• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମଙ୍ଗୁଳା କନ୍ୟା ମଥାରେ ସିନ୍ଦୁର ନାଇବା ଆଗରୁ ଘଟିଗଲା ରକ୍ତରଂଜିତ ଘଟଣା । କଣ୍ଟାବାଞ୍ଜିରେ ନାଚକୁ ନେଇ ବରପକ୍ଷର ଛୁରାମାଡ଼ ଯୋଗୁ ବାହାଘର ବାତିଲ ହୋଇଥିବାବେଳେ ଖପ୍ରାଖୋଲରେ ବରଯାତ୍ରୀଙ୍କ ଉପରେ ମାଡ଼ିଯାଇ ଜଣେ ସଂପର୍କୀୟଙ୍କ ପ୍ରାଣ ନେଇଗଲା କିଲର କାର୍ ।

ପ୍ରମିଳା WEDS ଜୟାନନ୍ଦ । ବିବାହକୁ ନେଇ ଉତ୍ସାହିତ ଥିଲା ବଲାଙ୍ଗିର ଜିଲ୍ଲା ମୁରିବାହାଲ ଗାଁ ବେଲଖନ ତାଣ୍ଡିଙ୍କ ପରିବାର । ଆଉ ମାତ୍ର କିଛି ମୁହୂର୍ତ୍ତ ଥିଲା । ମଥାରେ ସିନ୍ଦୂର ଦେଇ ପ୍ରମିଳାଙ୍କୁ ବୋହୂ କରିନେଇଥାନ୍ତେ ଛତିଶଗଡ଼ ଆମ୍ମାନାକା ଗାଁର ଜୟାନନ୍ଦ । ଆରମ୍ଭ ହୋଇଥିଲା ବରଣୀ । ନୂଆ ବାଇକରେ ବରକୁ ବସାଇ ପାଛୋଟି ନେଉଥିଲେ କନ୍ୟା ଘର ଲୋକେ । ଏହାରି ଭିତରେ ପଛରେ ଆସୁଥିବା ବରଯାତ୍ରୀ ଭିଡ଼ରେ ପଶି ନାଚିଥିଲେ କନ୍ୟା ପ୍ରମିଳାଙ୍କ ବଡ଼ଭାଇ ଚିନ୍ତା ତାଣ୍ଡିଙ୍କ ପୁଅ । ବାସ୍, ଏହାକୁ ନେଇ ଗଣ୍ଡଗୋଳ, ମାରପିଟ୍ ।

ସ୍ଥିତି ଏମିତି ହେଲା ଯେ, ଛୁରାମାଡ଼ ଯାଏଁ କଥାଗଲା । ଯେଉଁ ଛୁରାମାଡ଼ରେ ପ୍ରମିଳାଙ୍କ ବଡ଼ଭାଇଙ୍କ ପୁଅ ଓ ବଡ଼ଭାଇ ଗୁରୁତର ହୋଇପଡ଼ିଛନ୍ତି । ଉଭୟଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତଙ୍କୁ ନେଇ ତୁରେକେଲା ପୋଲିସ ତଦନ୍ତ ଚଳାଇଛି । ଏସବୁ ଭିତରେ ପ୍ରମିଳା ଓ ଜୟାନନ୍ଦଙ୍କ ବାହାଘର ବାତିଲ କରିଦିଆଯାଇଥିବା ପରିବାର ପକ୍ଷରୁ କୁହାଯାଉଛି।


ଏପଟେ ବାଜୁଥିଲା ଡିଜେ...ଚାଲିଥିଲା ରୋଷଣୀ...ଆଉ ମାତ୍ର କିଛି ସମୟ ପରେ ବରକୁ ଧରି କନ୍ୟାଘରେ ପହଞ୍ଚିଥାନ୍ତେ ବରଯାତ୍ରୀ । କିନ୍ତୁ ଦୁର୍ଭାଗ୍ୟ, ସେହି ପ୍ରୋସୋସନବେଳେ ହଠାତ୍ ମାଡ଼ି ଆସିଲା କାର୍ । ଯାହାର ଦୃଶ୍ୟ ହୁଏତ ଆପଣଙ୍କୁ ବିଚଳିତ କରିପାରେ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ବାଘଝରଣ ଗାଁରେ ଘଟିଛି ଏପରି ଘଟଣା । ବାଘଝରଣ ଗାଁର ହୁତାସନ ବରିହା ହିର୍ଲି ଗାଁକୁ ବାହାରିଥିଲେ ବରଯାତ୍ରୀଙ୍କୁ ଧରି । ତା’ପୂର୍ବରୁ କାରରୁ ଓହ୍ଲାଇ ଇଷ୍ଟଦେବୀଙ୍କୁ ଦର୍ଶନ କରିବାକୁ ଯାଇଥିଲେ ହୁତାସନ । ଠିକ୍ ସେହି ସମୟରେ ଓ ବରଯାତ୍ରୀଙ୍କ ନାଚଗୀତର ମଉଜ ଭିତରେ ହଠାତ ମାଡ଼ିଆସିଲା ହୁତାସନଙ୍କ ପ୍ରୋସେସନ୍ କାର ।

ନିଶାସକ୍ତ ଅବସ୍ଥାରେ ଥିବା ଡ୍ରାଇଭର ସିଧା ଆଣି କାରକୁ ଏଭଳି ଚଢ଼ାଇ ଦେଇଥିଲେ ପ୍ରୋସେସନ ଭିତରେ । ଘଟଣାସ୍ଥଳେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୨ ଜଣ ଆହତ ହୋଇଛନ୍ତି । କାରକୁ ପୋଲିସ ଜବତ କରିବା ସହ ଖପ୍ରାଖୋଲ ପୋଲିସ ଡ୍ରାଇଭରଙ୍କୁ ଗିରଫ କରିଛି । ଘଟଣା ପରେ ରାତିରେ ନିରାଡମ୍ବର ଭାବେ ବିବାହ କରି କନ୍ୟାକୁ ସାଙ୍ଗରେ ନେଇ ବର ହୁତାସନ ବରିହା ଫେରିଯାଇଛନ୍ତି । ଗତ କିଛି ଦିନ ତଳେ ଏଭଳି ଏକ ଘଟଣା ଘଟିଥିଲା ଗଞ୍ଜାମ ମାଣ୍ଡିଆପଲ୍ଲୀ ଗାଁରେ
। କନ୍ୟାଯାତ୍ରୀଙ୍କ ବାଟବରଣ ବେଳେ ଏକ ସ୍କର୍ପିଓ ମାଡିଯାଇ ୩ ଜଣଙ୍କର ଜୀବନ ଯାଇଥିଲା।