• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଘାତକ ସାଜିପାରେ ଆପଣଙ୍କ ବେକର ସୁନା ଚେନ୍ । କାରଣ, ସୁନା ଚେନ୍ ଝାମ୍ପିନେବାକୁ ଲୁଟେରାଙ୍କ ଉଦ୍ୟମ ବେଳେ କେବଳ ଯେ, ଲହୁଲୁହାଣ ହୋଇପାରନ୍ତି ତା ନୁହେଁ, ଆପଣଙ୍କ ଜୀବନ ବି ଚାଲିଯାଇପାରେ । ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀରେ । ଦିନ ଆଲୁଅରେ ବେକରୁ ଚେନ୍ ଛିଣ୍ଡାଇ ନେବାକୁ ଦୁର୍ବୃତ୍ତ ଉଦ୍ୟମ କରିଥିବା ବେଳେ ମହିଳା ଜଣକ ତଳେ ପଡ଼ି ଶେଷରେ ପ୍ରାଣ ହରାଇଛନ୍ତି । ଯାହାକୁ ନେଇ ସବୁଠି ଏବେ ଉଦବେଗ ।

ରାତି ତ ରାତି.. ଦିନରେ ବି ଲୁଟେରାଙ୍କ ରାଜୁତି । ଯାହା ବଢ଼ାଇ ଦେଇଛି ରାଜଧାନୀବାସୀଙ୍କ ବିପି । ସୁନା ଚେନ୍ ଲୁଟ୍‌ର ଶିକାର ହେବା ବେଳେ ଜଣେ ମହିଳାଙ୍କ ଜୀବନ ଯାଇଛି । ଯାହାଙ୍କ ନାଁ ୟୁ.ବିଷ୍ଣୁ ପାତ୍ର । ଏୟାରଫିଲ୍ଡ ଥାନା ଲବଣଗିରି ଛକରେ ତାଙ୍କ ସହ ଯାହା ଘଟିଲା, ତାର ସିସିଟିଭି ଫୁଟେଜ୍ ଯିଏ ଦେଖୁଛନ୍ତି, ସିଏ ଆତଙ୍କିତ ହେଉଛନ୍ତି । ଭୁବନେଶ୍ୱରରୁ ସ୍ୱାମୀଙ୍କ ସହ ଜଟଣୀ ନିକଟ ବୁଢ଼ାପଡ଼ାସ୍ଥିତ ସୋମନାଥ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ ବିଷ୍ଣୁ ।

ହଠାତ କଳା ପଲସରରେ ଏଭଳି ଦ୍ରୁତଗତିରେ ଆସିଲେ ୨ ଦୁର୍ବୁତ୍ତ । ଆଉ ଆଖି ସାମ୍ନାରେ ସୁନା ଚେନ୍ ଝାମ୍ପି ନେବାକୁ ଚେଷ୍ଟା କରିଥିଲେ ବି ଚେନଟି ମୋଟା ଥିବାରୁ ବିଫଳ ହୋଇଥିଲେ । କିନ୍ତୁ ଭାରସାମ୍ୟ ହରାଇ ବାଇକରୁ ତଳେ ପଡ଼ି ମୁଣ୍ଡରେ ମାଡ଼ ହେବାରୁ ଗୁରୁତର ହୋଇପଡ଼ିଥିଲେ ବିଷ୍ଣୁ ପାତ୍ର । ଆଉ ମେଡ଼ିକାଲରେ ୩ ଦିନର ମୃତ୍ୟୁ ସହ ସଂଗ୍ରାମ ପରେ ଶେଷରେ ଗତରାତିରେ ଚାଲିଯାଇଛି ଜୀବନ ।

ପୋଲିସ୍ କମିଶନରଙ୍କ ନିର୍ଦ୍ଦେଶ ମୁତାବକ ସ୍ପେଶାଲ ସ୍କ୍ୱାର୍ଡ ସହାୟତାରେ ଏବଂ ସିସିଟିଭିକୁ ଯାଞ୍ଚ କରି ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ଛାନଭିନ୍ ଜାରି ରଖିଛି ସତ । କିନ୍ତୁ ସୁନା ଚେନ୍ ପାଇଁ କେତେବେଳେ କାହାକୁ ଯେ ମରଣମୁହଁକୁ ଲୁଟେରା ଠେଲିନଦେବେ, ତାର କୌଣସି ଗ୍ୟାରେଣ୍ଟି ନାହିଁ । କାରଣ ବେକରେ ପିନ୍ଧିଥିବା ଚେନ୍ ଟାଣିଦେଲେ ପ୍ରଥମେ ଧମନୀ ଏବଂ ଶୀରାରେ ରକ୍ତପ୍ରବାହ ବନ୍ଦ ହୋଇଯିବ ।

ଫଳରେ ମସ୍ତିଷ୍କକୁ ଅମ୍ଲଜାନ ପ୍ରବାହ ନହେବା ଅବସ୍ଥାରେ ଲୁଟର ଶିକାର ବ୍ୟକ୍ତି ଭାରସାମ୍ୟ ହରାଇ ଛିଟିକି ପଡ଼ିବା ସୁନିଶ୍ଚିତ । ଏଭଳି ଅବସ୍ଥାରେ ମୁଣ୍ଡରେ ମାଡ଼ ହେବାର ଆଶଙ୍କା ଅଧିକ । ହୁଏତ ରକ୍ତସ୍ରାବ ହୋଇ ବ୍ୟକ୍ତିଙ୍କ ଜୀବନ ଯାଇପାରେ ନଚେତ୍, ଗୁରୁତର କିମ୍ବା ଆଜୀବନ ପଙ୍ଗୁ ହେବାର ଆଶଙ୍କା ରହିଛି । ତେବେ ଭୁବନେଶ୍ୱରରେ ଏଭଳି ଘଟଣା ନୂଆ ନୁହେଁ । ଗଲା ସେପଟେମ୍ବରରେ ବଡ଼ଗଡ଼ କେନାଲ ରୋଡରେ ମନ୍ଦିରକୁ ଯାଉଥିବା ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଝାଂପିନେଇଥିଲେ ଏଭଳି ଭାବେ ।

ସେହିପରି ଅକଟୋବରରେ କଳିଙ୍କନଗରରେ ଅନ୍ୟ ଜଣେ ମହିଳାଙ୍କୁ ଘର ସାମ୍ନାରୁ ସୁନା ଚେନ୍ ଝାଂପିନେବାକୁ ଚେଷ୍ଟା କରିଥିଲେ । କିନ୍ତୁ, ବାରମ୍ବାର ଏଭଳି ସାଂଘାତିକ ଅଘଟଣ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ଅପରପକ୍ଷେ କମିଶନରେଟ୍ ପୋଲିସ ସମସ୍ତଙ୍କୁ ସତର୍କ କରାଇ କହିଛି, ବାହାରକୁ ଯିବାବେଳେ ସୁନା ଚେନ୍ ନପିନ୍ଧିଲେ ଭଲ । ଯଦି ବି ପିନ୍ଧୁଛନ୍ତି, ତେବେ ଲୁଟେରାଙ୍କ ନଜରରୁ ବର୍ତ୍ତିବା ପାଇଁ ତାକୁ ଘୋଡ଼ାଇ ରଖନ୍ତୁ ।

OTV is now on Whatsapp

Join and get latest news update delivered to you via whatsapp

Join Now