କିଡ୍‌ନାପ୍‌ ହୋଇଥିଲା ଅମ୍ରିତ୍‌ ! ପୋଲିସ କଲା ଖୁଲାସା..

ନୟାଗଡ଼ର ନାବାଳକ ଅମ୍ରିତ୍ ଅପହରଣର ଫିଟିବ ଗୁମର ? ବାପାଙ୍କଠୁ ଟଙ୍କା ପାଇଁ ୩ ମୁଖାପିନ୍ଧା ଦୁର୍ବୃତ୍ତଙ୍କ କିଡ୍‌ନାପ୍ ଆଶଙ୍କା।

Amrit Kidnapped

୫ ଦିନର ଅପରେସନ୍ । ୧୨୦ ଘଣ୍ଟା ଧରି ବଛା ବଛା ୧୨ ପୋଲିସ କର୍ମଚାରୀଙ୍କ ଦ୍ୱାରା ଛାନ୍‌ଭିନ୍ । ପ୍ରାୟ ୫ଶହ କିଲୋମିଟର ବ୍ୟାପି ସର୍ଚ୍ଚ ଅପରେସନ୍ । ଖୋଜିଥିଲା ଡଗ୍ ସ୍କ୍ୱାର୍ଡ । ହେଲେ ନା କେହି ପତ୍ତା ପାଇଥିଲେ ନା କାହା ହାତରେ ଲାଗିଥିଲା ସୁରାଗ । ଶେଷରେ ରହସ୍ୟଜନକ ଭାବେ ଉଦ୍ଧାର ହୋଇଛି ନୟାଗଡ଼ ଓଡ଼ଗାଁ ସ୍ଥିତ କୁରାଳ ନେଳିଆ ସାହିର ସେହି ୧୨ ବର୍ଷିୟ ପୁଅ ଅମ୍ରିତ ପାତ୍ର ।

ଯେଉଁ ପୁଅ ବିହୁନେ ଅନବରତ ଲୁହ ଝରାଉଥିଲେ ମା, ବାପା, ଜେଜେ ବାପା ଓ ପରିବାର, ସେହି ପୁଅ ମିଳିବା ପରେ ଏବେ ଖୁସିରେ ବିଭୋର ସମସ୍ତେ । ଥାନାରେ ବାପା କାଳିଆ ପାତ୍ର ବାଣ୍ଟୁଛନ୍ତି ରସଗୋଲା, କୁଣ୍ଢେମୋଟ ମାଆର ମନ । ଜେଜେ ମୁହଁରେ ସୀମାହୀନ ଖୁସି । ଯେଉଁ ଗାଁରୁ କିଡ୍‌ନ୍ୟାପ୍ ହୋଇଥିଲା ଅମ୍ରିତ, ସେହି ଗାଁର ପଣ୍ଡିତ ସାହିରୁ ଠାବ କରାଯାଇଛି ଅମ୍ରିତକୁ । ଅମ୍ରିତ ମିଳିବା ପରେ ସତେଯେମିତି ସାରା ସଂସାରର ଖୁସି ଅଜାଡ଼ି ହୋଇଯାଇଛି ତାଙ୍କ ପରିବାର ଉପରେ ।

ସମୟ ସକାଳ ପ୍ରାୟ ୮ଟା । ନେଳିଆସାହିଠୁ ମାତ୍ର ୧ କିଲୋମିଟର ଦୂର ପଣ୍ଡିତସାହିର ଘର ସାମ୍ନାକୁ କାବେରୀ ଦୋରା ନାମକ ମହିଳା ଜଣକ ଟ୍ୟାପ୍‌ରୁ ପାଣି ଆଣିବାକୁ ଯାଇଥିଲେ । ଠିକ୍ ଏତିକି ବେଳେ ଶୁଣିବାକୁ ପାଇଥିଲେ ନିରୀହ ଅମ୍ରିତ ପାତ୍ରର ଡାକ । ବାସ୍, ତାପରେ ଆଖପାଖରେ ଥିବା ସମସ୍ତ ଲୋକ ଦୌଡ଼ି ଆସିଥିଲେ । ଆଉ ସ୍ଥାନୀୟ ସରପଞ୍ଚ ସମେତ ପୋଲିସକୁ ଖବର ଦେଇଥିଲେ । ସେତିକିବେଳକୁ ଅମ୍ରିତ ଦୁର୍ବଳ ଦେଖାଯିବା ସହ ଭୟଭୀତ ଅବସ୍ଥାରେ ଥିଲା । ପୋଲିସ ପହଞ୍ଚି ଅମ୍ରିତକୁ ତୁରନ୍ତ ଉଦ୍ଧାର କରି ନୟାଗଡ଼ ମେଡ଼ିକାଲ୍‌କୁ ନେଇଥିଲା ।

ଡିସେମ୍ବର ୧୫ ତାରିଖ । ସମୟ ସଂଧ୍ୟା ପ୍ରାୟ ୭ଟା । ଟ୍ୟୁସନ୍ ସାରି ସାଇକେଲ୍‌ରେ ଫେରିବା ବେଳେ ଘରଠୁ ମାତ୍ର ୫୦ ଫୁଟ୍ ଦୂରରୁ କିଡନ୍ୟାପ୍ କରାଯାଇଥିଲା ଅମ୍ରିତକୁ । ପୋଲିସର ସୂଚନା ଅନୁଯାୟୀ, ଅମ୍ରିତକୁ ୩ ମୁଖାପିନ୍ଧା ଦୁର୍ବୃତ୍ତ ଏକ ପିକ୍ଅପ୍ ଭ୍ୟାନ୍‌ରେ ବସାଇ ନେଇଥିଲେ । ତାପରେ ଆଖିରେ ପଟି ବାନ୍ଧିବା ସହ ଅମ୍ରିତକୁ ଧରି କୁରାଳ ଆଖପାଖରେ ବୁଲିଥିଲେ ଦୁର୍ବୃତ୍ତ । ଧମକ ଚମକ ବି ଦେଉଥିଲେ । କିଛି ସମୟ ପରେ ସଟର୍ ଖୋଲା ସାଉଣ୍ଡ ଶୁଣିଥିଲା ଅମ୍ରିତ । ତାହାରି ଭିତରେ ଛାଡ଼ିଦେଇଥିଲେ ଅମ୍ରିତକୁ ।

ଅଧିକ ପଢ଼ନ୍ତୁ: ‘ବନ୍ଦ ଘର ଭିତରେ ହାତ, ଗୋଡ଼ ବାନ୍ଧି ଅମ୍ରିତ୍‌ଙ୍କୁ ରଖିଥିଲେ’

ଅମ୍ରିତକୁ ସେହି ଘରେ ରଖିବା ସହ ଖାଇବାକୁ ଦେଉଥିଲେ ପକୋଡ଼ି, ବିସ୍କୁଟ୍ ଓ ପାଣି । ୫ ଦିନ କାଳ ସେହି ଗୋଟିଏ ଘରେ ହିଁ ଛାଡ଼ିଦେଇଥିଲେ । ସେହି ଘରୁ ଆଜି ଉଦ୍ଧାର ହୋଇଛି ଅମ୍ରିିତ । ସେହି ଘରର ମାଲିକ ପଞ୍ଜାବରେ ରହୁଥିବାବେଳେ ଘର ପ୍ରାୟ ସମୟରେ ଖୋଲାଥାଏ । ଜଣେ ବ୍ୟକ୍ତି ଏହାକୁ ଗୋଦାମ ଭାବେ ବ୍ୟବହାର କରନ୍ତି । ଚର୍ଚ୍ଚା ହେଉଛି, ଅମ୍ରିତର ବାପାଙ୍କଠୁ ଟଙ୍କା ଆଦାୟ ଆଶାରେ ଅମ୍ରିତକୁ କିଡ୍‌ନ୍ୟାପ୍ କରିଥିଲେ ୩ ଜଣ । ଅମ୍ରିତକୁ ପୋଲିସ ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର କରିଛି । ଚାଇଲ୍ଡ ଲାଇନ୍ ଅମ୍ରିତଠୁ ସବୁ ତଥ୍ୟ କାଢ଼ିବ । ତେଣେ ଅମ୍ରିତ ଉଦ୍ଧାର ହୋଇଥିବା ଘରର ୨ଜଣ କେୟାର ଟେକରଙ୍କୁ ଥାନାକୁ ଆଣି ପୋଲିସ ପଚରାଉଚରା କରୁଛି ।