• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆପଣ ରାଜଧାନୀ ଉପକଣ୍ଠରେ ଜମି କିଣିଛନ୍ତି କି ? ନିଜ ଜମିକୁ ଖୋଲା ଛାଡି ଦେଇଛନ୍ତି କି ? ଦୀର୍ଘଦିନ ଧରି ଖଜଣା ପାଉତି କାଟି ନାହାନ୍ତି କି ? ତାହାଲେ ଆପଣଙ୍କ ଜମି ଉପରେ ଆଖି ପକାଇ ଥାଇପାରନ୍ତି ଦଲାଲ । ଜାଲି କାଗଜପତ୍ରରେ ଜମି ଆଉ କାହାକୁ ବିକ୍ରି ହୋଇ ଥାଇପାରେ । ଏକ ଠକେଇ ଗ୍ୟାଙ୍ଗ ସଦସ୍ୟଙ୍କୁ ପୋଲିସ ଗିରଫ କରିବା ପରେ ପଦାକୁ ଆସିଛି ରହସ୍ୟ । ସେଲ ଡିଡ଼ରୁ ଆରମ୍ଭ କରି ପଟ୍ଟା ଓ ଖଜଣା ପର୍ଯ୍ୟନ୍ତ ସବୁ ଡୁପ୍ଲିକେଟ୍ । ଏମିତିକି ଚର୍ଚ୍ଚାରେ ସବରେଜିଷ୍ଟାର ଅଫିସର ହେଡ କ୍ଲର୍କ । 

ତେଣୁ ସାବଧାନ । ଜୀବନ ତମାମ ରୋଜଗାର କରିଥିବା ଟଙ୍କା ମାତ୍ର କିଛି ଦିନରେ ହୋଇଯିବ ଉଭାନ୍‌ । ଭୁବନେଶ୍ୱରରେ ସ୍ୱପ୍ନର ଘରଟିଏ କରିବାକୁ ଯାଇ ଜଣେ ମହିଳା ଠକେଇର ଶୀକାର ହୋଇଛନ୍ତି । ସ୍ୱାମୀଙ୍କ ଅବସର ଓ ଦୁଇ ଝିଅଙ୍କୁ ବାହା ଦେବା ପରେ କଷ୍ଟ ଅର୍ଜିତ ଧନ ସଞ୍ଚି ଚନ୍ଦକା ଅଞ୍ଚଳରେ ଜମି କିଣିଥିଲେ କମଳା। ହେଲେ ଜମିକୁ ଯିବା ବେଳେ ତାଙ୍କୁ ଅଟକାଇଲେ ଆଉ କେହି ।

ପଦାକୁ ଆସିଲା ଜମି ଠକେଇର ଗୁମର । ଖୋଲିଲା ନକଲି କାରନାମାର ଫର୍ଦ୍ଦ । ସଂଯୁକ୍ତା  ପାଣିଗ୍ରାହୀଙ୍କ ନାଁରେ ସୁଶିଲା ପଟ୍ଟନାୟକ ନାମକ ଜଣେ ମହିଳା ଠକେଇ କରିଥିବା ନେଇ ତଥ୍ୟ ପାଇଲା ପୋଲିସ । ସଂଯୁକ୍ତାଙ୍କ ନାଁରେ ମିଛ କାଗଜପତ୍ର କରି ୬୦ ଲକ୍ଷ ହଡ଼ପ କରିଥିଲେ କଟକ ଚୌଦ୍ୱାର କପାଳେଶ୍ୱରର ସୁଶୀଲା ପଟ୍ଟନାୟକ।

ଜମି ଠକେଇ ଗ୍ୟାଙ୍ଗରେ ପଶି ଲକ୍ଷ ଲକ୍ଷ ଟଙ୍କା ରୋଜଗାର ପାଇଁ  ବାରମ୍ବାର ବଦଳାଇଛନ୍ତି ତାଙ୍କ ପରିଚୟ । କେତେବେଳେ ନିଜକୁ ସଂଯୁକ୍ତା ପାଣିଗ୍ରାହୀ କହି ତ ଅନ୍ୟ କେତେବେଳେ ଆଉ କେଉଁ ଜମି ମାଲିକଙ୍କ ପରିଚୟ ଦେଇ ଠକେଇ କରିଛନ୍ତି । କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ ପକ୍ଷରୁ ଏହି ଛଦ୍ମବେଶି ମହିଳା ଓ ମହାକାଳେସ୍ୱରର ଅରୁପ ହାଲଦାରଙ୍କୁ ଗିରଫ ପରେ ପୁରା ଘଟଣାରୁ ପରଦା ହଟିଛି ।  ଏବେ ସୁଦ୍ଧା ଏହି ଗ୍ୟାଙ୍ଗର ମୋଟ ୭ ଜଣଙ୍କୁ ଗିରଫ କରି ସାରିଲାଣି ପୋଲିସ ।

ଗିରଫ ଅଭିଯୁକ୍ତଙ୍କ ନାମରେ ଏକାଧିକ ଥାନାରେ ମାମଲା ରହିଛି । ଏପରି କି ଇଓଡବ୍ଲୁରେ ମଧ୍ୟ ଜମି ଠକେଇ ସଂପର୍କିତ ମାମଲା ମଧ୍ୟ ରହିଛି । ଏହି ଜମି ଠକେଇ ମାମଲାରେ  ଗତ ସେପ୍ଟେମ୍ବର ୪ରେ ଖଣ୍ଡଗିରି ସବରେଜିଷ୍ଟ୍ରାର ଅଫିସର ହେଡ କ୍ଲର୍କ  ସଞ୍ଜୟ ଷଡ଼ଙ୍ଗୀ ସମେତ ୫ ଜଣଙ୍କୁ ଗିରଫ କରିଥିଲା ସ୍ପେଶାଲ କ୍ରାଇମ  ୟୁନିଟ । ଚଢ଼ାଉ ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ସରକାରୀ ଷ୍ଟାମ୍ପ, ସିଲ ଆଦି ଜବତ କରାଯାଇଥିଲା। 

ରାଜଧାନୀରେ ନିଜର ସ୍ୱପ୍ନର ଘର କରିବାକୁ ଚାହୁଁଥିଲେ ଦେଖିଚାହିଁ ଜମି କିଣନ୍ତୁ । ନଚେତ ଆପଣ ମଧ୍ୟ ଠକେଇ ଗ୍ୟାଙ୍ଗର ଶୀକାର ହୋଇପାରନ୍ତି ।

  • Reported by:
  • CHANDAN PAIKRAY