ଦେଶୀ ମଦ ବ୍ୟବବସାୟୀ ବିକ୍ରମ ସାହୁଙ୍କ ଉପରେ ଆୟକର ବିଭାଗର ଚଢାଉ ଜାରି । ଦ୍ବିତୀୟ ଦିନରେ ମଧ୍ୟ ଚଢାଉ ଜାରି ରଖିଛନ୍ତି ଆୟକର ଟିମ । ଅନୁଗୁଳ. ତାଳଚେର, ବଇଣ୍ଡା, କାମାକ୍ଷାନଗର, ରାୟଗଡା, ଭୁବନେଶ୍ବର ସମେତ ୧୫ ଟି ସ୍ଥାନରେ ଜାରି ରହିଛି ଚଢାଉ । ଚଢାଉ ବେଳେ ସମ୍ନାକୁ ଆସିଛି ପୁଳା ପୁଳା ଟଙ୍କା । ଆୟକର ବିଭାଗର ସୂତ୍ରରୁ ମିଳିଥିବା ଖବର ଅନୁସାରେ ବିକ୍ରମ ସାହୁଙ୍କ ଅନୁଗୁଳ କରଡଗାଡିଆ ଘରୁ ୭ କୋଟି ନଗଦ ଟଙ୍କା ଜବତ ହୋଇଥିବା ବେଳେ ଅନ୍ୟ ଏକ ସ୍ଥାନରୁ ପାଖାପାଖି ୧୦ କୋଟି ନଗଦ ଟଙ୍କା ଜବତ ହୋଇଛି । ଏତେ ଟଙ୍କା ଓ ଅମାପ ସମ୍ପତି ଦେଖି ଆୟକର ବିଭାଗ ତାଜୁବ ।
ଯେଉଁଠି ଦେଖିବ ସେଇଠି ରହିଛି ବିକ୍ରମ ସାହୁଙ୍କର ଦେଶୀ ମଦ ଭାଟି । ଯେଉଁ ସହରରେ ଖୋଜିବ ସେଇଠି ପାଇବ ବିକ୍ରମଙ୍କର ଆଲିଶାନ ବଙ୍ଗଳା । ଖାଲି ଏତିକି ନୁହେଁ ଅନୁଗୁଳ ଓ ପୁରୀରେ ରହିଛି ୩ ଟି ବିଳାଶମୟ ହୋଟେଲ । ଏହାରି ଭିତରେ ଗତ ୬ ମାସ ତଳେ ୩୫ କୋଟି ଟଙ୍କା ଦେଇ ପୁରୀରେ ଆଉ ଏକ ହୋଟେଲ କିଣିଛନ୍ତି । ଏତିକିରେ ସରି ଯାଇନି ସମ୍ପତି ତାଲିକା । ଭୁବନେଶ୍ବରରେ ଆଖି ଖୋସି ଦେଲାଭଳି ବିଳାଶପୂର୍ଣ୍ଣ କୋଠା । ଅନୁଗୁଳ, ତାଳଚେରରେ ମଧ୍ୟ ରହିଛି କୋଠା । ସେହିଭଳି ଅନୁଗୁଳ ସହରରରେ ରହିଛି ଏକ ପେଟ୍ରୋଲ ପମ୍ପ । ଦେଶୀ ମଦ ବେପାରୀ ବିକ୍ରମ ସାହୁଙ୍କ ଉପରେ ଆୟକର ବିଭାଗର ଚଢାଉ ପରେ ସମ୍ନାକୁ ଆସିଛି ତାଙ୍କର କୋଟି କୋଟି ଟଙ୍କାର ସମ୍ପତି ।
Also Read
ଅଧିକ ପଢ଼ନ୍ତୁ: ନିଆଁ ଧରାଇଦେଲା ଦୁର୍ନୀତି, ଜଜଙ୍କ ଘରୁ ମିଳିଲା ଆଖି ଖୋସି ହୋଇଗଲା ଭଳି ବିଡ଼ା ବିଡ଼ା ଟଙ୍କା
ଏହାରି ଭିତରେ ଆୟକର ଟିମକୁ ତାଜୁବ କରିଛି ତାଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନରୁ ମିଳିଥିବା ପୁଳା ପୁଳା ଟଙ୍କା । ଆୟକର ବିଭାଗ ସୂତ୍ରରୁ ମିଳିଥିବା ଖବର ଅନୁସାରେ ବିକ୍ରମଙ୍କର କରଡଗାଡିଆ ଘରୁ କେବଳ ୭ କୋଟିର ନଗଦ ଟଙ୍କା ମିଳିଥିବା ବେଳେ ଅନ୍ୟ ଏକ ବ୍ୟବସାୟ ପ୍ରତିଷ୍ଠାନରୁ ୧୦ କୋଟିର ନଗଦ ଟଙ୍କା ଜବତ କରିଛି ଚଢାଉକାରୀ ଟିମ । ତେବେ ବିଭିନ୍ନ ସ୍ଥଖାନରୁ ପୁଳା ପୁଳା ଟଙ୍କା ଆୟକର ବିଭାଗ ପାଇଥିବା ବେଳେ ଏହାକୁ ନେଇ ଚାଲିଛି ହିସାବ ତାଲିକା । ସେପଟେ ବିକ୍ରମ ସାହୁଙ୍କୁ ତାଙ୍କ ଘରେ ଅଟକ ରଖାଯାଇଥିବା ବେଳେ ଭୁବନେଶ୍ବର ଘରକୁ ତାଙ୍କ ସ୍ତ୍ରୀଙ୍କୁ ଆଣି ସର୍ଚ ଅପରେସନ ଚଳାଇଛି ଆୟକର ଟିମ ।
ପଶ୍ଚିମ ଓଡିଶାରୁ ଦକ୍ଷିଣ ଓଡିଶା ପର୍ଯ୍ୟନ୍ତ ପାଖାପାଖି ୫୦ରୁ ଅଧିକ ଦେଶ ମଦଭାଟି ବିକ୍ରମଙ୍କର ରହିଥିବା ଜଣାପଡିଛି । ସେହିଭଳି ଏକାଧିକ ବିଦେଶୀ ମଦ ଦୋକାନ ସହ ଦେଶୀ ମଦ ଭାଟିର ଲାଇସେନ୍ସ ନିଜ ଓ ନିଜ ସମ୍ପର୍କୀୟ ମାନଙ୍କ ନାମରେ ଅଛି। ଏହାରି ଭିତରେ ସାମ୍ନାକୁ ଆସିଛି କୋଟି କୋଟି ଟଙ୍କାର ଟିକସ ଫାଙ୍କି । ଯେଉଁଥି ପାଇଁ ଆୟକର ବିଭାଗ ପକ୍ଷରୁ ଚାଲିଛି ମାରାଥନ ରେଡ । ଏହା ପୂର୍ବରୁ ୨୦୨୩ରେ ମଧ୍ୟ ବିକ୍ରମଙ୍କ ଘରେ ଜିଏସ୍ଟି ପକ୍ଷରୁ ଚଢାଉ କରାଯାଇଥିଲା । ସେହିଭଳି ୨୦୨୦ ମସିହାରେ କୋଭିଡ୍ କଟକଣା ସହ ଲକ ଡାଉନ ଓ ସଟ ଡାଉନ ସମୟରେ ବେଆଇନ ଭାବେ ଦେଶୀ ମଦ ଭାଟିରେ ରାତିରେ କାରବାର କରୁଥିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ ବିକ୍ରମ ।
ବିକ୍ରମ ଜଣେ ବିହାରୀ ମଦ ବ୍ୟବସାୟୀଙ୍କ ପାଖରେ ମ୍ୟାନେଜର ରୂପେ କାର୍ଯ୍ୟ ଆରମ୍ଭ କରି ଆଜି ମଦ ବ୍ୟବସାୟୀ ରୂପେ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ଆଉ ଏହା ପଛରେ କୁଆଡ଼େ ସରକାର ଓ ଅବକାରୀ ବିଭାଗର ପ୍ରୋତ୍ସାହନ ଥିବା ବୁଦ୍ଧିଜୀବୀ ଅଭିଯୋଗ ଆଣିଛନ୍ତି ।