ପାର୍ବଣରେ କଡ଼ା ସୁରକ୍ଷାର କଥା କହୁଥିବା କମିଶନରେଟ୍ ପୋଲିସକୁ ଲୁଟେରାଙ୍କ ଖୋଲା ଚାଲେଞ୍ଜ। ରାତି କଥା ଛାଡ଼ନ୍ତୁ, ଦିନରେ ସୁରକ୍ଷା ବଳୟକୁ ଚକମା ଦେଇ ମହିଳା ଭକ୍ତଙ୍କ ବେକରୁ ଲେଡି ଲୁଟେରା ଝାମ୍ପିନେଲେ ସୁନା ଚେନ୍। ଜଣେ କି ଦି’ଜଣ ନୁହଁନ୍ତି, ୪ ଜଣ ମହିଳା ଶ୍ରଦ୍ଧାଳୁଙ୍କ ଠାରୁ ୧୦ ଭରି ଓଜନର ଚାରି-ଚାରିଟି ସୁନା ଚେନ୍ ଲୁଟି ଲୁଟେରା ଚମ୍ପଟ ମାରିଛନ୍ତି। ଆଗକୁ ପୁଣି ଦଶହରା ଥିବାବେଳେ ଏଭଳି ଲୁଟେରାଙ୍କୁ ଚେକ୍ ଦେଇପାରିବ ତ କମିଶନରେଟ୍ ପୋଲିସ ? ଏବେ ଏଭଳି ପ୍ରଶ୍ନ ଉଠିଛି।
ସୁରକ୍ଷା ବ୍ୟବସ୍ଥାକୁ ନେଇ ପୂଜା ଆରମ୍ଭରୁ ଝୁଣ୍ଟିଲାଣି କି କମିଶନରେଟ ପୋଲିସ୍ ? ଡାଳେ ଡାଳେ ଯାଉଥିବା ପୋଲିସକୁ ପତ୍ରେ ପତ୍ରେ ଯାଇ ଚାଲେଞ୍ଜ ଦେଉଛନ୍ତି କି ଲୁଟେରା ? କାରଣ ରାତି ତ ରାତି, ପାର୍ବଣର ଭିଡ଼ ଭିତରେ ଦିନରେ ବି ଦୁର୍ବୃତ୍ତ ଲୁଟିଲେଣି ଗହଣା ଗାଣ୍ଠି । ମହିଳାଙ୍କ ବେକରୁ ମହିଳା ଲୁଟେରା ଝାମ୍ପି ନେଲେଣି ଅଳଙ୍କାର। ଏ ହେଉଛନ୍ତି ରାଜଧାନୀର ଲିଲି ଦାସ। ତାଙ୍କ ଅଭିଯୋଗ, ଆଜି ସକାଳ ପ୍ରାୟ ୧୦ଟା ୧୫ରେ ବମିଖାଲ ପୂଜାମଣ୍ଡପକୁ ଯାଇଥିଲେ ମା’ଙ୍କ ଦର୍ଶନ ପାଇଁ। ମଣ୍ଡପରେ ୧୦ ମିନିଟ୍ ରହିଛନ୍ତି କି ନାହିଁ, ବେକରୁ ଗାଏବ ହୋଇଗଲା ୫ ଭରିର ସୁନା ହାର। ମଣ୍ଡପରେ ଯେଉଁ ଦିଗରେ ଲାଗିଛି ସିସିଟିଭି, ସେହି ସିସିଟିଭିର ଫୁଟେଜ ବି ଦେଖିଲେ। ହେଲେ କିଛି ଥଳକୂଳ ନପାଇବାରୁ ଶେଷରେ କାନ ମୁଣ୍ଡା ଆଉଁସି ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ଲିଲି।
Also Read
କେବଳ ଲିଲି ନୁହଁନ୍ତି, ସେହି ଏକା ସମୟରେ ଏକାସଙ୍ଗେ ୪ ମହିଳା ଭକ୍ତଙ୍କ ବେକରୁ ଲୁଟେରା ଝାମ୍ପି ନେଇଛନ୍ତି ସୁନା ଚେନ୍ । କାହାର ଦେଢ଼ ଭରି ତ ଆଉ କାହାର ୨ ଭରି ଓଜନର ଚେନ୍। ୧୦ରୁ ୧୫ ମିନିଟ୍ ଭିତରେ ଲେଡି ଲୁଟେରାଙ୍କ ହାତକୁ ଚାଲିଯାଇଛି ପ୍ରାୟ ୧୦ ଭରି ସୁନା ଚେନ୍। ବମିଖାଲ ପୂଜା କମିଟିର କହିବା କଥା, ପୂର୍ବରୁ ମହିଳା ଲୁଟେରା ଗ୍ୟାଙ୍ଗ ସକ୍ରିୟା ହେବାର ଆଶଙ୍କା ଦର୍ଶାଇ ପୋଲିସକୁ ଅବଗତ କରିଥିଲୁ। ଏହାସତ୍ତ୍ୱେ ମହିଳା ସୁରକ୍ଷାକର୍ମୀଙ୍କୁ ପୋଲିସ ନିୟୋଜିତ କରିନଥିବାରୁ ଲୁଟେରା ଏହାର ଫାଇଦା ଉଠାଇଛନ୍ତି।
ଏ ଚିତ୍ର ପୂଜା ପୂର୍ବର। ପୂଜାବେଳେ ଭକ୍ତଙ୍କ ଠାରୁ ଆରମ୍ଭ କରି ମଣ୍ଡପ ଯାଏଁ କେମିତି ସୁରକ୍ଷା ଦିଆଯିବ, ସେନେଇ ବ୍ଲୁ ପ୍ରିଣ୍ଟ ତିଆରି କରିଥିଲା କମିଶନରେଟ୍ ପୋଲିସ। ସୁରକ୍ଷା ଦାୟିତ୍ୱରେ ରାଜଧାନୀରେ ୩୧ ପ୍ଲାଟୁନ ଫୋର୍ସ ସହିତ ୧୨ ଅତିରିକ୍ତ ଡିସିପି, ୨୩ ଏସିପି ଏବଂ ୪୧ ଇନିସପେକ୍ଟରଙ୍କୁ ମୁତୟନ କରିବାକୁ କମିଶନରେଟ୍ ପୋଲିସ ନିଷ୍ପତ୍ତି ନେଇଥିଲା। କିନ୍ତୁ, ସବୁ ସୁରକ୍ଷା ବଳୟକୁ ଭେଦ କରି ଆଜି ମଣ୍ଡପ ଭିତରେ ପଶିବା ସହ ମହିଳା ଭକ୍ତଙ୍କୁ ଲେଡି ଲୁଟେରା ଲୁଟପାଟ୍ କରିଥିବା ଅଭିଯୋଗ ହୋଇଛି।
ପୋଲିସ କହିଛି, ଆମେ ସିସିଟିଭି ଫୁଟେଜ୍ ଆଧାରରେ ଲୁଟେରାଙ୍କୁ ଚିହ୍ନଟ ଉଦ୍ୟମ କରୁଛୁ। କିଛି ସନ୍ଦିଗ୍ଦଙ୍କୁ ବି ଧରିଛୁ। ଆଜି ରବିବାର ସାଙ୍ଗକୁ ମହାଷ୍ଟମୀ। ଦଶହରା ଆଉ ୨ ଦିନ ବାକି ବି ଅଛି। ଏଭଳି ସ୍ଥିତିରେ ଲୁଟେରାଙ୍କୁ କେମିତି ଚେକ୍ ଦେବ ପୋଲିସ ? ଜନସମୁଦ୍ର ଭିତରେ ଘଟୁଥିବା ଲୁଟତରାଜକୁ ରୋକିବା ପାଇଁ କ’ଣ ସିସିଟିଭି ହିଁ ଯଥେଷ୍ଟ ? ଗୋଟିଏ ପଟେ ଏଭଳି ପ୍ରଶ୍ନସବୁ ଛିଡ଼ା ହୋଇଥିବାବେଳେ ପୂଜା ଗହଳି ଭିତରେ ଶ୍ରଦ୍ଧାଳୁ ବି ସତର୍କ ରହିବା ଜରୁରୀ।
- Reported by:
- CHANDAN PAIKRAY