Advertisment

ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତଙ୍କ ଜାମିନ ଆବେଦନ ଖାରଜ, ରହିବେ ଜେଲ୍‌ରେ

ବିଲ୍ଡର୍ ଶିଶିର ଦାସଙ୍କୁ ଜାମିନ ମିଳିଛି । ପାରାଦୀପ ପୋର୍ଟ ଲାଞ୍ଚ କାରବାରରେ ଗିରଫ ହୋଇଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣ ବିଚାର ବିଭାଗୀୟ ହାଜତରେ ରହିବେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Charchit Mishra

Charchit Mishra

ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲାରେ ଶିଳ୍ପପତି ମହିମା ମିଶ୍ର ତଥା OSL ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ରଙ୍କ ଜାମିନ ଆବେଦନ ଖାରଜ । ତାଙ୍କର ଦୁଇ ସହଯୋଗୀ ଦେବପ୍ରିୟ ମହାନ୍ତି ଓ ସୁମନ୍ତ ରାଉତଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ଏହି ୩ ଅଭିଯୁକ୍ତ ପୁଣି ଜେଲ୍‌ରେ ରହିବେ । ତେବେ ବିଲ୍ଡର୍ ଶିଶିର ଦାସଙ୍କୁ ଜାମିନ ମିଳିଛି । ପାରାଦୀପ ପୋର୍ଟ ଲାଞ୍ଚ କାରବାରରେ ଗିରଫ ହୋଇଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣ ବିଚାର ବିଭାଗୀୟ ହାଜତରେ ରହିବେ ।

Advertisment

ଭଏସ୍ ଟେଷ୍ଟ ପାଇଁ ସିବିଆଇ କରିଥିବା ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି । ଶିଳ୍ପପତି ମହିମା ମିଶ୍ରଙ୍କ କମ୍ପାନି OSLକୁ ଅହେତୁକ ଅନୁକମ୍ପା ପ୍ରଦାନ ପାଇଁ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ କରି ସିବିଆଇ ମହିମା ମିଶ୍ରଙ୍କ ପୁଅ ତଥା OSL ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ର, ଚିଫ୍ ଇଂଜିନିୟର ସରୋଜ ଦାଶ, ତାଙ୍କ ସହଯୋଗୀ ବିଲ୍ଡର ଶିଶିର ଦାସ, କେସିଟିର ଦେବପ୍ରିୟ ମହାନ୍ତିଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ମହିମା ମିଶ୍ରଙ୍କ କଟକ ଘର, ଅଫିସ ସହିତ ପାରାଦୀପ ଓ ଅନ୍ୟାନ୍ୟ ସ୍ଥାନରେ ରେଡ୍ କରିଥିଲା ସିବିଆଇ । ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନଙ୍କୁ ମଧ୍ୟ ଜେରା କରିଥିଲା ।

ଅନ୍ୟପଟେ ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲାରେ ୭ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିଥିଲା ସିବିଆଇ । ଏହି ୭ ଅଭିଯୁକ୍ତଙ୍କ ରିମାଣ୍ଡ ଆଜି ଶେଷ ହୋଇଥିଲା । ସମସ୍ତ ୭ ଅଭିଯୁକ୍ତଙ୍କୁ ଆଉ ଥରେ ୯ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ କୋର୍ଟଙ୍କ ନିକଟରେ ଆବେଦନ କରିଛି । ଏହି ଆବେଦନ ବିଚାରାଧୀନ ରହିଛି ।

Advertisment

ସୂଚନାଯୋଗ୍ୟ, ପାରାଦୀପ ବନ୍ଦରକୁ କ୍ଷତି ଆଉ ବ୍ୟକ୍ତିଗତ ଲାଭ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଲାଞ୍ଚ କାରବାର । ଏ ଅଭିଯୋଗରେ ପାରାଦୀପ ବନ୍ଦରର ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ କୁମାର ଦାସ ଗିରଫ ହୋଇଛନ୍ତି । ଏ ମାମଲାରେ ତନାଘନା କରି CBI ଦେଶର ପ୍ରାୟ ୧୫ଟି ସ୍ଥାନରେ ଚଢାଉ କରିଥିଲା । ପରେ ଜଣ ଜଣଙ୍କୁ ଗିରଫ କରିଥିଲା ସିବିଆଇ ।

ଏମାନଙ୍କ ମଧ୍ୟରେ ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ତଥା OSLର ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ର ମଧ୍ୟ ଅଛନ୍ତି । ୬୦ ଲକ୍ଷ ଟଙ୍କାର ବିପୁଳ ଲାଞ୍ଚ କାରବାର ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ଅଫିସ, ଘର ଓ ଅନ୍ୟ ସ୍ଥାନରେ ରେଡ୍ ସହ ତାଙ୍କ ପୁଅ ଚନ୍ଦନ ମିଶ୍ରଙ୍କୁ ଜେରା କରିଥିଲା ସିବିଆଇ । ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ବଡ଼ ପୁଅ ଚନ୍ଦନ ମିଶ୍ରଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟକୁ ଡାକି ପଚରାଉଚରା କରିଥିଲା ତଦନ୍ତକାରୀ ସଂସ୍ଥା ।

ସିବିଆଇର ସୂଚନା ଅନୁସାରେ ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ କୁମାର ଦାସ ବିଭିନ୍ନ ସମୟରେ ପାରାଦୀପ ବନ୍ଦରରେ ନିୟୋଜିତ ଥିବା ବିଭିନ୍ନ ଘରୋଇ କମ୍ପାନୀଙ୍କୁ ଅହେତୁକ ଅନୁକଂପା ଦେଖାଇ ତାଙ୍କ ଘନିଷ୍ଠ ମଧ୍ୟସ୍ଥିଙ୍କ ଜରିଆରେ ଅଭ୍ୟାସଗତ ଭାବେ ଲାଞ୍ଚ ଗ୍ରହଣ କରି ଆସୁଥିଲେ । ଏହି ମଧ୍ୟସ୍ଥି ଜଣଙ୍କର ପୋର୍ଟର ଅପରେସନ୍ ମ୍ୟାନେଜର ଓ ଘରୋଇ କମ୍ପାନୀ ସହ ଘନିଷ୍ଠତା ରହିଥିଲା ।

CBI Raid Mahima Mishra Charchit Mishra
Advertisment
Advertisment