• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେମିତି ଧରାପଡ଼ିଲେ ନିରଞ୍ଜନ ସେଠୀ ? ପୋଲିସ ତାଙ୍କ ପାଖରେ ପହଞ୍ଚିଲା କେମିତି ? ବଡ଼ ସରକାରୀ ବାବୁଙ୍କୁ ପୋଲିସ ନିଜ ରାଡାର ଭିତରକୁ ଆଣିଲା କେମିତି ? ଗୋଟିଏ ପଟେ ପୋଲିସ, କ୍ୟାମେରା ମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଜଣେ ୱେବ୍‌ ଚ୍ୟାନେଲ ମାଲିକାଣୀଙ୍କୁ ଧରିପାରୁନଥିବା ବେଳେ ଏତେ ବନ ଅଫିସର୍‌ଙ୍କୁ କେମିତି ଧରିଲା ପୋଲିସ ? ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ? ଯଦି ଏତେ ବଡ଼ ଅଫିସର ପୋଲିସ ରାଡାର ଭିତରକୁ ଆସି ଗିରଫ ହୋଇପାରୁଛନ୍ତି ଏବଂ ଜେଲ ଯାଇପାରୁଛନ୍ତି ତେବେ ଶର୍ମିଷ୍ଠା କାହିଁକି ଏଯାଏଁ ଧରା ପଡ଼ିନାହାନ୍ତି ? ପୋଲିସ ତାଙ୍କୁ କାହିଁକି ଧରିପାରୁନି ?

ତେବେ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବତନ ଓଆଇସି ନିରଞ୍ଜନଙ୍କ କଲ୍‌ ଡିଟେଲ ହିଁ ତାଙ୍କ ପାଇଁ କାଳ ପାଲଟିଲା । ନିରଞ୍ଜନଙ୍କ କଲ ଡିଟେଲ୍ସ ଓ ଲୋକେସନ୍‌ ଆନାଲିସିସ୍‌ କରିବା ପରେ ଘଟଣାରୁ ଉଠିଥିଲା ପରଦା । ଖୋଳତାଡ଼ରୁ ଜଣାପଡିଛି ଯେ ମାନସ ଅପହରଣ ଓ ହତ୍ୟା କାଣ୍ଡ ପୂର୍ବରୁ ନିରଞ୍ଜନ ସେଠୀ ଶର୍ମିଷ୍ଠାଙ୍କୁ ପ୍ରାୟ ପ୍ରତିଦିନ କଲ କରୁଥିଲେ । ହେଲେ ଅପହରଣଠାରୁ ଶର୍ମିଷ୍ଠାଙ୍କ ଫେରାର ହେବା ଭିତରେ ନିରଞ୍ଜନ ଅଧିକରୁ ଅଧିକଥର ତାଙ୍କୁ କଲ କରିଛନ୍ତି ।

ଏମିତିକି ନିରଞ୍ଜନ ଗୋଟିଏ ଦିନରେ ୩୦ ଥର ଶର୍ମିଷ୍ଠାଙ୍କୁ କଲ କରିଛନ୍ତି । ତା’ଛଡା ଶର୍ମିଷ୍ଠା ଫେରାର ହୋଇଯି‍ବା ପରେ ମୋବାଇଲଟି ସ୍ୱିଚ୍‌ ଅଫ୍‌ ହୋଇଥିଲା । ଯାହାକି ଏହି ହତ୍ୟାକାଣ୍ଡରେ ନିରଞ୍ଜନଙ୍କ ସମ୍ପୃକ୍ତି ନେଇ ଅଧିକ ସନ୍ଦେହ ଘନିଭୂତ ହୋଇଥିଲା । ଖାଲି ସେତିକି ନୁହେଁ ମାନସଙ୍କୁ ଅପହରଣ କରି ଆଣିବା ପରେ ଫେବୃଆରୀ ୭ ତାରିଖରେ ଯେଉଁ ଆଶ୍ରମରେ ରଖିଥିଲେ ସେଠାରେ ନିରଞ୍ଜନ ସେଠୀ ୩ ଘଣ୍ଟା ୩୦ ମିନିଟ୍‌ ସମୟ କାଟିଛନ୍ତି । ଏହାସହ ମାନସଙ୍କୁ ଅପହରଣ ପରେ ଆଶ୍ରମରେ ଥିବା ବେଳେ ମାଡ଼ ମଧ୍ୟ ମାରିଥିଲେ ନିରଞ୍ଜନ । ଅନ୍ୟପଟେ ଏହି ଆଶ୍ରମକୁ ନିରଞ୍ଜନ ସେଠୀ ବାରମ୍ବାର ଯାଉଥିବା ଏହାର ଅନ୍ତେବାସୀ ସ୍ପଷ୍ଟ କରିଛନ୍ତି । ପୋଲିସ ଏହି ସବୁ ତଥ୍ୟକୁ ଏକାଠି କରିବା ପରେ ନିରଞ୍ଜନଙ୍କୁ ଗିରଫ କରିଥିଲା ।

ଅନ୍ୟପଟେ ଆଜି ପୋଲିସକୁ ଆଉ ଏକ ସଫଳତା ମିଳିଛି । ଶର୍ମିଷ୍ଠାଙ୍କ ଭାଇଙ୍କୁ ପୋଲିସ ବିଜୟୱାଡ଼ାରୁ ଗିରଫ କରିଛି । ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱରଙ୍କୁ କବ୍‌ଜାକୁ ନେଇଛି ପୋଲିସ । ପରମେଶ୍ୱର ରାଉତଙ୍କୁ ବିଜୟୱାଡ଼ାରୁ ଧରିଛି ପୋଲିସ । ପରାମେଶ୍ୱର ବିଜୟୱାଡ଼ାରେ ରହି ଶର୍ମିଷ୍ଠାଙ୍କ ଫେରାର୍ ହେବା ନେଇ ପ୍ଲାନ କରିଥିଲେ । ଶର୍ମିଷ୍ଠା କେମିତି ଖସିଯାଇପାରିବେ, ସେନେଇ ପ୍ଲାନ୍ କରିଥିଲେ ପରମେଶ୍ୱର । ତେବେ ଶର୍ମିଷ୍ଠା କିନ୍ତୁ ବିଜୟୱାଡ଼ା ଯାଇନଥିବା ସୂଚନା ମିଳିଛି । ଶର୍ମିଷ୍ଠା ଏବେ କେଉଁଠି, ସେନେଇ ପୋଲିସ ସ୍ପଷ୍ଟ ହୋଇପାରିନି । ପରମେଶ୍ୱରଙ୍କୁ ଜେରା ବେଳେ ଶର୍ମିଷ୍ଠାଙ୍କ ଅବସ୍ଥିତି ଜଣାପଡ଼ିବା ନେଇ ଆଶା ରଖିଛି ପୋଲିସ ।

ସେପଟେ ଭଦ୍ରକ ପୋଲିସ ଖୋଳତାଡ଼ ଜାରି ରଖିଛି । ଓଡ଼ିଶା ବାହାରେ ତିିନିଟି ଟିମ୍ ଏବଂ ରାଜ୍ୟ ଭିତରେ ଶର୍ମିଷ୍ଠାଙ୍କୁ ଧରିବାକୁ ଟିମ୍‌ କାମରେ ଲାଗିଛି । ପୋଲିସ୍ କାହାରି ଚାପରେ ନାହିଁ, ତଦନ୍ତ ନିରପକ୍ଷ ଭାବେ ହେଉଛି ବୋଲି ଭଦ୍ରକ ଏସ୍‌ପି ଚରଣ ସିଂହ ମୀନା କହିଥିଲେ । ପୂର୍ବରୁ ଦୁଇ ଥର ପୋଲିସ୍ ଶର୍ମିଷ୍ଠାଙ୍କୁ ଡାକି ପଚରାଉଚରା ପରେ ଛାଡ଼ି ଦେଇଥିଲା । ଏସମ୍ପର୍କରେ ବି ପ୍ରତିକ୍ରିୟା ରଖିଛନ୍ତି ଏସ୍‌ପି । ପ୍ରାଥମିକ ତଦନ୍ତ ପରେ ପୋଲିସ୍ ହାତରେ ପ୍ରମାଣ ଲାଗିଥିଲା । ଏହାପରେ ତାଙ୍କୁ ଖୋଜା ହେଉଛି ଏବଂ ତଦନ୍ତକୁ ଆଗକୁ ବଢ଼ାଇଥିବା ସେ ଦୋହରାଇଛନ୍ତି।