Advertisment

ବସୁନ୍ଧରା ଯୋଜନାରେ ମହାଘୋଟାଲା: ବନ୍ଧାହେଲେ ତହସିଲଦାରଙ୍କ ସମେତ ୫ ସରକାରୀ ବାବୁ

ବସୁନ୍ଧରା ଜମି ଦୁର୍ନୀତି ସମ୍ପର୍କରେ ୬ ମାସ ତଳେ ଓଟିଭିରେ ଖବର ପ୍ରସାରିତ ହୋଇଥିଲା। ସେତେବେଳେ ସରକାରୀ ବାବୁଙ୍କ ଦୁର୍ନୀତିର ପର୍ଦାଫାଶ କରି ଓଟିଭି ସରକାରଙ୍କ ଦୃଷ୍ଟିକୁ ଆଣିଥିଲା। ଗତ ଫେବ୍ରୁଆରୀ ୧୮ରେ ଓଟିଭିରେ ପ୍ରସାରିତ ହୋଇଥିବା ଖବର, ଯେଉଁଥିରେ ଦୁର୍ନୀତିଗ୍ରସ୍ତ ଅଫିସର ଓ ଜମି ମାଫିଆଙ୍କ ସଲାସୁତୁରାରେ କିଭଳି ଏହି ଜମି କେଳେଙ୍କାରୀ ହୋଇଥିଲା।

author-image
Chandan Shishu
Bansundhara  Scam

Bansundhara Scam

ଭୁବନେଶ୍ୱର: ଜଗତସିଂପୁର ଜିଲ୍ଲାର ବାବୁ ଭାୟାଙ୍କୁ ଏବେ ବସୁନ୍ଧରା ବିପଦ। ରାଜ୍ୟ ସରକାରଙ୍କ ବସୁନ୍ଧରା ଯୋଜନା ଜମି ଜାଲିଆତି ମାମଲାରେ ପଶିଲା ଭିଜିଲାନ୍ସ। ଘନ ଘନ ଚଢ଼ାଉ, ଲଗାତର ଖୋଳତାଡ଼। ଜଗତସିଂପୁରର ତତ୍କାଳୀନ ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଛାପା ମାରିଛି ଭିଜିଲାନ୍ସ ଟିମ୍। କୁଜଙ୍ଗର ତତ୍କାଳୀନ ତଥା ବର୍ତ୍ତମାନର ତିହିଡି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ଯାହାଙ୍କୁ ତିହିଡ଼ି ତହସିଲ ଅଫିସରୁ କଟକ ଉଠାଇ ଆଣିଛି ଭିଜିଲାନ୍ସ। ଏଭଳି ଜଣେ କି ଦୁଇ ଜଣ ଅଫିସର ନୁହଁନ୍ତି। ୬ ଅଫିସରଙ୍କ ୯ଟି ଘରେ ଛାପା ମାରିଛି ଭିଜିଲାନ୍ସ। 

Advertisment

ସେମାନେ ହେଲେ ମହେନ୍ଦ୍ର ପ୍ରସାଦ ମହାନ୍ତି ଏବଂ ରମେଶ ଚନ୍ଦ୍ର ପଣ୍ଡାଙ୍କ ସମେତ ଝିମାଣିର ପୂର୍ବତନ RI ସନ୍ତୋଷ କୁମାର ମଲ୍ଲିକ, ପାରାଦୀପ ଗଡର ପୂର୍ବତନ RI ନରେନ୍ଦ୍ର କୁମାର ଲେଙ୍କା, କୁଜଙ୍ଗର ପୂର୍ବତନ RI ସୁବାସ ଚନ୍ଦ୍ର ଦାସ, ପାଣ୍ଡୁଆ ପୂର୍ବତନ RI ଜ୍ୟୋତି ଭୂଷଣ ବାରିକ। ବସୁନ୍ଧରା ଯୋଜନାରେ ବହୁମୂଲ୍ୟ ଜମିର ଜାଲିଆତି ସମେତ ଏକାଧିକ ଅନିୟମିତତା ମାମଲାରେ କଟକ ଭିଜିଲାନ୍ସ ଟିମ୍। ସେମାନଙ୍କ ଘରେ ଚଢ଼ାଉ କରି ତହସିଲଦାର ରମେଶ ପଣ୍ଡା, ୩ ଜଣ ଆରଆଇ ଏବଂ ଜଣେ ପୂର୍ବତନ ଆରଆଇଙ୍କୁ ଗିରଫ କରିଛି। 

ବସୁନ୍ଧରା ଜମି ଦୁର୍ନୀତି ସମ୍ପର୍କରେ ୬ ମାସ ତଳେ ଓଟିଭିରେ ଖବର ପ୍ରସାରିତ ହୋଇଥିଲା। ସେତେବେଳେ ସରକାରୀ ବାବୁଙ୍କ ଦୁର୍ନୀତିର ପର୍ଦାଫାଶ କରି ଓଟିଭି ସରକାରଙ୍କ ଦୃଷ୍ଟିକୁ ଆଣିଥିଲା। ଗତ ଫେବ୍ରୁଆରୀ ୧୮ରେ ଓଟିଭିରେ ପ୍ରସାରିତ ହୋଇଥିବା ଖବର, ଯେଉଁଥିରେ ଦୁର୍ନୀତିଗ୍ରସ୍ତ ଅଫିସର ଓ ଜମି ମାଫିଆଙ୍କ ସଲାସୁତୁରାରେ କିଭଳି ଏହି ଜମି କେଳେଙ୍କାରୀ ହୋଇଥିଲା। 

Advertisment

ଏବେ ଆସନ୍ତୁ ନଜର ପକାଇବା, ଏହି ବସୁନ୍ଧରା ଜମି ଦୁର୍ନୀତିର ପୃଷ୍ଠଭୂମି ଉପରେ। ପାରାଦୀପ ଗଡ଼ର ମୌଜାର ଭୂମିହୀନ ମଇନା ସାହୁ। ସ୍ବାମୀ ଦୃଷ୍ଟିବାଧକ, ପୁଅ ବେରୋଜଗାରୀ। ୨ ପୁରୁଷ ଧରି ଜଙ୍ଗଲ ସଫା କରି ଖାତା ନମ୍ବର ୫୭୦, ପ୍ଲଟ ନମ୍ବର ୧୦୫୯ରେ କୁଡିଆ ମାରି ରହିଆସୁଛନ୍ତି। ବସୁନ୍ଧରା ଯୋଜନାରେ ପଟ୍ଟା ଖଣ୍ଡେ ପାଇଁ ସରକାରଙ୍କୁ ବର୍ଷ ବର୍ଷ ଧରି ଆବେଦନ କରି ଆସୁଛନ୍ତି। ତେବେ ପଟ୍ଟା ତ ଦୂରର କଥା, ତାଙ୍କ ନାଁରେ ଜମି ଜବରଦଖଲ ଦର୍ଶାଇ ମାମଲା ରୁଜୁ କରାଯାଇଛି। ଏପରିକି ପଟ୍ଟା ଦେବେବୋଲି ଲକ୍ଷେ ୭୦ ହଜାର ଟଙ୍କା ନେଇଯାଇଥିବା ଅଭିଯୋଗ କରିଛନ୍ତି ମଇନା। ଏସ୍‌ପିଙ୍କଠୁ ଜିଲ୍ଲାପାଳଙ୍କ ଯାଏଁ ଗୁହାରି କଲେ ବି ନିରାଶ ହେବାକୁ ପଡୁଛି। 

କେବଳ ପଟ୍ଟା ପାଇଁ ଯେ ଏଭଳି ଲାଞ୍ଚ କାରବାର ହୋଇଛି ତାନୁହେଁ। ଜିଲ୍ଲାର ପାରାଦୀପଗଡ, ନିମିଢି, ରଙ୍ଗିଆଗଡ, ଗଣ୍ଡକିପୁର, ବାଲିଆ, ବରୁଣାକନ୍ଧା, ପିପଳ, ଫତେପୁର, ବଳରାମପୁର, ତାଳପଡା, ଖୁଂଟାଳ, ସାଇଲୋ ଆଦି ୮୧ଟି ମୌଜାର ସରକାରୀ ଜମିକୁ କବ୍‌ଜା କରିଛନ୍ତି। ବଡ଼ବଡ଼ିଆ ଅଥଚ ଗରିବଙ୍କୁ ଭୂଇଁ ଚାଖଣ୍ଡେ ମିଳିପାରୁନି। ଏଭଳି ଜାଲିଆତି ପାଇଁ ଏବେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିବା ତତ୍କାଳୀନ ଉପ ଜିଲ୍ଲାପାଳ ଓ କୁଜଙ୍ଗର ତତ୍କାଳୀନ ତହସିଲଦାରଙ୍କୁ ପୂର୍ବରୁ ସୋ କଜ୍ ବି ମାଗିଥିଲେ ଜିଲ୍ଲାପାଳ। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ବି ହୋଇଥିଲା। କିନ୍ତୁ କୁଜଙ୍ଗ ତହସିଲର ଜଣେ କିରାଣୀଙ୍କୁ ନିଲମ୍ବନ କରି ସମସ୍ତେ ନୀରବି ଯାଇଥିଲେ। ଆଉ ସମଗ୍ର ଘଟଣା ସମ୍ପର୍କରେ ଗତ ୬ ମାସ ତଳେ ଖବର ପ୍ରସାରଣ କରିଥିଲା ଓଟିଭି। କିନ୍ତୁ ଏବେ ଜାଗି ଉଠିଛି ଭିଜିଲାନ୍ସ।

ରିପୋର୍ଟ: ପାର୍ଥସାରଥୀ ନାୟକ, ରମାକାନ୍ତ ନାୟକ, ଗୌତମ ପଣ୍ଡା ଏବଂ ଆଲୋକ ମହାନ୍ତି

Odisha News Vigilance Raid Arrested By Vigilance
Advertisment
Advertisment