/odishatv-khabar/media/post_attachments/uploadimage/library/16_9/16_9_0/IMAGE_1758204681.jpg)
Lady Constable Murder
ସରକାରୀ ଚାକିରିଆ ଝିଅ ଦେଖି ପ୍ରେମ ଜାଲରେ ଫସାଉଥିଲା । ମିଠା ମିଠା କଥା କହୁଥିଲା । ଆଉ ବାହା ହେବା ପରେ ରଚୁଥିଲା ଭୟଙ୍କର ଷଡଯନ୍ତ୍ର । ଇନସ୍ୟୁରାନ୍ସ ଟଙ୍କା ହାତେଇବାକୁ ସ୍ତ୍ରୀକୁ ମାରି, ଦେଉଥିଲା ଦୁର୍ଘଟଣାର ରୂପ । କନଷ୍ଟେବଳ ଶୁଭମିତ୍ରା ହତ୍ୟା ଉପରୁ ପରଦା ହଟିବା ପରେ ଏବେ ଫିଟୁଛି ଅଭିଯୁକ୍ତ ଦୀପକ ରାଉତର ଗୋଟିଏ ପରେ ଗୋଟିଏ ପାପ ପେଡି ।
କେବଳ ଦ୍ବିତୀୟ ସ୍ତ୍ରୀ ଶୁଭମିତ୍ରା ନୁହେଁ ପୂର୍ବରୁ ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ବି ସେ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ନେଇ ଆସିଛି ସଂଗୀନ ଅଭିଯୋଗ । ଆଉ ହତ୍ୟାକୁ ଦୁର୍ଘଟଣାର ରୂପ ଦେଇ କୋଟିଏ ଟଙ୍କାର ଇନସ୍ୟୁରାନ୍ସ ହାତେଇଥିବା ଅଭିଯୋଗ କରିଛନ୍ତି ପ୍ରଥମ ସ୍ତ୍ରୀଙ୍କ ପରିବାର ଲୋକେ ।
ଶୁଭମିତ୍ରାଙ୍କ ପୂର୍ବରୁ ଅଭିଯୁକ୍ତ ଦୀପକ ଢେଙ୍କାନାଳ ଜିଲ୍ଲା ତିଳପଦା ଗାଁର ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ପ୍ରେମ ବିବାହ କରିଥିଲା । ୨୦୧୮ ମସିହା ଏପ୍ରିଲ ୨୫ ତାରିଖରେ ହୋଇଥିଲା ବାହାଘର । ଅପର୍ଣ୍ଣା ଢେଙ୍କାନାଳ ପରଜଙ୍ଗ ସ୍ଥିତ କନ୍ଦରସିଂହାରେ ରାଜସ୍ବ ନିରୀକ୍ଷକ ବା ଆରଆଇ ଭାବେ ଚାକିରି କରୁଥିଲେ । ପ୍ରଥମେ ମାଟ୍ରିମୋନିଆଲ ସାଇଟରୁ ଆରମ୍ଭ କଥାବାର୍ତ୍ତା ପ୍ରେମରେ ବଦଳିଥିଲା ।
କିନ୍ତୁ ବାହାଘରର କେଇ ମାସ ଭିତରେ ନିଜ ଅସଲ ଚେହେରା ଦେଖାଇଥିଲା ଦୀପକ । ଅପର୍ଣ୍ଣାଙ୍କୁ ଅସହ୍ୟ ନିର୍ଯାତନା ଦେଉଥିଲା । ମାରପିଟ୍ କରୁଥିଲା । ଏପରିକି ଏକ୍ସଟ୍ରା ମାରିଟାଲ ଆଫାୟାର ରଖୁଥିଲା । ହେଲେ ବାପାମାଆ ମନ ଦୁଃଖ କରିବେ ବୋଲି ଘରେ କାହାକୁ କିଛି ଜଣାଉନଥିଲେ ଅପର୍ଣ୍ଣା । ନିଜର ଜଣେ ସମ୍ପର୍କୀୟ ଭାଇଙ୍କୁ ସବୁ କଥା କହୁଥିଲେ, ଯାହା ତାଙ୍କର ସେଇ ଭାଇ ଅଭିଯୋଗ କରିଛନ୍ତି ।
ଏହାପରେ ୨୦୨୨ରେ ସଡକ ଦୁର୍ଘଟଣାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିଲା ବୋଲି ଦୀପକ କହିଥିଲା । ଭୁବନେଶ୍ବରରୁ ଢେଙ୍କାନାଳ ଫେରିବା ବାଟରେ ଖୁଣ୍ଟୁଣୀ ନିକଟରେ ଦୁର୍ଘଟଣା ହୋଇଥିବା ପରିବାରକୁ ସୂଚନା ଦେଇଥିଲା ଦୀପକ । ଅପର୍ଣ୍ଣା କାରରୁ ଓହ୍ଲାଇବା ବେଳେ ହଠାତ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ତେବେ ଆମ୍ବୁଲାନ୍ସ ବିଳମ୍ବ ହେବାରୁ ହସ୍ପିଟାଲ ନେବାରେ ବିଳମ୍ବ ହୋଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ଏକ ନାଟକ ଥିଲା ।
ଏପରି ନାଟକୀୟ ଢଙ୍ଗରେ ଅପର୍ଣ୍ଣାଙ୍କର ମୃତ୍ୟୁକୁ ଦୁର୍ଘଟଣାର ରୂପ ଦେଇଥିଲା । ଯେଉଁ ବାବଦରେ ଦୀପକ କୋଟିଏ ଟଙ୍କା ଇନସ୍ୟୁରାନ୍ସ ପାଇଥିଲା । ତେଣୁ ଏ ଘଟଣାର ବି ତଦନ୍ତ ହେବା ଦରକାର ବୋଲି ଦାବି କରିଛନ୍ତି ଅପର୍ଣ୍ଣାଙ୍କ ପରିବାର ଲୋକେ ।
ଗତକାଲି ଘଟଗାଁ ଜଙ୍ଗଲରୁ ଅଖା ଭିତରେ ବନ୍ଧା ଅବସ୍ଥାରେ ପୋତାଯାଇଥିବା ଶୁଭମିତ୍ରାଙ୍କ ମୃତଦେହ ଉଦ୍ଧାର କରିଥିଲା କମିଶନରେଟ ପୋଲିସ। ଏହି ହତ୍ୟା ପଛରେ ଶୁଭମିତ୍ରାଙ୍କ ସ୍ୱାମୀ ଦୀପକର ହାତ ଥିବା ଜଣାପଡିଥିଲା । କୋଟିଏ ୨୫ ଲକ୍ଷର ଇନ୍ସ୍ୟୁରାନ୍ସ ଟଙ୍କା ପାଇଁ ସେ ହତ୍ୟା କରିଥିବା ପର୍ଦ୍ଦାଫାସ କରିଥିଲା ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)