Advertisment

ମା’ଘର ୱାର୍ଡେନ୍ ମୃତ୍ୟୁର ଫିଟୁଛି ଗୁମର ! ବାପା କହିଲେ ଝିଅକୁ ନିର୍ଯାତନା ଦେଇ ମାରିଛନ୍ତି

ମେଡ଼ିକାଲ ଷ୍ଟାଫ୍ ଓ 'ଆଲିସା' ନିର୍ଦ୍ଦେଶକଙ୍କ ନାଁରେ ଅଭିଯୋଗ । ଜାନୁଆରୀ ୫ ରେ ଆଦିବାସୀ ସଂଘର ରାୟଗଡ଼ା ବନ୍ଦ ଡାକରା ।

author-image
Satyendu Shekher Mishra
undefined

Laxmi, Murder Case

ଚନ୍ଦ୍ରପୁର ମା’ଘର ପରିଚାରିକା ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁର ଖୋଲୁଛି ଗୁମର। କାହିଁକି ଦରପୋଡ଼ା ଅବସ୍ଥାରେ ମିଳିଛି ମୃତଦେହ, ସାମ୍ନାକୁ ଆସୁଛି ଅପରାଧ ପଛର ସତ। ୨୩ ବର୍ଷିୟା ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝୀଙ୍କ ମରଣ ପଛର କାରଣ ଉପରୁ ଫିଟୁଛି ପରଦା। ହେଲେ ପୋଲିସ କି କ୍ରାଇମବ୍ରାଞ୍ଚ ନୁହେଁ, ବରଂ ଗୋଟି ଗୋଟି କରି ରହସ୍ୟ ବଖାଣିଛନ୍ତି ଲକ୍ଷ୍ମୀଙ୍କ ବାପା ବେଲଦାର ମାଝୀ।

Advertisment

ତାଙ୍କ କହିବା କଥା, ଶେଷଥର ପାଇଁ ଗତ ଅଗଷ୍ଟ ୭ରେ କାଶୀପୁର ବ୍ଲକ ଟିକିରି ନାକେଟିଗୁଡ଼ା ଘରକୁ ଆସିଥିଲେ ଲକ୍ଷ୍ମୀ। ଗଲାବେଳେ ମା’ ହାତରେ ଧରାଇ ଦେଇଥିଲେ ୧୫ ଶହ ଟଙ୍କା। ସେହି ସମୟରେ ଜଣେ ସଂପର୍କୀୟ ଭାଇଙ୍କୁ କହିଥିଲେ, ଯେଉଁ ସ୍ୱେଛାସେବୀ ଅନୁଷ୍ଠାନ ଆଲିସା ଦ୍ୱାରା ଚନ୍ଦ୍ରପୁର ମା’ଘରେ ୱାର୍ଡନ୍ ଭାବେ ନିଯୁକ୍ତି ପାଇଥିଲେ, ସେହି ସଂସ୍ଥାର ନିର୍ଦ୍ଦେଶକ ନରସିଂହ ମହାପାତ୍ର ଦେଇଛନ୍ତି ନିର୍ଯାତନା। ମେଡ଼ିକାଲର କିଛି କର୍ମଚାରୀ ବି କରିଛନ୍ତି ଦୁର୍ବ୍ୟବହାର। ତେଣୁ ଏଇ ଜାନୁୟାରୀରେ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ତା’ପୂର୍ବରୁ କିନ୍ତୁ ୨୧ ତାରିଖରେ ଲକ୍ଷ୍ମୀଙ୍କୁ ହତ୍ୟା କରାଯାଇଛି । 

ତେବେ ଲକ୍ଷ୍ମୀଙ୍କ ବାପା ବେଲଦାର ମାଝୀଙ୍କ ଅଭିଯୋଗ ଯଦି ସତ, ତାହେଲେ ଲକ୍ଷ୍ମୀଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ପୋଡ଼ି ଦିଆଯାଇଥିଲା ନା ଜାଳିପୋଡ଼ି ହତ୍ୟା କରାଯାଇଛି ? କିଏ ଓ କାହିଁକି ମାରିଦେଲେ ଏହି ଦିବ୍ୟାଙ୍ଗ ଯୁବତୀଙ୍କୁ ? ରହିଛି କି କୌଣସି ପ୍ରଭାବଶାଳୀଙ୍କ ହାତ ? ଏଭଳି ପ୍ରଶ୍ନ ଉଠୁଥିବାବେଳେ ଚନ୍ଦ୍ରପୁର ମେଡ଼ିକାଲ ଅଫିସରଙ୍କ ଆଶଙ୍କା ହତ୍ୟାକାଣ୍ଡ ଆଡ଼କୁ ବାଟ କଢ଼ାଇନେଉଛି। କହିଛନ୍ତି, ଲକ୍ଷ୍ମୀଙ୍କୁ ଅନ୍ୟ କେଉଁଠି ହତ୍ୟା କରିବା ପରେ ସାନିଟାଇଜର ପକାଇ ପୋଡ଼ିବା ସହ ମୃତଦେହକୁ ମେଡ଼ିକାଲ୍ ପାଖକୁ ଆଣି ଫିଙ୍ଗିଦିଆଯାଇଛି। 

Advertisment

ତେଣେ ଆଜିକୁ ୨ ଦିନ ହେଲା ରାୟଗଡ଼ାରେ ଡେରା ପକାଇଛି କ୍ରାଇମବ୍ରାଞ୍ଚ ଟିମ୍। ମୃତଦେହ ମିଳିଥିବା ସ୍ଥାନ ଏବଂ ମା’ଘରକୁ ଯାଇ ଯାଞ୍ଚ କରି ପଡ଼ୋଶୀଙ୍କୁ ପଚରାଉଚରା କରିଛି। ସ୍ୱେଛାସେବୀ ଅନୁଷ୍ଠାନ ଆଲିଶାର ନିର୍ଦ୍ଦେଶକ ନରସିଂହ ମହାପାତ୍ର ଓ ମା’ଗୃହର ୪ ମହିଳା କର୍ମଚାରୀଙ୍କୁ ଚନ୍ଦ୍ରପୁର ଥାନାରେ ଅଟକ ରଖି ପୋଲିସ ତଦନ୍ତରେ ସହଯୋଗ କରୁଛି।

ସେପଟେ ଲକ୍ଷ୍ମୀଙ୍କୁ ସୁପାରୀ କିଲର ଦ୍ବାରା ହତ୍ୟା କରିବା ସହ ପ୍ରମାଣ ନଷ୍ଟ ପାଇଁ ଷଡ଼ଯନ୍ତ୍ର ରଚାଯାଇଥିବା ଅଭିଯୋଗ କରିଛି ରାୟଗଡ଼ା ଜିଲ୍ଲା ଆଦିବାସୀ ମହାସଂଘ। ଆସନ୍ତା ୩ ସୁଦ୍ଧା ଦୋଷୀଙ୍କୁ ଗିରଫ ନକଲେ ୫ ତାରିଖରେ ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦେଇଛି ମହାସଂଘ। ସେହିପରି ବିଜେପି ମହିଳା ମୋର୍ଚ୍ଚା ମଧ୍ୟ ପୁଣି ଥରେ ଆନ୍ଦୋଳନର ଚେତାବନୀ ଦେଇଛି। ଏନେଇ ଆଜି ପୋଲିସ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିନଥିଲେ ବି ଆଇନମନ୍ତ୍ରୀ ଥିବା ସେହି ରାୟଗଡ଼ା ଜିଲ୍ଲାର ଜଗନ୍ନାଥ ସାରକା ପୂର୍ବରୁ କହିଥିଲେ ଦୋଷୀ ନିଶ୍ଚିତ ଧରାପଡ଼ିବ । 

Murder
Advertisment
Advertisment