• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କାଳ ହେଲା ସେୟାର ମାର୍କେଟ୍‌ରେ ଟଙ୍କା ଦୁଇଗୁଣର ମୋହ । ୨୦ ଲକ୍ଷ ଠକେଇର ଶିକାର ହେବା ଜାଣି ହାରିଦେଲେ ଜୀବନ । ବିଷ ପିଇ ଆତ୍ମହତ୍ୟା କରିଥିବା ବଲାଙ୍ଗିର ଗନ୍ଧର୍ଲା ଗାଁର ବିନୋଦ ଯାଦବ ଉତ୍ତର ପ୍ରଦେଶର ମୂଳ ବାସିନ୍ଦା । ବିନୋଦ କିଛି ଦିନ ଦିଲ୍ଲୀରେ କାମ କରୁଥିବାବେଳେ ସେଠି ଓମ୍‌ପ୍ରକାଶ ନାମକ ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ । ତାଙ୍କ କଥାରେ ପଡ଼ି ସେୟାର ମାର୍କେଟରେ ଟଙ୍କା ଲଗାଇବାକୁ ନିଷ୍ପତ୍ତି ନେଇଥିଲେ । ସ୍ତ୍ରୀଙ୍କୁ ରାଜି କରାଇ ଗହଣା ଓ ବାଇକ୍ ସହ ନିଜ ଘର ବି ବନ୍ଧା ପକାଇଥିଲେ ।

ତାସହ ଗାଁର କିଛି ଲୋକଙ୍କଠାରୁ ପତ୍ନୀଙ୍କ ମାଧ୍ୟମରେ ଉଚ୍ଚ ସୁଧହାରରେ କରଜ ବି ଆଣିଥିଲେ । ପ୍ରାୟ କୋଡ଼ିଏ ଲକ୍ଷ ଟଙ୍କା ଏକାଠି କରି ଓମ୍‌ପ୍ରକାଶ ଆକାଉଣ୍ଟକୁ ପଠାଇଥିଲେ ବିନୋଦ । ଗତ ନୂଆଁଖାଇ ବେଳେ ଦିଲ୍ଲୀ ଯାଇ, ଓମ୍‌ପ୍ରକାଶ ପାଖରୁ ଦେଢ ଲକ୍ଷ ଟଙ୍କାର ଏକ ଚେକ୍ ବି ଆଣିଥିଲେ । ପ୍ରତି ସପ୍ତାହରେ ସମାନ ପରିମାଣର ଚେକ୍ ପଠାଇବେ ବୋଲି କଥା ଦେଇଥିଲେ ଓମ୍ପ୍ରକାଶ । ହେଲେ ଚେକ୍ ବାଉନସ୍ ହୋଇଯିବାରୁ ଆଉ ଫୋନ୍ ଉଠାଇନଥିଲେ । ତେଣୁ ଏକ ବଡ଼ ଧରଣର ଠକାମୀର ଶିକାର ହୋଇଥିବା ଜାଣି ବିଷ ପିଇ ବିନୋଦ ଆତ୍ମହତ୍ୟା କରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ଆଉ ସ୍ୱାମୀଙ୍କ ମୃତ୍ୟୁ ପରେ କେମିତି ଏତେ ଟଙ୍କାର କରଜ ଶୁଝିବେ ତାକୁ ନେଇ ଚିନ୍ତା ।

ବିନୋଦ ଯାଦବଙ୍କ ଘଟଣା ସାମ୍ନାକୁ ଆସିବା ପରେ, ବଲାଙ୍ଗିର ଜିଲ୍ଲାରୁ ଆସିଲାଣି ମାଳମାଳ ଠକାମୀର ଘଟଣା । କିଏ ମୋବାଇଲ ମେସେଜରୁ ଠକାମୀର ଶିକାର ହେଉଛି, ତ କିଏ ଫୋନ କଲ୍‌ରୁ । ଠିକାଦାରପଡାର ପ୍ରଭାକାନ୍ତ ପ୍ରଧାନ, ଯିଏ କି ନିୟମିତ ସେୟାର ମାର୍କେଟରେ ଟଙ୍କା ଲଗାନ୍ତି, ତପାପି ଗଲାବର୍ଷ ଏକ ମୋବାଇଲ୍ ମେସେଜରେ ବିଶ୍ୱାସ କରି, ନିର୍ଦ୍ଦିଷ୍ଟ ଏକ କଂପାନୀର ଟ୍ରେଡରେ ଲକ୍ଷେ ଟଙ୍କା ଲଗାଇ ଠକାମୀର ଶିକାର ହୋଇଛନ୍ତି । ସେମିତି ସଦରଥାନା କଗାଁର ରଂଜନ ମିଶ୍ରଙ୍କ ପାଖକୁ ହଠାତ ଦିନେ ଅଜଣା ଝିଅର କଲ୍ ଆସିଲା । ନିଜ ଜାଗାରେ ମୋବାଇଲ୍ ଟାୱାର ବସାଇ ଲାଭ ପାଇବାର ଲୋଭ ଦେଖାଇ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୮୦ ହଜାର ଟଙ୍କା ଠକି ନେଲେ ଲୁଟେରା । ଏନେଇ ବଲାଙ୍ଗିର ସାଇବର ଥାନାରେ ୫ ମାସ ତଳୁ ରଂଜନ ଅଭିଯୋଗ କରିଛନ୍ତି, ହେଲେ ତଦନ୍ତ ଶୁନ୍ ।

ଟଙ୍କା ଦୁଇଗୁଣା ଲୋଭ ଦେଖାଇ ବାରମ୍ବାର ବଢୁଥିବା ଠକେଇ ଘଟଣାକୁ ନେଇ ସତର୍କ କରାଇଛନ୍ତି ବଜାର ବିଶେଷଜ୍ଞ । ମୋବାଇଲ୍‌ରେ ଆସୁଥିବା କୌଣସି ପ୍ରକାର ଅଜଣା ଲିଙ୍କ୍‌କୁ କ୍ଲିକ୍ ନକରିବାକୁ ପରାମର୍ଶ ଦେବା ସହ ଅର୍ଥ ଲଗାଣ ସଂପର୍କିତ ଅଜଣା ଲୋକଙ୍କ ଫୋନ୍ କଲ୍ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବାକୁ କହିଛନ୍ତି ।