• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଲାଙ୍ଗୀରରେ ଜମି ଜାଲିଆତିର ଗୁମର ଖୋଲିବା ପରେ ଏବେ ବଢୁଛି ଜାଲିଆତିର ଫର୍ଦ୍ଦ । କେନ୍ଦ୍ରାପଡ଼ାରୁ ଭଦ୍ରକ ସବୁଠି ଲମ୍ବିଛି ଜାଲିଆତିର ଚେର । ସରକାରୀ ବାବୁଙ୍କୁ ହାତ କରି ଚଞ୍ଚକତା କରାଯାଇଥିବା ହୋଇଛି ଅଭିଯୋଗ । କେନ୍ଦ୍ରାପଡ଼ା କନିକା ତହସିଲରେ ଗୋଟିଏ ମ୍ୟୁଟେସନରେ ଦୁଇ ଦୁଇ ଜଣ ଜମିପଟ୍ଟା ହାତେଇ ଥିବା ବେଳେ, ଭଦ୍ରକରେ ପଟ୍ଟା ପାଇବା ସତ୍ତ୍ୱେ ତାଲିକାରେ ନାହିଁ ଜମି ମାଲିକଙ୍କ ନାଁ । ଉଭୟ ଘଟଣାରେ ଚଞ୍ଚକତା ହୋଇଥିବା ଜଳଜଳ ଦିଶୁଥିବା ବେଳେ, ପ୍ରଶାସନ ପକ୍ଷରୁ ମିଳିନି ସନ୍ତୋଷଜନକ ଉତ୍ତର ।

ଗୋଟିଏ ଜମିର ଦୁଇ ଦୁଇ ଜଣ ମାଲିକ । ଗୋଟିଏ ମ୍ୟୁଟେସନରେ ଉଭୟଙ୍କୁ ମିଳିଛି ଜମିପଟ୍ଟା । ଜମିର ପ୍ରକୃତ ମାଲିକଙ୍କ ଅଗୋଚରରେ ହୋଇଛି ବିକ୍ରି, ବାହାରିଛି ପଟ୍ଟା । କେନ୍ଦ୍ରାପଡ଼ା ଜିଲ୍ଲା କନିକା ତହସିଲରେ ହୋଇଛି ଏଭଳି ଜାଲିଆତି । କନିକା ତହସିଲ ଦରଙ୍ଗାପାଟ ମୌଜା, ଖତିୟାନ ନମ୍ବର ୮୬ରେ ମୃତ ନରହରି ବେହେରା ଓ ତାଙ୍କ ଭାଇମାନଙ୍କ ନାଁରେ ୫ ଏକର ୧୧ ଡେସିମିଲ ଜମିଥିଲା । ୨୦୧୮ଯାଏ ମୃତ ନରହରି ଖଜଣା ବାନ୍ଧି ଆସୁଥିଲେ । ତାଙ୍କ ମୃତ୍ୟୁ ପରେ ପୁଅ ତ୍ରିଲୋଚନ ଖଜଣା କାଟିବାକୁ ଆରଆଇ ଅଫିସକୁ ଯାଇ ଯାହା ଜାଣିଲେ, ତାଙ୍କ ପାଦତଳୁ ମାଟି ଖସିପଡିଥିଲା ।

ତାଙ୍କର ମୋଟ ୫ ଏକର ୧୧ ଡିସିମିଲ ଜମିଥିବା ବେଳେ, ୧ ଏକର ଜମି ଖାତାରୁ କଟିଯାଇଛି । ଆରଟିଆଇ ତଥ୍ୟରେ ଜଣାପଡିଲା ଯେ, ଜାଲିଆତି କରି ଉକ୍ତ ୧ ଏକର ଜାଗାକୁ ସିଙ୍ଗିଡ଼ି ଗାଁର ନାରାୟଣ ଚନ୍ଦ୍ର ଦାସଙ୍କ ନାଁରେ ପଟ୍ଟା ଦିଆଯାଇଛି । ଏପରିକି ଜାଲିଆତି ପରେ ପୁଣି ମହାଜାଲିଆତି ହୋଇଛି ସେହି ଜମିରେ ।  ଅର୍ଥାତ ମ୍ୟୁଟେସନ୍ ନମ୍ବର ୯୪୫/୧୬ରେ ନାରୟଣ ପଟ୍ଟା ପାଇଥିବା ବେଳେ, ସମାନ ମ୍ୟୁଟେସନ ନମ୍ବରରେ ଜୟନଗରର ଅନୁଜ ବିଶ୍ୱାଳ ବି ପାଇଛନ୍ତି ପଟ୍ଟା । ପଟ୍ଟା ହାସଲ ପରେ ନାରୟଣ, ଜମିକୁ ପୁତୁରା ଧନଞ୍ଜୟ ଦାସଙ୍କୁ ମଧ୍ୟ ବିକ୍ରି କରିଥିବା ଅଭିଯୋଗ ହୋଇଛି । ସେପଟେ ତହସିଲଦାର କହିଛନ୍ତି, ଜାଲିଆତି ମୋ ସମୟରେ ହୋଇନି, ତେବେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଭଦକ୍ରରେ ମଧ୍ୟ ଜମିଜାଲିଆତିର ଗନ୍ଧ । ଅନଲାଇନରେ ଜମିର ମାଲିକାନା ଦେଖାଉଥିବା ସତ୍ତ୍ୱେ, ଅଫଲାଇନରେ ନାହିଁ ମାଲିକଙ୍କ ନାଁ । ସାମରାଇପୁରର ଅନିତା ବାରିକ ଆଣିଛନ୍ତି ଏଭଳି ସାଙ୍ଗାତିକ ଅଭିଯୋଗ । ଅନିତା ୨୦୦୯ ମସିହାରେ ଏକ ଜମି କିଣିଥିବା ବେଳେ, ପୁଅର ଆବାସିକ ସାର୍ଟିଫିକେଟ ପାଇଁ ତହସିଲ କାର୍ଯ୍ୟାଳୟକୁ ଆସିବା ବେଳେ ଜାଣିବାକୁ ପାଇଲେ ଯେ, ଅଫଲାଇନ୍ ତାଲିକାରେ ତାଙ୍କ ନାଁ ନାହିଁ । ସେହିପରି ଜଗନ୍ନାଥପୁରର ମନୋରଂଜନ ପଣ୍ଡା କିଣିଥିବା ଜମି ବି ଏଭଳି ଜାଲିଆତି ହୋଇଛି । ଉଭୟ RI ଓ ତହସିଲ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି ।  ତେବେ ଜିଲ୍ଲାପାଳ କହିଛନ୍ତି, ଘଟଣାର ତଦନ୍ତ ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସବୁ ଘଟଣାରେ ବାରିହୋଇଯାଉଛି ଦୁର୍ନୀତିର ଗନ୍ଧ । ଆଉ ବାଡ ସାଜି ଫସଲ ଖାଇଛନ୍ତି ବିଭାଗୀୟ କର୍ମଚାରୀ । ସମସ୍ତ ଘଟଣାର ନିରପେକ୍ଷ ତଦନ୍ତ ହେଲେ ଦଲାଲ ଓ ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକାର ହୋଇପାରନ୍ତା ପର୍ଦ୍ଦାଫାସ୍ ।