• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରଶ୍ନ ପରେ ପ୍ରଶ୍ନ । ଗୁଡ଼େଇ ତୁଡ଼େଇ ମାଳ ମାଳ ପ୍ରଶ୍ନ । କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାର ଅଭିଯୁକ୍ତଙ୍କଠୁ ସତ ଉଗାରୁଛି କ୍ରାଇମବ୍ରାଞ୍ଚ । ୫ ଦିନିଆ ରିମାଣ୍ଡରେ ନେଇ ସମ୍ପୂର୍ଣ୍ଣା ନ୍ୟୁଜ୍‌ ପୋର୍ଟାଲ୍‌ର ମାଲିକାଣି ଶର୍ମିଷ୍ଠା ରାଉତ, ସହଯୋଗୀ ଝୁନା ଭୋଇ, ପୂର୍ବତନ ଓଆଇଏସ୍ ଅଧିକାରୀ ନିରଂଜନ ସେଠୀ ଓ ରାଜ୍ କମ୍ୟୁନିକେସନ୍‌ର ମାଲିକ ରଂଜନ ନାୟକ ଓରଫ୍ ରାଜ୍‌କୁ ଘାଣ୍ଟୁଛି ସ୍ୱତନ୍ତ୍ର ଟିମ୍ । କ୍ରାଇମବ୍ରାଞ୍ଚର କଟକ ମୁଖ୍ୟାଳୟରେ ୪ ଅଭିଯୁକ୍ତଙ୍କୁ ପୃଥକ ପୃଥକ ବସାଇ ଜେରା କରାଯାଉଛି ।

ପ୍ରଶ୍ନ ପ୍ରାୟତଃ ସମାନ ରହୁଛି । ହେଲେ ଉତ୍ତର ଦେଲା ବେଳକୁ କିଏ ସତ ଢୋକିବାକୁ ଚେଷ୍ଟା କରୁଛନ୍ତି ତ ଆଉ କିଏ ଥଙ୍ଗଥଙ୍ଗ ହେଉଛନ୍ତି । ମାନସ ସ୍ୱାଇଁଙ୍କୁ ହତ୍ୟା ପଛର ମୂଳ କାରଣ କଣ ? ମେମୋରି ଚିପ୍ ପାଇଁ ପୂର୍ବରୁ ଯେଉଁ ତିକ୍ତତା ଥିଲା ବୋଲି କୁହାଯାଉଛି, ସେହି ତିକ୍ତତାରୁ ହତ୍ୟା କରାଗଲା କି ?  ମେମୋରି ଚିପ୍‌ରେ ଏମିତି କଣ ଥିଲା ଯେ, ମାନସଙ୍କୁ ଅପହରଣଠୁ ହତ୍ୟା କରି ଶବକୁ ପୋତିଦେବା ଯାଏଁ କଥାଗଲା ? ମେମୋରୀ ଚିପ୍ ଏବେ କେଉଁଠି ? ଅପହରଣ, ହତ୍ୟା, ପ୍ରମାଣ ନଷ୍ଟ, ଅପରାଧିକ ଷଡ଼ଯନ୍ତ୍ରରେ କାହାର ଭୂମିକା କଣ ? ଏଭଳି ଏକାଧିକ ପ୍ରଶ୍ନ ପଚରାଯାଇଛି ଶର୍ମିଷ୍ଠା ଆଣ୍ଡ କୋଙ୍କୁ ।

ଏହାପରେ ୪ ଅଭିଯୁକ୍ତଙ୍କୁ ସାମ୍ନାସାମ୍ନି ଜେରା କରାଯାଇପାରେ । ଆବଶ୍ୟକ ପଡ଼ିଲେ ଅଭିଯୁକ୍ତମାନଙ୍କୁ ଧରି କ୍ରାଇମ ସିନ୍ ରିକ୍ରିଏଟ୍ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡାଙ୍କ ପକ୍ଷରୁ ସୂଚନା ମିଳିଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ କେହି ବି ଅଭ୍ୟାସଗତ ଅପରାଧୀ ନଥିବାରୁ ସତ ଉଗାରିବା ପାଇଁ କ୍ରାଇମବ୍ରାଞ୍ଚକୁ ବିଶେଷ କସରତ କରିବାକୁ ପଡୁନଥିବା କୁହାଯାଉଛି ।

ଚାନ୍ଦବାଲିରୁ ଅପହରଣ, ଭୁବନେଶ୍ୱରରେ ହତ୍ୟା, ନୟାଗଡ଼ରେ ମୃତଦେହ । ଅପରାଧ ସହ ଅପରାଧିକ ଷଡ଼ଯନ୍ତ୍ର ଏବଂ ପ୍ରମାଣ ନଷ୍ଟର ସୁରାଗ୍ ଥିବାରୁ କେବଳ ଏହି ୪ ଜଣ ନୁହଁନ୍ତି, ଭଦ୍ରକ ଜେଲ୍‌ରେ ଥିବା ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱର ସମେତ ୪ ଅଭିଯୁକ୍ତଙ୍କୁ ଜେଲ୍‌ରେ ଜେରା କରାଯାଇପାରେ ବୋଲି କୁହାଯାଉଛି ।

ତେବେ ସମ୍ପୂର୍ଣ୍ଣା ନ୍ୟୁଜ୍ ପୋର୍ଟାଲଠୁ ଆରମ୍ଭ କରି ଖବର କାଗଜ ଏବଂ ଦୟାଲ୍ ଆଶ୍ରମ ପରିଚାଳନା ପାଇଁ କେଉଁଠୁ ଆସୁଥିଲା ଅର୍ଥ ? କାହା ଛତ୍ରଛାୟାରେ ରହି ଶର୍ମିଷ୍ଠା ଚଳାଉଥିଲେ ନିଜର ସାମ୍ରାଜ୍ୟ ? ଶର୍ମିଷ୍ଠାଙ୍କ ସାମ୍ରାଜ୍ୟ ସହ ପ୍ରଭାବଶାଳୀ ନେତା, ମନ୍ତ୍ରୀଙ୍କ ଲିଙ୍କ୍ କଥା ଉଠୁଥିବା ବେଳେ ଏସବୁର ତଦନ୍ତ ହେବ ତ ? ଦୀର୍ଘଦିନ ପରେ ଅଭିଯୁକ୍ତମାନେ ଧରାପଡ଼ିଥିବାରୁ ଅପରାଧର ସାକ୍ଷ୍ୟ ପ୍ରମାଣ ସୁରକ୍ଷିତ ଅଛିି ତ ? ଏବେ ଏଭଳି ଏକାଧିକ ଅସମାହିତ ପ୍ରଶ୍ନ ମୁଣ୍ଡ ଟେକୁଥିବା ବେଳେ କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବୀ ମାନସ ଚାନ୍ଦ ।

ଗତକାଲି ଶର୍ମିଷ୍ଠା ଏବଂ ଝୁନା ଭୋଇଙ୍କୁ ଗିରଫ କରାଯାଇଥିଲା । କୋର୍ଟରେ ହାଜର ପରେ ଗତକାଲି ରାତିରେ ଭଦ୍ରକ ଉପକାରାଗାରରେ ରଖାଯାଇଥିଲା ଉଭୟଙ୍କୁ । ଯେଉଁଠି ନିରଂଜନ ସେଠୀ ସମେତ ଅନ୍ୟ ଅଭିଯୁକ୍ତ ରହୁଥିଲେ । ତେବେ କୋର୍ଟଙ୍କ ୫ ଦିନିଆ ରିମାଣ୍ଡ ଅନୁମତି ପରେ ଆଜିଠୁ ଭଦ୍ରକ ଜେଲ୍‌ରୁ ୪ ଅଭିଯୁକ୍ତଙ୍କୁ କଟକ କ୍ରାଇମବ୍ରାଞ୍ଚ ଅଫିସକୁ ଆଣି ଜେରା କରାଯାଉଛି । ଏବେ ଅପେକ୍ଷା ରହିଲା, କେତେ ସତ କହୁଛନ୍ତି ଅଭିଯୁକ୍ତ ।