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକ ହେବା ପାଇଁ ଚିତ୍ତ ସମେତ ଏକାଧିକ ଆଶାୟୀଙ୍କ ଭିତରେ ଅନ୍ତଃକନ୍ଦଳ ଉଠୁଥିଲା ବୋଲି ବି ଚର୍ଚ୍ଚା ହେଉଛି। ତେବେ ଏସବୁ କାରଣରୁ ଚିତ୍ତଙ୍କୁ ରାସ୍ତାରୁ ହଟାଇ ଦିଆଯାଇନି ତ ? ଘଟଣା ସମ୍ପର୍କରେ ଯଦି ଦାସବର୍ମା ଜାଣିଥିଲେ, ତେବେ କାହିଁକି ଏହି ବିବାଦକୁ ତୁଟାଇ ନଥିଲେ? ଏବେ ଏଭଳି ପ୍ରଶ୍ନ ଉଠୁଥିବାବେଳେ ସଞ୍ଜୟ ଦାସବର୍ମାଙ୍କ ଆଡ଼କୁ ସିଧାସଳଖ ଅଙ୍ଗୁଳି ଉଠାଇଛନ୍ତି ଚିତ୍ତଙ୍କ ପରିବାର ଲୋକେ। ସେପଟେ ପୋଲିସ ଏହି ମାମଲାରେ ଶାସନ ଦାମୋଦରପୁର ଗାଁର ଜଗା ଏବଂ ଅନ୍ୟ ୨ ଜଣଙ୍କୁ ଧରି ପଚରାଉଚରା କରୁଛି। 

ତେଣେ ସଞ୍ଜୟ ଦାସବର୍ମା କହିଛନ୍ତି, ସମସ୍ତ ଘଟଣାର ନିରପେକ୍ଷ ତଦନ୍ତ ପରେ ସତ ସବୁ ସାମ୍ନାକୁ ଆସିବ। ଉଚ୍ଚସ୍ତରୀୟ କମିଟି ଗଠନ କରି ତଦନ୍ତ ପାଇଁ ପୁରୀ ଏସପିଙ୍କୁ ନିବେଦନ କରିଛି। ସେପଟେ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, ଏହାର ନିରପେକ୍ଷ ତଦନ୍ତ ଦରକାର।   

ରିପୋର୍ଟ: ମଧୁସୂଦନ ମିଶ୍ର ଓ ପ୍ରଦୀପ ମହାନ୍ତି