• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜଧାନୀରେ ପୁଣି ମାତିଲେ ମଣ୍ଡପ ଚୋର । ବିବାହ ଉତ୍ସବରେ ବରଯାତ୍ରୀ ବେଶରେ ଆସି ୯ ଲକ୍ଷରୁ ଅଧିକ ଟଙ୍କା ଓ ଅଳଙ୍କାର ଚୋରି କରିଛନ୍ତି ବଡେ ମିଆଁ-ଛୋଟେ ମିଆଁ ଗ୍ୟାଙ୍ଗ । ଚାହୁଁ ଚାହୁଁ ମାତ୍ର କେଇ ସେକେଣ୍ଡ ଭିତରେ ଆଖି ସାମ୍ନାରୁ ଅଳଙ୍କାର ଓ ଟଙ୍କା ଭର୍ତ୍ତି ବ୍ୟାଗକୁ ଗାଏବ କରିଛି ନାବାଳକ ଚୋର । ୨୦୨୨ରେ ବି ସମାନ ଢଙ୍ଗରେ ଏଭଳି ଏକ ଘଟଣା ଘଟିଥିଲା ।ଏହି ଗ୍ୟାଙ୍ଗକୁ ଧରିବା ଏବେ କମିଶନରେଟ୍ ପୋଲିସ୍ ପାଇଁ ପାଲଟିଛି ବଡ଼ ଚ୍ୟାଲେଞ୍ଜ ।

୪ ସେକେଣ୍ଡରେ ୯ ଲକ୍ଷ ଟଙ୍କାର ଗହଣା ଓ ଟଙ୍କା ଗାଏବ । ଆଖି ବୁଲାଇଲା ବେଳକୁ ବ୍ୟାଗ୍ ଧରି ଛୁ’। କୁନି ହାତରେ ବଡ଼ କାରନାମା । ବାହାଘର ଚାଲିଛି, ମହିଳା ଜଣକ ମଣ୍ଡପ ପାଖକୁ ଯାଉଛନ୍ତି, ବାସ୍ ଏହି କିଛି ସେକେଣ୍ଡ ଭିତରେ ପଛରେ ବସିଥିବା ଜଣେ ନାବାଳକ ବ୍ୟାଗ୍ ଧରି ବେଶ୍ ଚାଲାକର ସହ ସେଠୁ ଚମ୍ପଟ ମାରୁଛନ୍ତି ।

ମୁଣ୍ଡରେ ଟୋପି, ସୁଟ୍ ବୁଟ୍ ପିନ୍ଧି ଏକଦମ୍ ବରଯାତ୍ରୀ ବେଶରେ । ନା କେହି ଜାଣିପାରିଲା, ନା କେହି ସନ୍ଦେହ କଲା । ଚାହୁଁ ଚାହୁଁ ସେଠୁ ଫେରାର ମାରିଲା ଏହି ନାବାଳକ ଚୋର । ନାବାଳକକୁ ଏସବୁ କରିବାକୁ ଇସାରା ଦେଉଛନ୍ତି ରିଙ୍ଗ ମାଷ୍ଟର୍ । ସିସିଟିଭିରେ କଏଦ ହୋଇଥିବା ଏହି ଚୋରି ଏବେ କମିଶନରେଟ୍ ପୋଲିସର ନିଦ ହଜାଇ ଦେଇଛି ।

ଘଟଣା ଗତ ୭ ତାରିଖ ରାତିର...କଟକ-ପୁରୀ ବାଇପାସରେ ଥିବା ଏକ ବିବାହ ମଣ୍ଡପରେ ଭୁବନେଶ୍ୱର ମହର୍ଷି ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ସୁଶ୍ରୀରେଖା ମହାନ୍ତିଙ୍କ ଝିଅ ବାହାଘର ଥିଲା । ଅତିଥି ଉପହାର ଦେଇଥିବା ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ପ୍ରାୟ ୪ ଲକ୍ଷ ଟଙ୍କା କ୍ୟାସ୍ ଥିଲା ଏହି ବ୍ୟାଗରେ । ଆଉ ଏହାକୁ ଦୂରରୁ ଦେଖି ପ୍ରସ୍ତୁତ ହୋଇଥିଲା ଗେମ୍ ପ୍ଲାନ୍ ।

ଛୋଟେ ମିଆଁ ଆଉ ବଡେ ମିଆଁ (ସିସିଟିଭି) ଗ୍ୟାଙ୍ଗ୍ କିଛି ଘଣ୍ଟା ପୂର୍ବରୁ ଆସି ରେକି କରି ନେଇଥିଲେ । ମଣ୍ଡପର ଆଗ, ପଛ ସବୁ ମାପଚୁପ୍ ବି ସରିଥିଲା । ବ୍ୟାଗ୍ ଧରି କାହାକୁ କିଛି ନକହି ଆଗ ନାବାଳକ ଓ ପଛରେ ମାଷ୍ଟରମାଇଣ୍ଡ ମଣ୍ଡପରୁ ଫେରାର ମାରିଥିଲା । ବ୍ୟାଗ୍ ଧରି ବଡ଼େ ମିଆଁ ବାହାରକୁ ବାହାରିବା ବେଳେ ଛୋଟେ ମିଆଁ କାନ୍ଥ ଆରପଟକୁ ଡେଇଁ ଚାଲି ଯାଇଥିଲା ।

ତେବେ ୟେ ପ୍ରଥମ ଘଟଣା ନୁହେଁ, ଏହାପୂର୍ବରୁ ବି ଭୁବନେଶ୍ୱରରେ ସମାନ ଧରଣର ଚୋରି ଘଟିଛି । ୨୦୨୨ ଜାନୁଆରୀ ମାସରେ ସେଇ କଟକ-ପୁରୀ ବାଇପାସ୍ ରୋଡ୍ ର ଏକ ବିବାହ ମଣ୍ଡପରେ ଶତାଧିକ ଲୋକଙ୍କ ଆଖି ସାମ୍ନାରୁ ନାବାଳକ ଚୋର ଓ ତା ସହ ମାଷ୍ଟରମାଇଣ୍ଡ୍ ସୁନା ଅଳଙ୍କାର ଥିବା ବ୍ୟାଗ୍ ଧରି ଚମ୍ପଟ ମାରିଥିଲେ ।

ଏମାନଙ୍କ ସୁରାକ୍ ମିଳିନଥିବା ବେଳେ ପୁଣି ଦୁଇ ବର୍ଷ ପରେ ସମାନ ଢଙ୍ଗର ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଦୁଇ ବର୍ଷ ତଳର ଚୋର ଆଉ ବର୍ତ୍ତମାନର ଅଭିଯୁକ୍ତ ସମାନ କି? କେମିତି ବେଫିକର୍ ଭାବେ ଚୋରି କଲେ ଏମାନେ? ମଣ୍ଡପର ପୁରା ନକ୍ସା ଜାଣିଲେ କେମିତି? ଏ ଦୁଇଟି ଘଟଣାରୁ ଗୋଟିଏ କଥା ସ୍ପଷ୍ଟ ଯେ, ବାହାଘର ଭିଡ଼ର ଫାଇଦା ଉଠାଉଛନ୍ତି ଅଭିଯୁକ୍ତମାନେ । ତେଣୁ ମୂଲ୍ୟବାନ ସାମଗ୍ରୀ ରଖିବା ପାଇଁ କିଛିଟା ସତର୍କ ହେବାକୁ ପଡ଼ିବ ।

ଜଣେ ବ୍ୟକ୍ତି ନିଜ ପାଖରେ ଏତେ ଟଙ୍କା ନରଖି ଅନ୍ୟ କେହି ବିଶ୍ୱସ୍ତଙ୍କୁ ନିୟୋଜିତ କଲେ, ସବୁ ଉପହାର ଶେଷ ଯାଏଁ ମଣ୍ଡପରେ ନରଖି ମଝିରେ ମଝିରେ ସେସବୁକୁ ସୁରକ୍ଷିତ ସ୍ଥାନକୁ ନେଇଯିବା ଜରୁରୀ । ତାସହ ଟଙ୍କା ଥିବା ବ୍ୟାଗକୁ ଏଣେତେଣେ ଯଦି ନରଖିବେ, ତାହେଲେ ଏଭଳି ଚୋରିକୁ ଏଡ଼ା ଯାଇପାରିବ ।

  • Reported by:
  • CHANDAN PAIKRAY