/odishatv-khabar/media/post_attachments/uploadimage/library/16_9/16_9_0/Mundali_1661870875.jpg)
Mundali
ସକାଳ ପ୍ରାୟ ୬ଟା । ମହାନଦୀ ମୁଣ୍ଡଳି ବ୍ରିଜ୍ ଉପରେ ଥୁଆ ହୋଇଥିଲା ସ୍କୁଟି, ହେଲମେଟ୍ ଆଉ ଚପଲ । ଏସବୁ ଲୋକଙ୍କ ନଜରରେ ପଡିବା କ୍ଷଣି ସନ୍ଦେହ ଦୃଢିଭୁତ ହୋଇଥିଲା, ବୋଧ ହୁଏ କେହି ନଈକୁ ଡେଇଁ ପଡିଛି । ଘଟଣାକୁ ନେଇ ହୁରି ପଡିଯାଇଥିଲା । ଆଉ କିଛି ସମୟ ଭିତରେ ବ୍ରିଜ୍ ଉପରେ ପହଞ୍ଚିଥିଲେ ପୋଲିସ ଓ ଅଗ୍ନିଶମ ଟିମ୍ । ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ ।
ପାଣି ଭିତରେ ବୋଟ୍ ଜରିଆରେ ଖୋଜାଖୋଜି ଚାଲିଲା । ୨ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିରାଶ ହୋଥିଲା ଅଗ୍ନିଶମ ଟିମ୍ । ତେଣେ ନମ୍ବର ପ୍ଲେଟ୍ ଜରିଆରେ ଗାଡି କାହା ନାଁରେ ଅଛି ଖୋଳତାଡ଼ ଆରମ୍ଭ କରିଥିଲା ପୋଲିସ ।
ରେଜିଷ୍ଟ୍ରେସନ ପ୍ଲେଟ୍ରୁ ଗାଡ଼ିଟି ଅନୁଗୁଳ ଶିମିଳିପଡ଼ା ରଘୁରଞ୍ଜନ ମହାକୁଡଙ୍କର ବୋଲି ଜଣାପଡିଥିଲା । ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ରେ ଥିବା ଠିକଣା ଜରିଆରେ ପୋଲିସ୍ ରଘୁରଂଜନଙ୍କ ପରିବାର ସହ ଯୋଗାଯୋଗ କରିଥିଲା । ସେମାନଙ୍କଠୁ ନମ୍ବର ନେଇ ପରେ ରଘୁରଂଜନଙ୍କୁ ଫୋନ କରିବାରୁ ସେ ଭୁବନେଶ୍ୱର ବରମୁଣ୍ଡାରେ ଥିବା କହିଥିଲେ । ଏହା ପରେ ରଘୁରଂଜନଙ୍କୁ ଥାନାକୁ ଡକାଇ ବ୍ରିଜ୍ ଉପରେ ଗାଡି ଥୋଇ ହଟଚମଟ ସୃଷ୍ଟି କରିବାର ଉଦ୍ଦେଶ୍ୟ ଉଗୁଳାଇଥିଲା ପୋଲିସ ।
ରଘୁରଞ୍ଜନଙ୍କ କହିବା ଅନୁସାରେ ସୋମବାର ପରିବାର ସହ ଝଗଡା କରି ସେ ସ୍କୁଟିରେ ଘରୁ ବାହାରି ଆସିଥିଲେ । ଅନୁଗୁଳରୁ ଭୁବନେଶ୍ୱର ଯିବା ବେଳେ ମୁଣ୍ଡଳି ବ୍ରିଜ୍ ଉପରେ କିଛି ସମୟ ବସିଥିଲେ । ଗାଡି ଖରାପ ହୋଇଯିବାରୁ ସେଠାରେ ରଖି ଦେଇ ଟ୍ରକ୍ରେ ଭୁବନେଶ୍ୱର ପଳାଇଥିଲେ । ରାତି ପାହିବା ପରେ ଏତେ ସବୁ ଘଟିଯାଇଥିବା ସେ କହିଛନ୍ତି ।
ଏଠି ପ୍ରଶ୍ନ, ସତ କହୁଛନ୍ତି ତ ରଘୁରଞ୍ଜନ ? ବ୍ରିଜ୍ ଉପରେ ଗାଡି ଖରାପ ହେବା ଥିଓରି କେତେ ସତ ? ଯଦି ଗାଡି ଖରାପ ହୋଇଥିଲା ଦିନ ୧୨ଟା ଯାଏଁ ନେବାକୁ ଆସିନଥିଲେ କାହିଁକି ? ସ୍କୁଟିରେ ଥିବା ଚପଲ ତାଙ୍କର ନୁହେଁ ଯୁକ୍ତି କେତେ ଗ୍ରହଣୀୟ ? ନା ପରିବାର ସହ ଝଗଡ଼ା କାରଣରୁ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇଥିଲେ ଓ ପରେ ମନ ବଦଳାଇଥିଲେ ? ପରିବାର ଲୋକଙ୍କୁ ଡରାଇବା ଉଦ୍ଦେଶ୍ୟରେ ଏମିତି ଗେମ୍ ଖେଳିନାହାନ୍ତି ତ ରଘୁରଂଜନ ? ତାକୁ ନେଇ ଏବେ ଚର୍ଚ୍ଚା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)