• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୧୮ ଜଣ ମହିଳାଙ୍କୁ ବାହା ହେବା ସହିତ ଠକେଇ କରିଥିବା ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଭଉଣୀକୁ ଗିରଫ କରିଛି ପୋଲିସ । ରମେଶଙ୍କ ଭଉଣୀଙ୍କୁ ସ୍ପେସିଆଲ ସ୍କାଡ୍ ପକ୍ଷରୁ ପଚରାଉଚରା ବେଳେ ତାଙ୍କର ଠକେଇରେ ସଂପୃକ୍ତି ଥିବା ପ୍ରମାଣ ମିଳିଛି । ଏହାପରେ ରମେଶ ଓ ତାଙ୍କ ଭଉଣୀକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।

ନକଲି ଡାକ୍ତରଙ୍କ ଏକାଧିକ ବାହାଘରରେ ଭଉଣୀ ସାମିଲ ଥିଲେ । ଅଭିଯୁକ୍ତ ରମେଶ ସହ ତାଙ୍କ ଉଭଣୀକୁ ଭିଡିଓ କନଫରେନ୍ସିଂରେ ଏକାସଙ୍ଗରେ ପଚରା ଉଚରା କରାଯାଇଥିଲା । କେନ୍ଦ୍ରାପଡ଼ା ଈଶ୍ୱରପୁରରେ ଚଢ଼ାଉ କରି ରମେଶ ସ୍ୱାଇଁଙ୍କ ଭଉଣୀଙ୍କୁ ଉଠାଇ ଆଣି ଭୁବନେଶ୍ୱରରେ ଜେରା କରିଥିଲା ପୋଲିସ । ଯେତେ ଥର ବାହା ହୋଇ ମହିଳାଙ୍କୁ ରମେଶ ଟଙ୍କା ଓ ଅଳଙ୍କାର ଠକି ଆଣୁଥିଲେ, ସେଥିରେ ରହୁଥିଲା ଭଉଣୀ ରଶ୍ମିତାଙ୍କ ଭାଗ । ଜଣେ ପୀଡ଼ିତା ଏ ସଂପର୍କରେ ଅଭିଯୋଗ କରିବା ପରେ ପୋଲିସ ରଶ୍ମିତାଙ୍କୁ ଉଠାଇ ଆଣି ଜେରା କରିଥିଲା ।

ସେପଟେ ନକଲି ଡାକ୍ତର ରମେଶଙ୍କ ରିମାଣ୍ଡ ଅବଧି ଆଜି ସରୁଥିବାରୁ ଆଉ ୭ଦିନ ତାଙ୍କୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିବ ପୋଲିସ । ଏଥିସହ ତାଙ୍କ ଭଉଣୀକୁ ମଧ୍ୟ ରିମାଣ୍ଡରେ ଅଣାଯିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।

ସେପଟେ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ କ୍ଲିନିକରେ ରହସ୍ୟମୟ ଅନ୍ଧାରୀ ଭୂତଳ ଗୁପ୍ତ କୋଠରୀର ସନ୍ଧାନ ମିଳିଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାସଭବନରେ ଥିବା କ୍ଲିନିକ ଭିତରେ ଅନ୍ଧାରୀ ଭୂତଳ ଗୁପ୍ତ ଘରକୁ ନେଇ ଏବେ ଚର୍ଚ୍ଚା । ସେହି ଘରକୁ ସିଢ଼ି ପକାଇ ଭିତରକୁ ଯାଉଥିଲେ ନକଲି ଡାକ୍ତର ରମେଶ ସ୍ୱାଇଁ । ଆଉ ସେହିଠାରେ ରମେଶ ଅପରେସନ କରୁଥିବା କୁହାଯାଉଛି ।

ମାଟ୍ରିକ ଫେଲ୍‌ ରମେଶ ସେହି ଅଞ୍ଚଳ ପାଇଁ ପାଲଟିଥିଲେ ଜଣେ ଅଭିଜ୍ଞ ଜଣାଶୁଣା ଡାକ୍ତର । ଏନେଇ ଆମ ପ୍ରତିନିଧି କାମାକ୍ଷାନଗର ସ୍ଥିତ ତାଙ୍କର କ୍ଲିନିକ୍ ଦାୟିତ୍ୱରେ ଥିବା ନୃସିଂହ ରାଉତଙ୍କ ସହ ଯୋଗାଯୋଗ କରିଥିଲେ । ଏହାପରେ କ୍ଲିନିକ୍‌ରେ ଥିବା ରମେଶଙ୍କର ଅନ୍ଧାରୀ ଭୂତଳ ଗୁପ୍ତ ଘର ଠାବ କରାଯାଇଥିଲା ।

କେବଳ ଏତିକି ନୁହେଁ ରମେଶଙ୍କ ଗ୍ୟାରେଜରେ ଏକ ପୁରୁଣା ଟିଭିଏସ ବାଇକ ରଖାଯାଇଛି । ଯାହାର ଗାଡ଼ି ନମ୍ବରଟିକୁ ପଥରରେ ଘଷି ଲିଭାଇ ଦିଆଯାଇଛି । ରମେଶଙ୍କ ପୁରୁଣା XRAY ମେସିନ ମଧ୍ୟ ଠାବ ହୋଇଛି । ନକଲି ଡାକ୍ତର ରମେଶଙ୍କ କଳା କାରନାମାର ଗୁମର ଖୋଲିବାକୁ ପୋଲିସର ଦୁଇଟି ଟିମ୍ ତଦନ୍ତ ଚଳାଇଛି ।