• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସବୁଜ ସୁନ୍ଦର ଜଙ୍ଗଲରୁ ହେଉଛି ଲୁଟ୍ । କେନ୍ଦୁଝରରେ ଠିକା ସଂସ୍ଥାର ମନମାନି । ଦିନକୁ ଦିନ ପରିବେଶ ଅସନ୍ତୁଳିତ ହୋଇପଡୁଥିବା ବେଳେ ଏହାର ସନ୍ତୁଳନ ରଖିବା ଓ ଜୀବଜନ୍ତୁଙ୍କୁ ସୁରକ୍ଷା ଦେବା ନିମନ୍ତେ କରାଯାଉଛି ନିୟମ ପରେ ନିୟମ । ହେଲେ ସବୁ ନିୟମ ଯେମିତି ଫସର ଫାଟି ଯାଏ ବଡ଼ବଡିଆ ଠିକା ସଂସ୍ଥା ନିକଟରେ । ସରକାରୀ ବାବୁମାନେ ସବୁ ଜାଣିଶୁଣି ଚୁପ ରହିଯାଆନ୍ତି ।

କେନ୍ଦୁଝରରେ ଠିକା ସଂସ୍ଥାମାନେ ବେଆଇନ ଭାବେ ଜଙ୍ଗଲରୁ ଉଠାଉଛନ୍ତି ମାଟି । ଜାତୀୟ ରାଜପଥ ୨୦ର ସମ୍ପ୍ରସାରଣ ନାଁରେ କେନ୍ଦୁଝର ଅଟେଇ ଜଙ୍ଗଲରୁ ଲୁଟ୍ ହେଉଛି ଶହ ଶହ ଟ୍ରିପ୍ ମାଟି । ସଂପୃକ୍ତ ଠିକାସଂସ୍ଥା କାହାରିକୁ ଖାତିର ନକରି ଦିନ ଦ୍ୱିପ୍ରହରେ ଜଙ୍ଗଲରୁ ମାଟି ଉଠାଉଥିବା ବେଳେ ସବୁ ଜାଣି ବି ନିଦାବିଷ୍ଣୁ ସାଜିଛି ପ୍ରଶାସନ । ଜଙ୍ଗଲ ବିଭାଗ ଠାରୁ ଆରମ୍ଭ କରି ତହସିଲ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ସମସ୍ତେ ଚୁପ । ତେବେ ଏହି ଠିକାସଂସ୍ଥା ପ୍ରତି କାହିଁକି ଏତେ ଅନୁକମ୍ପା ? ତାକୁ ନେଇ ଉଠିଛି ପ୍ରଶ୍ନ ।

ଦୀର୍ଘଦିନ ଅଟକିବା ପରେ ଜାତୀୟ ରାଜପଥ ୨୦ର ସଂପ୍ରସାରଣ କାମ ଆରମ୍ଭ ହୋଇଛି । କିନ୍ତୁ ସବୁ ସରକାରୀ ନିୟମକୁ ଦଳି ଚକଟି ସଂରକ୍ଷିତ ଜଙ୍ଗଲରୁ ଗଛ ନଷ୍ଟ କରିବା ସହ ବେଆଇନ ମାଟି ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି । ଦରଖଳା ନିକଟ ଜଙ୍ଗଲରୁ ଦୈନିକ ଶହ ଶହ ଟ୍ରିପ ମାଟି ଯାଜପୁର ଯାଏଁ ଯାଉଛି । କିନ୍ତୁ ଏହା କାହା ନଜରରେ ପଡୁନି । ପୂର୍ବରୁ ଘଷିପୁରା ତହସିଲ ଅଞ୍ଚଳରେ ସମ୍ପୃକ୍ତ ଠିକା ସଂସ୍ଥା ମୋରମ ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଥିଲା । ପରେ ଧର୍ମକୁ ଆଖିଠାର ଭଳି କିଛି ଟଙ୍କା ଜୋରିମାନା କାଟିଦେଇ କାମ ସାରି ଦେଇଥିଲେ ଘଷିପୁରା ତହସିଲ କର୍ତ୍ତୃପକ୍ଷ । ତେବେ ଜଙ୍ଗଲରୁ ଏଭଳି ଲୁଟ୍ ଜାରି ରହିଲେ ଏହା ପରିବେଶ ପ୍ରତି ବଡ ବିପଦ ବୋଲି କହିଛନ୍ତି ସ୍ଥାନୀୟ ନେତା ଓ ବୁଦ୍ଧିଜୀବୀ ।

ସେପଟେ ବେଆଇନ୍ ମାଟି ଚାଲାଣ ସଂପର୍କରେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନାକରିଥିଲେ ବି ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କେନ୍ଦୁଝର ଡିଏଫଓ ।