• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାରା ବିଶ୍ୱରେ ବିମାନ ଭିତରେ ହିଂସା ତଥା ଆକ୍ରମଣ ଘଟଣା ଦିନକୁ ଦିନ ଯଥେଷ୍ଟ ବୃଦ୍ଧି ପାଇଛି । ପ୍ରତିଦିନ କିଛି ନା କିଛି ଏପରି ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି । କେବେ କେହି ଯାତ୍ରୀ ବିମାନ ଭିତରେ ଏଆରହୋଷ୍ଟେସ୍‌ଙ୍କ ସହ ଦୁର୍ବ୍ୟବହାର କଲାଣି ତ ପୁଣି କେବେ କିଏ ମଝି ଆକାଶରେ ପୋଷାକ ଖୋଲି ଦେଉଛି, ପୁଣି କେହି ସହଯାତ୍ରୀଙ୍କ ଉପରେ ପରିସ୍ରା କରିଦେଉଛି। ଆଜି ପୁଣି ଏପରି ଏକ ଘଟଣାର ପୁନରାବୃତ୍ତି ହୋଇଛି ।

ମାସାଚୁସେଟ୍ସ ଲିଓମିନଷ୍ଟରର ଜଣେ ୩୩ ବର୍ଷିୟ ଯୁବକଙ୍କୁ ଗିରଫ କରାଯାଇଛି । ଲସ ଏଞ୍ଜେଲସରୁ ବୋଷ୍ଟନ ଅଭିମୁଖେ ଉଡ଼ାଣ ଭରୁଥିବା ବିମାନରେ ଥିବା ଏହି ଯୁବକ ଜଣକ ପ୍ରଥମେ ଯୁବକ ଜଣକ ଜରୁରୀକାଳୀନ ଗେଟ୍‌ ଖୋଲିବାକୁ ଚେଷ୍ଟା କରିଥିଲେ । ପରେ ଜଣେ ବିମାନ କର୍ମଚାରୀଙ୍କ ବେକକୁ ଭଙ୍ଗା ଚାମଚରେ ଆଘାତ କରିଥିବା ଅଭିଯୋଗ ହୋଇଛି ।

ଅଭିଯୁକ୍ତଙ୍କ ନାମ ଫ୍ରାନ୍ସିସ୍କୋ ସେଭେରୋ ଟୋରେସ୍(Francisco Severo Torres) । ଟୋରେସଙ୍କୁ ସୋମବାର ସନ୍ଧ୍ୟାରେ ବୋଷ୍ଟନ୍ ଲୋଗାନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗିରଫ କରାଯାଇଛି । ବିମାନ ଭିତରେ ଆକ୍ରମଣ କରି ବିମାନ କ୍ରିୟୁଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।

ଆଜି ଆମେରିକାର ଜିଲ୍ଲା କୋର୍ଟ ମାଜିଷ୍ଟ୍ରେଟ୍ ଜଜ୍ ଡେନ୍‌ଙ୍କ ନିକଟରେ ହାଜର ହୋଇଥିଲେ । ଜଜ୍‌ଙ୍କ ନିଷ୍ପତ୍ତି ଅନୁସାରେ ମାର୍ଚ୍ଚ ୯, ୨୦୨୩ ରେ ପରବର୍ତ୍ତୀ ଶୁଣାଣି ପାଇଁ ତାଙ୍କୁ ପୁଣି ଥରେ ହାଜର କରାଯିବ ।

ସୂଚନାଯୋଗ୍ୟ ମାର୍ଚ୍ଚ ୫, ୨୦୨୩ରେ ଟୋରେସ୍ ଲସ ଏଞ୍ଜେଲସରୁ ବୋଷ୍ଟନ୍ ଅଭିମୁଖେ ଯାଉଥିବା ଏକ ବିମାନରେ ଚଢ଼ିଥିଲେ । ବିମାନଟି ଅବତରଣ କରିବାର ପ୍ରାୟ ୪୫ ମିନିଟ୍ ପୂର୍ବରୁ ସେ ଏହି କାଣ୍ଡ ଘଟାଇଥିଲେ । ଜରୁରୀକାଳୀନ ଗେଟ୍‌ ଖୋଲିବା ପାଇଁ କେହି ଯାତ୍ରୀ ଚେଷ୍ଟା କରୁଥିବା କର୍ମଚାରୀମାନଙ୍କୁ ସୂଚାଇ ଦିଆଯାଇଥିଲା । ସୂଚନା ପାଇବା ପରେ ସେଠାରେ ପହଞ୍ଚିଥିଲେ ବିମାନ କର୍ମଚାରୀ, ଏବଂ ଟୋରେସ୍‌ଙ୍କୁ ଏପରି ନକରିବା ପାଇଁ ବାରଣ କରିଥିଲେ । ଏହାରି ଭିତରେ ଅଭିଯୁକ୍ତ ଜଣକ ଏକ ଭଙ୍ଗା ଚାମଚରେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟଙ୍କ ବେକକୁ ତିନି ଥର ଆକ୍ରମଣ କରିଥିଲେ । ଫଳରେ ଏହି ଅତର୍କିତ ଆକ୍ରମଣରେ ଗଭୀର ଭାବରେ ଆହତ ହୋଇଥିଲେ ବିମାନ କର୍ମଚାରୀ ।

ଏହି ଘଟଣା ପରେ ଅନ୍ୟ ଯାତ୍ରୀମାନେ ଟୋରେସଙ୍କୁ କାବୁ କରି ନେଇଥିଲେ । ତେବେ ଏହି ଧସ୍ତାଧସ୍ତିରେ ଅନ୍ୟ କୌଣସି ଯାତ୍ରୀ ଆହତ ହୋଇନାହାଁନ୍ତି । ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ,ସେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇପାରନ୍ତି ବୋଲି କୁହାଯାଉଛି ।