• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ଆସିଲା ଫେରାର୍ ପୂର୍ବର ଏକ ଭାଇରାଲ୍ ଭିଡ଼ିଓ । ଯେଉଁଥିରେ ମାନସଙ୍କ ସହ ଚାନ୍ଦବାଲି ଯାଇଥିବା ସହଯୋଗୀ କ୍ୟାମେରାମ୍ୟାନ୍ ଦୀପକ ଓ ଶର୍ମିଷ୍ଠା ମଧ୍ୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି । କୁହାଯାଉଛି, ଏହି ଭିଡ଼ିଓ ହେବା ଆଗରୁ ମାନସଙ୍କ ମୃତ୍ୟୁ ହୋଇସାରିଥିଲା । ଭିଡ଼ିଓଟି ମାର୍ଚ୍ଚ ୧ ତାରିଖର । ମାନସଙ୍କ ସହଯୋଗୀ ଦୀପକ ହିଁ ଏହି ଭିଡ଼ିଓ ତିଆରି କରିଥିବା ଚର୍ଚ୍ଚା ହେଉଛି । ଭିଡ଼ିଓରେ ଦୟାଲ ଆଶ୍ରମ ବାହାରେ ଦୀପକ, ତାଙ୍କ ମା ଏବଂ ଶର୍ମିଷ୍ଠାଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି । ଭିଡ଼ିଓରେ ଅଣ୍ଡରଟେକିଂ ଲେଖାଇଥିବା କଥା କହୁଛନ୍ତି, ସେହିପରି ମେମୋରି ଚିପ୍ ନେଇଥିବା କଥା ବି କହୁଛନ୍ତି ଶର୍ମିଷ୍ଠା । ୨ ମିନିଟ୍‌ରୁ ଅଧିକ ସମୟ ଅବଧିର ଏହି ଭାଇରାଲ୍ ଭିଡ଼ିଓରେ ଦୀପକ ଏବଂ ଶର୍ମିଷ୍ଠାଙ୍କ ମଧ୍ୟରେ ସାମାନ୍ୟ କଥା କଟାକଟି ହେଉଥିବା ମଧ୍ୟ ଶୁଣିବାକୁ ମିଳିଛି ।

 

ଅନ୍ୟପଟେ ପ୍ରଶ୍ନ ପରେ ପ୍ରଶ୍ନ । କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାର ଅଭିଯୁକ୍ତଙ୍କଠୁ ସତ ଉଗାରୁଛି କ୍ରାଇମବ୍ରାଞ୍ଚ । ୫ ଦିନିଆ ରିମାଣ୍ଡରେ ନେଇ ସମ୍ପୂର୍ଣ୍ଣା ନ୍ୟୁଜ୍‌ ପୋର୍ଟାଲ୍‌ର ମାଲିକାଣି ଶର୍ମିଷ୍ଠା ରାଉତ, ସହଯୋଗୀ ଝୁନା ଭୋଇ, ପୂର୍ବତନ ଓଆଇଏସ୍ ଅଧିକାରୀ ନିରଂଜନ ସେଠୀ ଓ ରାଜ୍ କମ୍ୟୁନିକେସନ୍‌ର ମାଲିକ ରଂଜନ ନାୟକ ଓରଫ୍ ରାଜ୍‌କୁ ଘାଣ୍ଟୁଛି ସ୍ୱତନ୍ତ୍ର ଟିମ୍ । କ୍ରାଇମବ୍ରାଞ୍ଚର କଟକ ମୁଖ୍ୟାଳୟରେ ୪ ଅଭିଯୁକ୍ତଙ୍କୁ ପୃଥକ ପୃଥକ ବସାଇ ଜେରା କରାଯାଉଛି ।

ପ୍ରଶ୍ନ ପ୍ରାୟତଃ ସମାନ ରହୁଛି । ହେଲେ ଉତ୍ତର ଦେଲା ବେଳକୁ କିଏ ସତ ଢୋକିବାକୁ ଚେଷ୍ଟା କରୁଛନ୍ତି ତ ଆଉ କିଏ ଥଙ୍ଗଥଙ୍ଗ ହେଉଛନ୍ତି । ମାନସ ସ୍ୱାଇଁଙ୍କୁ ହତ୍ୟା ପଛର ମୂଳ କାରଣ କଣ ? ମେମୋରି ଚିପ୍ ପାଇଁ ପୂର୍ବରୁ ଯେଉଁ ତିକ୍ତତା ଥିଲା ବୋଲି କୁହାଯାଉଛି, ସେହି ତିକ୍ତତାରୁ ହତ୍ୟା କରାଗଲା କି ?  ମେମୋରି ଚିପ୍‌ରେ ଏମିତି କଣ ଥିଲା ଯେ, ମାନସଙ୍କୁ ଅପହରଣଠୁ ହତ୍ୟା କରି ଶବକୁ ପୋତିଦେବା ଯାଏଁ କଥାଗଲା ? ମେମୋରୀ ଚିପ୍ ଏବେ କେଉଁଠି ? ଅପହରଣ, ହତ୍ୟା, ପ୍ରମାଣ ନଷ୍ଟ, ଅପରାଧିକ ଷଡ଼ଯନ୍ତ୍ରରେ କାହାର ଭୂମିକା କଣ ? ଏଭଳି ଏକାଧିକ ପ୍ରଶ୍ନ ପଚରାଯାଇଛି ଶର୍ମିଷ୍ଠା ଆଣ୍ଡ କୋଙ୍କୁ ।

ଏହାପରେ ୪ ଅଭିଯୁକ୍ତଙ୍କୁ ସାମ୍ନାସାମ୍ନି ଜେରା କରାଯାଇପାରେ । ଆବଶ୍ୟକ ପଡ଼ିଲେ ଅଭିଯୁକ୍ତମାନଙ୍କୁ ଧରି କ୍ରାଇମ ସିନ୍ ରିକ୍ରିଏଟ୍ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡାଙ୍କ ପକ୍ଷରୁ ସୂଚନା ମିଳିଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ କେହି ବି ଅଭ୍ୟାସଗତ ଅପରାଧୀ ନଥିବାରୁ ସତ ଉଗାରିବା ପାଇଁ କ୍ରାଇମବ୍ରାଞ୍ଚକୁ ବିଶେଷ କସରତ କରିବାକୁ ପଡୁନଥିବା କୁହାଯାଉଛି ।

ଚାନ୍ଦବାଲିରୁ ଅପହରଣ, ଭୁବନେଶ୍ୱରରେ ହତ୍ୟା, ନୟାଗଡ଼ରେ ମୃତଦେହ । ଅପରାଧ ସହ ଅପରାଧିକ ଷଡ଼ଯନ୍ତ୍ର ଏବଂ ପ୍ରମାଣ ନଷ୍ଟର ସୁରାଗ୍ ଥିବାରୁ କେବଳ ଏହି ୪ ଜଣ ନୁହଁନ୍ତି, ଭଦ୍ରକ ଜେଲ୍‌ରେ ଥିବା ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱର ସମେତ ୪ ଅଭିଯୁକ୍ତଙ୍କୁ ଜେଲ୍‌ରେ ଜେରା କରାଯାଇପାରେ ବୋଲି କୁହାଯାଉଛି ।