/odishatv-khabar/media/post_attachments/uploadimage/library/16_9/16_9_0/Loot_1711269282.jpg)
Loot
କାମ ଚୋରି, କିନ୍ତୁ କୋଟିପତିଙ୍କ ଭଳି ରହଣୀ । କମିଶନରେଟ ପୋଲିସ ଗିରଫ କରିଥିବା ଜଣେ ଡକାୟତର ଜୀବନଶୈଳୀର କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଭୁବନେଶ୍ୱରର ଏକାଧିକ ସ୍ଥାନରୁ ଚୋରି କରି ଧରାପଡିଛି ପର୍ଶୁରାମ ଗିରି । ତା ନିକଟରୁ ୨୧ ଲକ୍ଷ ଟଙ୍କା, ୭ କେଜି ରୂପା ଅଳଙ୍କାର ଜବତ ହୋଇଛି ।
ତା ନାଁରେ ରହିଛି ୫୦ରୁ ଅଧିକ ମାମଲା । ଏକାଧିକ ଥର ଗିରଫ ହୋଇ କୋର୍ଟ ଫରୱାର୍ଡ ହୋଇଛି । କିନ୍ତୁ ଚୋରି ବନ୍ଦ କରିନି ପର୍ଶୁରାମ । ଅତି ଚାଲାକର ସହ ଲୋକଙ୍କ ଘରେ କଳାକନା ବୁଲାଉଥିଲା । ଯେଉଁ ଘର ବନ୍ଦ ଥିବ ସେହି ଘରୁ ଟାର୍ଗେଟ କରୁଥିଲା । ଖାଲି ପାଦରେ ଯାଇ ଝରକା ତାଡି ଲୋକଙ୍କ ଘରେ ପଶୁଥିଲା ।
ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି କରୁଥିଲା । କିନ୍ତୁ ଇଲେକଟ୍ରୋନିକ୍ସ ସାମଗ୍ରୀ ଚୋରି କରୁନଥିଲା । ଚୋରି କରିବା ପୂର୍ବରୁ ନିଜ ଫୋନକୁ ଫ୍ଲାଇଟ ମୋଡରେ ରଖୁଥିଲା । ଭୁବନେଶ୍ୱରରୁ ଚୋରି କରି ରାଜ୍ୟ ବାହାରକୁ ଯାଇ ସଉକ କରୁଥିଲା । ଦାମୀ ପୋଷାକ ପିନ୍ଧୁଥିଲା ।
ଏକାଧିକ ରାଜ୍ୟ ବୁଲିବା ସହ ସେଠାରେ ବଡ଼ ବଡ଼ ହୋଟେଲରେ ରହୁଥିଲା । ମୁମ୍ବାଇର ତାଜ ହୋଟେଲରେ ମଧ୍ୟ ସେ ଅନେକ ଥର ରହିଛି । ଭୁବନେଶ୍ୱରରେ ମଧ୍ୟ ନିଜର ଘର ଅଛି । ଯାହାକୁ ସେ ଭଡାରେ ଲଗାଇଥିଲା । ନିଜ ଗାଁରେ ମଧ୍ୟ ବଡ଼ ବଡ଼ ଘର କରିଛି । ତେବେ ପର୍ଶୁରାମ ମାତ୍ର ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ଜଣା ପଡ଼ିଛି ।
ତା ଘର ବାଲେଶ୍ୱର ଜିଲ୍ଲାର ସୋର ଅଞ୍ଚଳରେ । ପୋଲିସ ପର୍ଶୁରାମକୁ ଗିରଫ କରିବା ପରେ ରାଜଧାନୀରେ ଏବେ ଚୋରି କମିବ ବୋଲି କମିଶନରେଟ ପୋଲିସ ଆଶା ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)