ରାଜଧାନୀ ଭୁବନେଶ୍ବରରେ ପୁଣି ମାତିଲେ ଲୁଟେରା । ଟଙ୍କା ସହ ତାଡ଼ି ନେଇଗଲେ ATM । ଲିଙ୍ଗରାଜ ଥାନା ଅଞ୍ଚଳରେ ଥିବା ଶ୍ରୀରାମନଗର ସ୍ଥିତ SBI ଏଟିଏମ୍ ତାଡ଼ି ନେଇଛନ୍ତି ଦୁର୍ବୃତ୍ତ । ଲୁଟ୍ ହୋଇଥିବା ଏଟିଏମକୁ ପୋଲିସ ସାମନ୍ତରାପୁର ନିକଟ ଗଙ୍ଗୁଆ ନାଳରୁ ଉଦ୍ଧାର କରିଛି । ଏଟିଏମରେ କେତେ ଟଙ୍କା ଥିଲା ଜଣାପଡିନଥିବାବେଳେ ଲୁଟେରାଙ୍କ ସଂପର୍କରେ ବି ଟେର୍ ପାଇପାରିନି ପୋଲିସ । ତେଣେ ଆନ୍ତଃରାଜ୍ୟ ଲୁଟେରାଙ୍କ ସମ୍ପୃକ୍ତି ସନ୍ଦେହରେ ସ୍ପେଶାଲ ଟିମ୍ ଗଠନ କରି ତଦନ୍ତ କରୁଛି କମିଶନରେଟ ପୋଲିସ ।
Also Read
ବ୍ୟାଙ୍କ କର୍ମଚାରୀ ବେଶରେ ଆସିଲେ, ତାଡିନେଲେ ATM । ଚୋରି ଅଟୋରେ ବୋହି ନେଲେ ଟଙ୍କା ଭର୍ତ୍ତି ଏଟିଏମ୍ ମେସିନ । ଟଙ୍କା ନେବା ପରେ ଗଙ୍ଗୁଆ ନାଳରେ ଭସାଇ ଚମ୍ପଟ୍ ଅଭିଯୁକ୍ତ । ରାଜଧାନୀରେ ପୁଣି ATM ମେସିନକୁ ଟାର୍ଗେଟ୍ । ରାତି ଅଧରେ ଲୁଚି ଲୁଚି ଆସିଲେ, ଟଙ୍କା ଚ୍ୟାମ୍ବର ଖୋଲି ନପାରିବାରୁ ଉଠାଇନେଲେ ପୁରା ମେସିନ୍ । ଗଙ୍ଗୁଆ ନାଳ ନିକଟରେ ଚାମ୍ବର କାଟି ଟଙ୍କା ଲୁଟ୍ ପରେ ମେସିନ୍ ଫୋପାଡି ଚାଲିଗଲେ । ସିନେମା ଷ୍ଟାଇଲରେ ହୋଇଥିବା ଏହି ଲୁଟ୍ ଘଟଣାଟି ଘଟିଛି ଲିଙ୍ଗରାଜ ଥାନା ଶ୍ରୀରାମ ନଗର ଲେନ୍-୧୦ରେ ଥିବା SBI ଏଟିଏମ କାଉଣ୍ଟରରେ ।
ଅଧିକ ପଢ଼ନ୍ତୁ: ବିଜେଡି ନେତାଙ୍କ ପଥର ଖଣିରେ ବନ ବିଭାଗର ରେଡ୍
ସାମନ୍ତରାପୁର ନିକଟ ଗଙ୍ଗୁଆ ନାଳରୁ ଏଟିଏମ୍ ମେସିନଟିକୁ ଉଦ୍ଧାର କରିଛି ପୋଲିସ । ଏହାସହ ଚୋରିରେ ବ୍ୟବହୃତ ଡାଲା ଅଟୋ ବି ଜବତ କରାଯାଇଛି । କିନ୍ତୁ ଅଭିଯୁକ୍ତଙ୍କ ଟେର୍ ପାଇନି ପୋଲିସ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଡାଲା ଅଟୋଟିକୁ ବି ଲୁଟେରାମାନେ ଚୋରି କରି ଆଣିଥିବା ଜାଣିବାକୁ ପାଇଛି ପୋଲିସ । ତେବେ ସାମନ୍ତରାପୁର ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ କିଭଳି ଏଭଳି ଲୁଟ୍ ହେଲା, ତାକୁ ନେଇ ଉଠିଛି ପ୍ରଶ୍ନ ।
ରାଜଧାନୀରେ ନୂଆ ନୁହେଁ ଏଟିଏମ୍ ଲୁଟ୍ ଘଟଣା । କିଛିଦିନ ତଳେ ରବି ଟକିଜ ନିକଟରେ ଥିବା ଏଟିଏମରେ ଦୁର୍ବୃତ୍ତମାନେ ଲୁଟ୍ ଉଦ୍ୟମ କରିଥିଲେ । ୨୦୨୩ ଡିସେମ୍ବର ୧୧ ତାରିଖରେ ଲିଙ୍ଗରାଜ ମନ୍ଦିର ନିକଟ ଏଟିଏମରୁ ୧୫ ଲକ୍ଷ ଓ ଏହାର କିଛିଦିନ ପୂର୍ବରୁ ଲିଙ୍ଗିପୁରରୁ ଲୁଟ୍ ହୋଇଥିଲା ୧୫ ଲକ୍ଷ । ପୋଲିସ ଅଧିକାରୀଙ୍କ ବାରମ୍ବାର ତାଗିଦ ପରେ ମଧ୍ୟ ନିଘୋଡ଼ ନିଦ୍ରାରେ ବ୍ୟାଙ୍କ କର୍ତ୍ତୃପକ୍ଷ । ତେଣେ ଏହି କେସ୍ରେ ଆନ୍ତଃରାଜ୍ୟ ଲୁଟେରାଙ୍କ ସଂପୃକ୍ତି ସନ୍ଦେହ କରୁଛି ପୋଲିସ । ଏନେଇ ଏକ ସ୍ପେଶାଲ ଟିମ୍ ଗଠନ କରାଯାଇ ତଦନ୍ତ ଚାଲିଥିବା କହିଛନ୍ତି ଡିସିପି ।