• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଜଘନ୍ୟ କାଣ୍ଡ ଘଟାଉଛନ୍ତି ବାଳ ଅପରାଧୀ । କିଶୋରଙ୍କ ମଧ୍ୟରେ ବଢୁଛି ହିଂସ୍ର ମାନସିକତା । ଯାହାର ସଦ୍ୟତମ ଉଦାହଣ, ଗଞ୍ଜାମ ଖଲ୍ଲିକୋଟ ଥାନା କୈରାଶି ଗାଁରେ ଗତକାଲି ଘଟିଥିବା ହତ୍ୟାକାଣ୍ଡ । ଏଠାରେ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ର ରାଜେଶ ଦାସଙ୍କୁ ସେହି ଗାଁର ଜଣେ ୧୭ ବର୍ଷୀୟ ବାଳକ ଛୁରୀ ଭୁସି ହତ୍ୟା କରିଛି । ମୃତ ରାଜେଶ, ନିଜ ରୋଗୀଣା ମାଆଙ୍କ ପାଇଁ ମେଡିସିନ୍ ଆଣିବାକୁ ଯାଉଥିବା ବେଳେ ତାକୁ ନାବାଳକ ଜଣକ,ଅତି ନିର୍ମମ ଭାବେ ଛୁରୀ ଭୁଷୀ ହତ୍ୟା କରିଥିଲା । ଯାହା ସାରା ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

୬ ମାସ ତଳେ କ୍ରିକେଟ୍ ଖେଳକୁ ନେଇ ଗାଁରେ ହୋଇଥିବା ଗଣ୍ଡଗୋଳରୁ ପ୍ରତିଶୋଧ ପରାୟଣ ହୋଇ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ କ୍ରିକେଟ୍ ଖେଳ ବେଳେ ଗାଁର ୫ ଜଣ ନାବାଳକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଜଣେ ନାବାଳକକୁ ୪ ଜଣ ମିଶି ୱିକେଟ ଓ ହକି ଷ୍ଟିକ୍ ରେ ମାଡ଼ ମାରିଥିଲେ । ଆଉ ମାଡ ମାରିବାର ଭିଡିଓ ବି ଭାଇରାଲ କରିଥିଲେ ।

ମାଡ଼ ଖାଇଥିବା ନାବାଳକଙ୍କ ଏତଲା ପରେ ୪ ବାଳ ଅପରାଧୀଙ୍କୁ ସୁଧାର ଗୃହକୁ ପଠାଯାଇଥିଲା । ସୁଧାର ଗୃହରୁ ଫେରିବା ପରେ ପୁଣିଥରେ ୫ ଜଣଙ୍କ ମଧ୍ୟରେ ପିଟାପିଟି ହୋଇଥିଲା । ଏହାପରେ ସଂପୃକ୍ତ ନାବାଳକକୁ ପୋଲିସ ଜୁଭେନାଇଲ୍ ହୋମକୁ ପଠାଇଥିଲା । ମାସେ ତଳେ ସୁଧାର ଗୃହରୁ ଫେରିବା ପରେ ସେତେବେଳେ ମାଡ଼ ଖାଇଥିବା ଛାତ୍ର ଜଣକ, ପ୍ରତିଶୋଧ ନେବାକୁ ଯାଇ ଗତକାଲି ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ପୋଲିସ କହିଛି ।

ତେବେ କାହିଁକି ପ୍ରତିଶୋଧ ପରାୟଣ ହେଉଛନ୍ତି ଟିନ୍ ଏଜ୍ ପିଲା ? କାହିଁକି ସେମାନଙ୍କ ମଧ୍ୟରେ ବଢୁଛି ହିଂସ୍ର ମାନସିକତା। ମନସ୍ତତ୍ତ୍ୱବିତ୍‌ଙ୍କ କହିବା କଥା, ସେମାନଙ୍କୁ କାଉନସେଲିଂର ଅଭାବ ରହୁଛି । ତା’ସହ ସୁଧାରଗୃହରେ ରହିବା ବେଳେ ସେମାନଙ୍କ ମାନସିକ ସ୍ତରରେ ପରିବର୍ତ୍ତନ ଆଣିବା ଲାଗି ଚେଷ୍ଟା କରାଯିବ ଦରକାର ।

NCRB ତଥ୍ୟ କହୁଛି, ୨୦୨୧ରେ ସାରା ଦେଶରେ ୩୧ ହଜାର ୧୭୦ ଅପରାଧୀକ ମାମଲାରେ ଥିଲା ନାବାଳକଙ୍କ ସଂପୃକ୍ତି । ୨୦୨୨ରେ ଏହା ୨ ପ୍ରତିଶତ କମି ୩୦ ହଜାର ୫୫୫ରେ ପହଞ୍ଚିଥିଲା । ଗିରଫ ହୋଇଥିଲେ ୩୭ ହଜାର ୭୮୦ ଜଣ ବାଳ ଅପରାଧୀ । ୨୦୨୨ରେ ଜୁଭେନାଇଲ୍ ହିଂସାରେ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ଥିବାବେଳେ ଓଡ଼ିଶା ଦଶମ ସ୍ଥାନରେ ଥିଲା ।

  • Reported by:
  • ASHOK BRAHMA , Silu Biswal