/odishatv-khabar/media/post_attachments/uploadimage/library/16_9/16_9_0/IMAGE_1638516141.jpg)
HIGH Court Mamita
ମମିତା ହତ୍ୟା ମାମଲାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କଲେ ସରକାର । ହାଇକୋର୍ଟରେ ପୂରା ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି ରାଜ୍ୟ ସରକାର । ଏଥିରେ ତଦନ୍ତର ଅଗ୍ରଗତି ନେଇ ପୂରା ରିପୋର୍ଟ ରହିଥିବା କୁହାଯାଉଛି । ଏକ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିଛନ୍ତି ସରକାର ।
କିଛି ଦିନ ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମମିତାଙ୍କ ବାପା ଓ ଭାଇ । ଶୀଘ୍ର ତଦନ୍ତ ସାରି ଫାଷ୍ଟଟ୍ରାକ କୋର୍ଟରେ ବିଚାର ପାଇଁ ଆବେଦନ କରିଥିଲେ ମମିତାଙ୍କ ପରିବାର ଲୋକ ।
ସୂଚନାଯୋଗ୍ୟ, ଏବେ ବି ରାଜ୍ୟରେ ମମିତା ନିଆଁ ଥମିବାର ନାଁ ଧରୁନି । ହେଲେ ଆରମ୍ଭରୁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଓ ଗୋବିନ୍ଦ ସାହୁକୁ ମମିତାଙ୍କ ମୃତ୍ୟୁ ପାଇଁ ଦାୟୀ କରିଥିବା ବାପା ସୁଚନ୍ଦ୍ର ପରେ କିନ୍ତୁ ନିଜର ସ୍ୱର ବଦଳାଇଛନ୍ତି । ସେ ପୋଲିସ ତଦନ୍ତରେ ଖୁସି ଅଛନ୍ତି ବୋଲି କହିବା ସହ ମନ୍ତ୍ରୀଙ୍କୁ ମଧ୍ୟ ଆଉ ଦୋଷ ଦେଉ ନାହାନ୍ତି । ଅନ୍ୟପଟେ ଗଣମାଧ୍ୟମରେ କ୍ଷୋଭ ପ୍ରକାଶ କରି ସୁଚନ୍ଦ୍ର କହିଥିଲେ ମମିତାଙ୍କୁ ନେଇ ଆଉ କୌଣସି ଖବର ପ୍ରସାରଣ କରନ୍ତୁ ନାହିଁ । ଏମିତିକି ଖବର ପ୍ରସାରଣ ଦ୍ୱାରା ମମିତାଙ୍କ ଚରିତ୍ର ହାନୀ ହେବା ସହ ପରିବାରର ମାନସମ୍ମାନ ମଧ୍ୟ ହାନୀ ହେଉଛି ।
ଏହାପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଗଣମାଧ୍ୟମ ବିରୋଧରେ ଅଭିଯୋଗ ମଧ୍ୟ କରିଥିଲେ । ଏବଂ ଶୀଘ୍ର ଘଟଣାର ତଦନ୍ତ ସାରିବାକୁ ନିବେଦନ କରିଥିଲେ । ଖାଲି ସେତିକି ନୁହେଁ ହାଇକୋର୍ଟରେ ଦାଖଲ ହୋଇଥିବା ପିଟିସନ୍ରେ ଅନେକ ଖବର କାଗଜର କଟ୍ପିସ୍ ମଧ୍ୟ ସେ ଉଦାହରଣ ସ୍ୱରୂପ ହାଇକୋର୍ଟଙ୍କୁ ଦେଇଥିଲେ ।
ଅନ୍ୟପଟେ ମମିତା ହତ୍ୟାକାଣ୍ଡକୁ ନେଇ ରାଜ୍ୟରେ ରାଜନୀତି ସରଗରମ ହେବାରେ ଲାଗିଛି । ବିଜେପି-କଂଗ୍ରେସ ରାଜ୍ୟ ସରକାରଙ୍କୁ ନାକେଦମ୍ କଲେଣି । ୩ ଦିନ ହେବ ବିଧାନସଭା ଚାଲିପାରୁନି । ବିରୋଧୀ ଦଳ ମାନେ ନିଆରା ଢ଼ଙ୍ଗରେ ସରକାରଙ୍କୁ ପ୍ରତିବାଦ କରିଛନ୍ତି । ଆଜି ବିଜେପି ନେତା ମୋହନ ମାଝି ବିଧାନସଭାରେ ଗୋବର ପାଣି ଛିଞ୍ଚିବା ସହ ଗଙ୍ଗା ଜଳ ମଧ୍ୟ ଛିଞ୍ଚିଛନ୍ତି । କାରଣ ଦିବ୍ୟଶଙ୍କର ମିଶ୍ର ପବିତ୍ର ବିଧାନସଭା ଗୃହରେ ପ୍ରବେଶ କରି ଏହାକୁ ଅପବିତ୍ର କରିଦେଲେ ବୋଲି ମୋହନ ମାଝି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)