• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାହାଙ୍ଗା ଗଣହତ୍ୟା ମାମଲା । ସରିଲା ଅଭିଯୁକ୍ତ ଶିବ ସାହୁର ୩ ଦିନିଆ ରିମାଣ୍ଡ । ଆଜି ଶିବକୁ କୋର୍ଟରେ ହାଜର କରିବ ପୋଲିସ । ଶନିବାର ଶିବକୁ ବାଲିଚନ୍ଦ୍ରପୁର ବଜାରକୁ ନେଇଥିଲା ପୋଲିସ । ଯେଉଁ କମାର ଶାଳରେ ହତ୍ୟାରେ ବ୍ୟବହୃତ କଟୁରୀ ପଜାଇଥିଲା ସେ ସ୍ଥାନକୁ ନେଇ ପଚରାଉଚରା କରିଥିଲା ପୋଲିସ । କୁହାଯାଉଛି ଆଉ କିଛି ଦିନ ପାଇଁ ଶିବକୁ ରିମାଣ୍ଡରେ ଆଣିବା ପାଇଁ ମାହାଙ୍ଗା ପୋଲିସ ଆବେଦନ କରିପାରେ ।

ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର, କଟୁରୀ ଓ ଶିବର ମୋବାଇଲ ପୂର୍ବରୁ ସିଜ୍‌ କରିଛି ପୋଲିସ । ତେବେ ଛୋଟିଆ କୋଠରୀରେ ଏତେ ବଡ଼ କାଣ୍ଡ ଘଟୁଥିଲେ ବି ପଡୋଶୀ କାନକୁ କେମିତି ଶୁଭିଲାନି ? ଘଟଣାଦିନ ଅନ୍ୟ ଏକ ଘରେ ଥିବା ଶିବର ପତ୍ନୀ ସବୁ ଜାଣୁଥିଲେ ବି କାହିଁକି କାହାକୁ ଡାକିଲେନି ? ହତ୍ୟା ପୂର୍ବରୁ ୫ ଜଣଙ୍କୁ କୌଣସି ନିଶାଦ୍ରବ୍ୟ ଦେଇଥିଲା କି ଶିବ ? ଏସବୁ ପ୍ରସଙ୍ଗରେ ଅଧିକ ତଦନ୍ତ କରୁଛି ପୋଲିସ ।

ସୂଚନାଯୋଗ୍ୟ, ପୈତୃକ ସମ୍ପତ୍ତି ବିବାଦରୁ ତିକ୍ତତା ନେଲା ଭୟଙ୍କର ଭ୍ରାତୃ ବିବାଦର ରୂପ । ଆଉ ଶେଷରେ ସାନ ଭାଇର ସଇତାନୀ କାଣ୍ଡରେ ନିଶ୍ଚିହ୍ନ ହୋଇଗଲା ବଡ଼ ଭାଇର ପରିବାର । ମାହାଙ୍ଗା କୁସୁପୁର ଗଣହତ୍ୟା ପଛରେ ଯେଉଁ ଜାଗାବାଡ଼ି ବିବାଦ କଥା ଉଠୁଛି, ଆଜି ବି ସମସ୍ତଙ୍କ ମୁହଁରୁ ସେହି ସମାନ କଥା ଶୁଣିବାକୁ ମିଳିଛି । ହେଲେ ପାଞ୍ଚ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ବନ୍ଦ ଘରେ କେମିତି ଏକୁଟିଆ ହତ୍ୟା କଲା ସାନ ଭାଇ ଶିବ ?

୫ ଜଣଙ୍କୁ ନୃଶଂସ ଭାବେ ହାଣିବା ସତ୍ତ୍ୱେ, ଶିବ ଦେହରେ ଟିକିଏ ବି ରକ୍ତ ଲାଗିଲାନି କେମିତି ? ଆଜିକୁ ୫ଦିନ ହେଲା, ସମସ୍ତଙ୍କ ମୁଣ୍ଡରେ ଘୁରିବୁଲୁଛି ଏମିତି ଅସମାହିତ ପ୍ରଶ୍ନ । ଏସବୁ ଭିତରେ ଆଜି ଅଭିଯୁକ୍ତ ଶିବର ପତ୍ନୀ ସେହି କାଳରାତିର କାହାଣୀ ବଖାଣିଛନ୍ତି ।

ଗଣହତ୍ୟାର ମୁକସାକ୍ଷୀ ଘର ଆଜି ଜନଶୂନ୍ୟ । ପିତୃ ପୁରୁଷ ଅର୍ଜିତ ଘରକୁ ଆଜି ଯିଏ ବି ଦେଖୁଛି, ଭୟ କରୁଛି । ମାହାଙ୍ଗା କୁସୁପୁର ଗାଁର ସେହି ଘରେ ମଙ୍ଗଳ ରାତିରେ ସଂଘଟିତ ହୋଇଥିଲା ମରଣର ମହାଭାରତ । ଭାତ୍ରୁ ବିବାଦରୁ ଗଡ଼ିଥିଲା ପାଞ୍ଚ ପାଞ୍ଚଟି ମୁଣ୍ଡ । ଆଜି ସେହି ଘରେ ତାଲା ପଡ଼ିଛି, ସିଲ୍ କରିଛି ପୋଲିସ । ରାତିର ନିସ୍ତବ୍ଧ ପହରରେ ସୈତାନ ସାଜି ବଡ଼ଭାଇ, ଭାଉଜ, ଜଣେ ଝିଆରୀ ଓ ୨ ପୁତୁରାକୁ ଶିବ ନିଶ୍ଚିହ୍ନ କରିଦେଇଥିଲା ଏହି ଘରେ ।

ଗାଁ ଲୋକଙ୍କ କହିବା କଥା, ଗତ ୧୦-୧୫ ବର୍ଷ ହେଲା ଏହି ଘରକୁ ନେଇ ବିବାଦ ରହିଛି । ଅନେକ ଥର ଗାଁରେ ସଭା କରି ନିଷାପ କରିବାକୁ ଚେଷ୍ଟା ବି କରାଯାଇଛି । ପରସ୍ପର, ପରସ୍ପର ବିରୋଧରେ ଥାନାରେ ଅନେକ ମାମଲା ରୁଜୁ କରିଛନ୍ତି । ଏପରିକି ବଡ଼ ଭାଇ ଅଲେଖ ସାହୁ ବିରୋଧରେ ସାନ ଭାଇ ଶିବ ପକ୍ଷରୁ ଦୁଷ୍କର୍ମ ଅଭିଯୋଗ ନେଇ ଥାନାରେ ମାମଲା ବି ରୁଜୁ ହୋଇଛି । ଆଉ ସେହି ବିବାଦ ଉଗ୍ରରୂପ ନେବା ପରେ ବଡ଼ଭାଇର ପରିବାରକୁ ଶିବ ହତ୍ୟା କରିଥିବା ଆଶଙ୍କା କରିଛନ୍ତି ଗାଁ ଲୋକେ ।