ରାଜଧାନୀରେ ଘଟିଛି ପୁଣି ଏକ ଲଜ୍ଜାଜନକ କାଣ୍ଡ । ନୟାପଲ୍ଲୀ ଅଂଚଳର ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ ସହ ଘଟଣାର ଭିଡିଓ କଲେ ଭାଇରାଲ୍ । ଏହା ସହିତ ପୀଡ଼ିତାଙ୍କ ମାଆଙ୍କୁ ବ୍ଳାକମେଲ୍ କରି ଟଙ୍କା ମଧ୍ୟ ଆଦାୟ କଲେ । ପ୍ରାୟ ୧୦ ଦିନ ତଳେ ଘଟିଥିବା ଏଭଳି ଏକ ଘଟଣା ଏବେ ରାଜଧାନୀରେ ଚାଂଚଲ୍ୟ ପାଲଟିଛି ।
Also Read
ପ୍ରଥମେ ନାବାଳିକାକୁ ମୃଦ୍ୟୁପାନୀୟରେ ନିଶାଦ୍ରବ୍ୟ ମିଶାଇଲେ । ଏବଂ ପରବର୍ତ୍ତୀ ସମୟରେ ନାବାଳିକା ସହ କଲେ ଗଣଦୁଷ୍କର୍ମ । ଆଉ ଏହି ସମୟର ଭିଡିଓ ରେକର୍ଡିଂ କରି ଭାଇରାଲ ମଧ୍ୟ କରିଦେଲେ । କେବଳ ଏତିକି ନୁହେଁ, ଏହି ଭିଡିଓକୁ ଦେଖାଇ ପୀଡ଼ିତାଙ୍କ ମା’ଙ୍କୁ ଦାବି କରିଥିଲେ ୫୦ ହଜାର ଟଙ୍କା । ତେବେ ଝିଅର ଇଜ୍ଜତ ବଞ୍ଚାଇବାକୁ ଯାଇ ଦୁଷ୍କର୍ମକାରୀଙ୍କୁ ପୀଡିତାଙ୍କ ମାଆ ମଧ୍ୟ କିଛି ଟଙ୍କା ଦେଇଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର । ତେବେ ଏଭଳି ଲୋମଟାଙ୍କୁରା କାଣ୍ଡ ଭିଆଇଛନ୍ତି ଚାରି ଜଣ । ସେପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ କ୍ୟାପିଟାଲରେ କମ୍ପନ ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ, ଭୁବନେଶ୍ୱରରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣା ପ୍ରାୟ ୧୦ ଦିନ ତଳର । ନୟାପଲ୍ଲୀ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିବା ସଂପୃକ୍ତ ନାବାଳିକାଙ୍କୁ ତାଙ୍କର ଆଉ ଜଣେ ନାବାଳିକା ବାନ୍ଧବୀ ଆଳ କରି ସାଙ୍ଗରେ ପଟିଆ ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ସ୍ଥାନକୁ ନେଇଯାଇଥିଲେ । ଯେଉଁଠାରେ ଦାରୁଠେଙ୍ଗର ୧୯ ବର୍ଷିୟ ରାଜା ପଟ୍ଟନାୟକ, ନୀଳାଦ୍ରି ବିହାରର ଦୀପକ ବେହେରା, ଶୈଳଶ୍ରୀ ବିହାରର ୨୧ ବର୍ଷିୟ ପ୍ରକାଶ ବେହେରା ଏବଂ ପୁରୁଣା ଭୁବନେଶ୍ବର ବାଇଧର କଲୋନୀର ୨୩ ବର୍ଷିୟ ପପୁ ଦ୍ବିବେଦୀ ପୂର୍ବରୁ ଥିଲେ ।
ସେଠାରେ ସଂପୃକ୍ତ ନାବାଳିକାକୁ କୋଲ୍ଡ ଡ୍ରିଙ୍କସରେ ନିଶା ଦେଇ ଏହି ୪ ଯୁବକ ଦୁଷ୍କର୍ମ କରିବା ସହ ଭିଡିଓ ରେକର୍ଡିଂ ବି କରିଥିଲେ। ଆଉ ତା’ପରେ ନାବାଳିକାଙ୍କ ମା’ଙ୍କୁ ଟଙ୍କା ପାଇଁ ନନଷ୍ଟପ୍ ବ୍ଲାକମେଲିଂ କରିଚାଲିଥିଲେ । ଶେଷରେ ପୀଡ଼ିତା ନାବାଳିକା ଗତକାଲି ନୟାପଲ୍ଲୀ ଥାନାର ଦ୍ବାରସ୍ଥ ହେବା ପରେ ପୋଲିସ ପୀଡ଼ିତାଙ୍କ ବାନ୍ଧବୀ ଏବଂ ୪ ଯୁବକଙ୍କୁ ଧରି ଖୋଳତାଡ଼ ଚଳାଇଛି। ତା’ସହ ଭିଡ଼ିଓ ରେକର୍ଡିଂ ହୋଇଥିବା ମୋବାଇଲକୁ ଜବତ କରିଛି ।
ତେବେ ଏବେ ପ୍ରଶ୍ନ ଉଠୁଛି ୨ ନାବାଳିକା ଏବଂ ଏହି ୪ ଯୁବକଙ୍କ ମଧ୍ୟରେ କେମିତି ତିଆରି ହେଲା ପରିଚୟ ? କେଉଁ ଉଦ୍ଦେଶ୍ୟ ରଖି ପୀଡ଼ିତାଙ୍କୁ ଧରି ୪ ଯୁବକଙ୍କ ପାଖକୁ ନେଇଥିଲେ ନାବାଳିକା ବାନ୍ଧବୀ ? ଏହାର ବାସ୍ତବ ରହସ୍ୟ କ’ଣ ? ଏମିତି ନାନା ପ୍ରଶ୍ନ ଉଠୁଥିବାବେଳେ ଏଭଳି କୁତ୍ସିତ କାର୍ଯ୍ୟ ପଛରେ ନାବାଳିକା ସହ ମାତ୍ର ୧୯ରୁ ୨୩ ବର୍ଷିୟ ଯୁବକମାନଙ୍କ ସଂପୃକ୍ତିକୁ ନେଇ ଉଦବେଗ ପ୍ରକାଶ ପାଇଛି।
- Reported by:
- ATULYA BOUT