• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆଉ ତ୍ରାହି ମିଳୁନି ଲୁଟେରାଙ୍କ ଲୁଟତରାଜରୁ...ଆଉ ଶାନ୍ତିରେ ନିଦ ହେଉନି ଆପାର୍ଟମେଣ୍ଟରେ...ଜନଶୂନ୍ୟ ଫ୍ଲାଟରେ ପଶୁଛନ୍ତି ଲୁଟେରା...ସଂଘବଦ୍ଧ ହୋଇ କଳାକନା ବୁଲାଇ ହୋଇଯାଉଛନ୍ତି ସୀମାପାର୍ । କମିଶନରେଟ୍ ପୋଲିସର ତଥାକଥିତ ସୁରକ୍ଷା ବ୍ୟବସ୍ଥାକୁ ଖୋଲା ଚାଲେଞ୍ଜ ଦେଇ ଗତରାତିରେ ପୁଣି ଏକ ବଡ଼ ଧରଣର ଲୁଟ୍ କରିଛନ୍ତି ଲୁଟେରା ଗ୍ୟାଙ୍ଗ ।

ଭୁବନେଶ୍ୱର ପାହାଳା ଥାନା ଅଞ୍ଚଳର ମେଟ୍ରୋ ସାଟେଲାଇଟ ସିଟି । ଲୁଟ୍ ହୋଇଛି ତିନି ତିନିଟି ଫ୍ଲାଟରୁ । ରାତି ୩ଟା ୩୨ରୁ ୪ଟା ୧୨ । ୪୦ ମିନିଟ୍ ମଧ୍ୟରେ ବ୍ଲକ-ବିର ୩୦୩, ବ୍ଲକ-ସିର ୩୦୮ ଏବଂ ବ୍ଲକ-ଡିର ୩୦୮ ଫ୍ଲାଟରୁ ସୁନା ଅଳଙ୍କାର ସହ ଟଙ୍କା ଧରି ଚମ୍ପଟ ମାରିଛନ୍ତି ଲୁଟେରା । ବ୍ଲକ-ବିରେ ଥିବା ଯାଜପୁରର ଜଣେ ବ୍ୟବସାୟୀଙ୍କ ୩୦୩, ବ୍ଲକ୍-ସିରେ ଥିବା ଜଣେ ଆଇଟି ପ୍ରଫେସନାଲଙ୍କ ୩୦୮ ଏବଂ ବ୍ଲକ-ଡିରେ ଥିବା ଜଣେ ବିଚାରପତିଙ୍କ ୩୦୮ ନମ୍ବର ଫ୍ଲାଟରୁ ଚୋରି କରିଛନ୍ତି ଦୁର୍ବୃତ୍ତ ।

ତେବେ କେମିତି ହୋଇଥିଲା ଲୁଟତରାଜ, ତାହାର ପ୍ରତିଟି ଚିତ୍ର କଏଦ୍ ହୋଇଛି ସିସିଟିଭିରେ । ରାତି ୩ଟା ୩୨। ପାହାନ୍ତିଆ ନିଦରେ ଶୋଇଯାଇଥିଲେ ଆପାର୍ଟମେଣ୍ଟବାସୀ । ଯେଉଁ ଘରକୁ ଟାର୍ଗେଟ୍ କରି ମିଶନ ଆରମ୍ଭ କରିଥିଲେ ଲୁଟେରା, ସେହି ଘରେ କେହିନଥିଲେ । ହତା ନଥିବା ଆପାର୍ଟମେଣ୍ଟରେ ରାତି ପାଇଁ ନିଯୁକ୍ତ ଥିଲେ ଜଣେ ମାତ୍ର ସିକ୍ୟୁରିଟି ଗାର୍ଡ । ଯାହାର ଫାଇଦା ନେଇ ଆପାର୍ଟମେଣ୍ଟରେ ପଶିବା ପରେ ଦୁର୍ବୃତ୍ତ ପ୍ରଥମେ ଗେଟରେ ତାଲା ଭାଙ୍ଗିଲା । ତା’ପରେ ଖଣ୍ଡେ ଖଣ୍ଡେ ଅନ୍ତବସ୍ତ୍ର ପିନ୍ଧିଥିବା ୩ ଲୁଟେରା ପଶିଲେ ଘର ଭିତରେ। ଏଭଳି ଭାବେ ଗୋଟିଏ ପରେ ଗୋଟିଏ ଫ୍ଲାଟରେ ପଶି କେଉଁଠୁ ଟଙ୍କା ତ କେଉଁଠୁ ସୁନା ଅଳଙ୍କାର ଲୁଟି ସନ୍ତର୍ପଣରେ ଖସିଯାଇଥିଲେ ଏମାନେ । ଏମାନଙ୍କ ଦେହରେ ନା ପୋଷାକ ଅଛି, ପାଦରେ ନା ଚପଲ କିମ୍ବା ଜୋତା ଅଛି। ଲୋକଙ୍କ କାବୁରୁ ବର୍ତ୍ତିବା ପାଇଁ ଅଭିନବ ଫଣ୍ଡା ଆପଣାଇବା ସହ ଲୁଟପାଟ୍ କରି ଖସିଯାଇଛନ୍ତି ସମସ୍ତେ ।

ସମାନ ଢଙ୍ଗରେ ଲୁଟ୍ ହୋଇଥିଲା ଇନଫୋସିଟି ଥାନା ପଥରଗାଡ଼ିଆରେ ଥିବା ରାଜବାଟିକା ଆପାର୍ଟମେଣ୍ଟରେ । ୨୦୨୩ ଅକ୍ଟୋବର ୧୦ରେ ରାଜବାଟିକା ଆପାର୍ଟମେଣ୍ଟରୁ ଲୁଟ୍‌ ହୋଇଥିଲା । ଉଭୟ ସ୍ଥାନରେ ସମାନ ଫଣ୍ଡା ଆପଣାଇଥିଲା ଲୁଟେରା । ତେଣୁ ଆଶଙ୍କା କରାଯାଉଛି, ସଂପୃକ୍ତ ଲୁଟେରାମାନେ ରାଜଧାନୀର ଏକାଧିକ ଆପାର୍ଟମେଣ୍ଟରୁ ଚୋରି କରିଛନ୍ତି । ଗତ ୫ରୁ ୬ ମାସ ମଧ୍ୟରେ ଭୁବନେଶ୍ୱରର ପ୍ରାୟ ୧୦ଟି ଆପାର୍ଟମେଣ୍ଟର ୨୫ଟି ଫ୍ଲାଟକୁ ଏଭଳି ଟାର୍ଗେଟ କରିସାରିଲେଣି ଲୁଟେରା । ତେବେ କେଉଁଠି ରହୁଛି ଭୁଲ ? ଆପାର୍ଟମେଣ୍ଟରେ ନିଯୁକ୍ତ ଘରୋଇ ସିକ୍ୟୁରିଟି ଗାର୍ଡଙ୍କ ଦାୟିତ୍ୱହୀନତା ନା କମିଶନରେଟ୍ ପୋଲିସର ଢିଲା ଦାୟିତ୍ୱପଣିଆ ?

  • Reported by:
  • ATULYA BOUT