• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚିକିତ୍ସା ବେଳେ ମହିଳାଙ୍କୁ ଅସଦାଚରଣ । ଆନେସ୍ଥେସିଆ ଦେଇ ମହିଳାଙ୍କ ସହ କଲେ ଦୁର୍ବ୍ୟବହାର । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି କୋଲକତାରୁ । ଫୁଲବାଗନ ଥାନା ଅଧିନରେ ଆସୁଥିବା ଏକ ନାମୀ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ମହିଳା ଏଭଳି ଅଭିଯୋଗ କରିଛନ୍ତି । ସେ କହିଛନ୍ତି ତାଙ୍କୁ ଚିକିତ୍ସା କରିବା ବେଳେ ତାଙ୍କ ସହ ଅସଦାଚରଣ କରାଯାଇଛି । ଗୁରୁବାର ଦିନ ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି । 

୩୯ ବର୍ଷିୟ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସେ ଗଲବ୍ଲାଡର ସର୍ଜରୀ ପାଇଁ ଉକ୍ତ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ଆନେସ୍ଥେସିଆ ଦେଇ ସକାଳ ପ୍ରାୟ ୯ଟାରେ ଅପରେସନ୍ ଥିଏଟରକୁ ପଠାଇଥିଲେ । ପରେ ୧୧ଟା ସୁଦ୍ଧା ତାଙ୍କର ଅପରେସନ୍‌ ଶେଷ ହୋଇସାରିଥିଲା । ସେତେବେଳକୁ ଧିରେ ଧିରେ ତାଙ୍କର ହୋସ୍‌ ଆସୁଥିଲା ।

ଅର୍ଦ୍ଧ ଚେତନ ଅବସ୍ଥାରେ ଥିବା ବେଳେ କେହି ଜଣେ ତାଙ୍କ ସମ୍ବେଦନଶୀଳ ଅଙ୍ଗରେ ହାତ ମାରୁଥିବା ସେ ଅନୁଭବ କରିଥିଲେ। ତାଙ୍କ ଡାହାଣ ପାଖରେ ଛିଡ଼ା ହୋଇଥିବା ଲୋକଟି ଏଭଳି କରୁଥିବା ସେ ଜାଣିପାରିଥିଲେ । ଏଭଳି ଆଚରଣ ମହିଳାଙ୍କ ପାଇଁ କଷ୍ଟ ଦାୟକ ଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ସେହି ସମୟରେ ମହିଳା ଜଣକ ସବୁ କିଛି ଅନୁଭବ କରିପାରୁଥିଲେ । କାରଣ ଧିରେ ଧିରେ ତାଙ୍କର ଚେତା ଫେରୁଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଆନେସ୍ତେସିଆର ପ୍ରଭାବ ସମ୍ପୂର୍ଣ୍ଣ ଛାଡ଼ିନଥିବାରୁ ସେ ଏହାକୁ ରୋକି ପାରୁନଥିଲେ କିମ୍ବା କୌଣସି ପ୍ରତିକ୍ରିୟା ଦେଇପାରୁନଥିଲେ । ହେଲେ କିଛି ସମୟ ପରେ ଯେତେବେଳେ ସେ ଆଖି ଖୋଲିବାରେ ସକ୍ଷମ ହେଲେ, ଦେଖିଲେ ତାଙ୍କ ପ୍ରାଇଭେଟ୍‌ ପାର୍ଟରେ କିଛି ଦାଗ ରହିଛି ।  

ମହିଳା ଜଣଙ୍କ ଆହୁରି ଅଭିଯୋଗ କରିଛନ୍ତି ଯେ, ଏହି ଘଟଣା ସମୟରେ ସେଠାରେ ମେଡିକାଲର କୌଣସି ମହିଳା ଷ୍ଟାଫ୍‌ ମଧ୍ୟ ନଥିଲେ । ଅପରେସନ୍‌ ଥିଏଟର ଭିତରେ ତାଙ୍କ ସହ କ’ଣ କରାଯାଇଛି ସେ ଜାଣି ନାହାନ୍ତି । କିନ୍ତୁ ହୋସ୍ ଆସିବା ବେଳକୁ ସେ ଦେଖିଲେ ଯେ, ତାଙ୍କ ଡାହାଣ ଛାତି ପାଖରେ କିଛି ଦାଗ ରହିଛି ।

ତେବେ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଫୁଲବାଗନ ପୋଲିସ ପକ୍ଷରୁ ଶୁକ୍ରବାର ଏକ ମାମଲା ରୁଜୁ କରାଯାଇଛି । ଏହାସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ମହିଳାଙ୍କର ମେଡିକାଲ ଟେଷ୍ଟ ମଧ୍ୟ କରାଯାଇଛି ।