Astrospeak
  • Live TV
  • Read In English

KISS Student Missing: ଅଚ୍ୟୁତଙ୍କ KISSରୁ କେମିତି ଗାଏବ ହୁଅନ୍ତି ଛାତ୍ରଛାତ୍ରୀ ? ସାମାଜିକ କର୍ମୀ ବି କଲେ ବଡ଼ ଖୁଲାସା...

କିସ୍‌ରୁ ନିଖୋଜ ହୋଇଯାଉଛନ୍ତି ପିଲା! ଘର ଲୋକଙ୍କୁ ବି ମିଳୁନି ଖବର। ଏକଥା ଆମେ କହୁନୁ, କହୁଛନ୍ତି କିସ୍‌ରୁ ନିଖୋଜ ଜଣଏ ଛାତ୍ରଙ୍କ ପରିବାର ଲୋକ ଏଭଳି ଅଭିଯୋଗ ଆଣିଛନ୍ତି । 

KISS Student Missing for 10 Years
KISS Student Missing for 10 Years

ଅଚ୍ୟୁତ ସାମନ୍ତଙ୍କ କଳିଙ୍ଗ ଇନ୍‌ସ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନସେସ୍ ବା କିସ୍‌ରୁ ଗାଏବ ହୁଅନ୍ତି ଛାତ୍ରଛାତ୍ରୀ। କିନ୍ତୁ ହୁଏନି ଏଫ୍ଆଇଆର୍। ଖୋଦ୍ ଖୋର୍ଦ୍ଧା CWC ୨୦୧୭ରେ ନିଜ ଯାଞ୍ଚ ରିପୋର୍ଟରେ ଏକଥା ଉଲ୍ଲେଖ କରିଥିଲେ। ଏପରିକି କିସ୍‌ରୁ ୨୦୧୫ରେ ନିଖୋଜ ହୋଇଥିବା ମାଲାକାନଗିରି ବଣ୍ଡାଘାଟିର ଜଣେ ଛାତ୍ରଙ୍କର ଏଯାଏଁ କୌଣସି ଖୋଜ୍ ଖବର ମିଳିନାହିଁ। ଯାହାକୁ ନେଇ ଚିନ୍ତାରେ ତାଙ୍କ ପରିବର। 

କିସ୍‌ରୁ ନିଖୋଜ ହୋଇଯାଉଛନ୍ତି ପିଲା! ଘର ଲୋକଙ୍କୁ ବି ମିଳୁନି ଖବର। ଏକଥା ଆମେ କହୁନୁ, କହୁଛନ୍ତି କିସ୍‌ରୁ ନିଖୋଜ ଜଣଏ ଛାତ୍ରଙ୍କ ପରିବାର ଲୋକ ଏଭଳି ଅଭିଯୋଗ ଆଣିଛନ୍ତି । ଉଚ୍ଚଶିକ୍ଷିତ ହୋଇ ପରିବାର ନାଁ ରଖିବା ଆଶାରେ ସୁଦୂର ମାଲକାନଗିରି ବଣ୍ଡାଘାଟି ଦନ୍ତିପଡ଼ାରୁ ୨୦୧୨ରୁ ଆସି କିସରେ ପାଠ ପଢ଼ୁଥିଲା ଆଦିବାସୀ ଛାତ୍ର ରାମଚନ୍ଦ୍ର ମାନ୍ଦ୍ରା। ପ୍ରତିବର୍ଷ ଖରାଛୁଟିରେ ଗାଁକୁ ବି ଯାଉଥିଲା। ହେଲେ ୨୦୧୫ ଖରାଛୁଟିରେ ଗାଁକୁ ନ ଫେରିବାରୁ ପରିବାର ଲୋକେ ଭୁବନେଶ୍ବରସ୍ଥିତ କିସ୍ ଆସି ପଚାରିଥିଲେ। କିନ୍ତୁ କିସ୍ କର୍ତ୍ତୃପକ୍ଷଙ୍କ ଉତ୍ତର ଥିଲା, ରାମଚନ୍ଦ୍ର ହଷ୍ଟେଲରୁ କେଉଁଆଡ଼େ ପଳାଇଛି। ଏତିକି କହି ପରିବାର ଲୋକଙ୍କୁ ଫେରାଇ ଦେଇଥିଲେ କିସ୍ କର୍ତ୍ତୃପକ୍ଷ। ପରିବାର ଲୋକେ ୩ ବର୍ଷ ଧରି ବହୁ ଖୋଜାଖୋଜି କରି ନିରାଶ ହେବା ପରେ ୨୦୧୮ରେ ମୁଦୁଲିପଡ଼ା ଥାନାରେ ଅଭିଯୋଗ କରିଥିଲେ। ହେଲେ ଏବେ ବି ନିଖୋଜ ଅଛନ୍ତି ରାମଚନ୍ଦ୍ର। ବିଧବା ମାଆ ଆଖିରୁ ଶୁଖୁନି ଲୁହ। ଭାଈ ଫେରିଆସିବା ଆଶାରେ ଏବେ ବି ବଡ଼ ଭାଇ-ଭଉଣୀ। ସେମାନଙ୍କ ପ୍ରଶ୍ନ, ସୁରକ୍ଷାକର୍ମୀ ତଥା ସିସିଟିଭି ନଜରରେ ରହୁଥିବା କିସ୍‌ରୁ କିଭଳି ଅନର୍ଦ୍ଧାନ ହୋଇଗଲେ ତାଙ୍କ ସାନ ଭାଇ। 

ଅଧିକ ପଢ଼ନ୍ତୁ: ପ୍ଲେସମେଣ୍ଟ ନାଁରେ କିଟ୍‌ରେ ଯୌନଶୋଷଣ, ପୂର୍ବତନ ଛାତ୍ରୀ ଆଣିଲେ ସଂଗୀନ ଅଭିଯୋଗ

କେବଳ ରାମଚନ୍ଦ୍ର ନୁହନ୍ତି, ଅଚ୍ୟୁତ ସାମନ୍ତଙ୍କ କିସ୍ ଶିକ୍ଷାନୁଷ୍ଠାନରୁ ଅନେକ ସମୟରେ ଏମିତି ବହୁ ଛାତ୍ରଛାତ୍ରୀ ନିଖୋଜ ହୁଅନ୍ତି ବୋଲି ଆସିଛି ଅଭିଯୋଗ। ସଂସ୍ଥା ବିରୋଧରେ ଆଉ ଏକ ବଡ଼ ଅଭିଯୋଗ ହେଲା, ନିଖୋଜ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ କିସ୍ ପକ୍ଷରୁ ଥାନାରେ ମଧ୍ୟ କୌଣସି ଅଭିଯୋଗ ହୁଏନି। ୨୦୧୭ରେ କିସ୍ କ୍ୟାମ୍ପସ ଅନୁଧ୍ୟାନ ପରେ ନିଜ ରିପୋର୍ଟରେ ବି ଏ ସଂପର୍କରେ ଉଲ୍ଲେଖ କରିଛନ୍ତି ଖୋର୍ଦ୍ଧା ସିଡବ୍ଲୁସି। ଏପରିକି କାହିଁକି ପିଲାମାନେ ନିଖୋଜ ହେଉଛନ୍ତି, ସେ ସଂପର୍କରେ କମିଟି ଆଗରେ ହାଜର ହୋଇ ଜଣାଇବାକୁ କିସ୍ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ହୋଇଥିଲେ ବି ସେମାନେ ହାଜର ହୋଇନଥିଲେ। 

ଖୋର୍ଦ୍ଧା ଶିଶୁମଙ୍ଗଳ କମିଟିର ପୂର୍ବତନ ସଦସ୍ୟ ବେଣୁଧର ସେନାପତି କହିଛନ୍ତି, ସେ କମିଟି ସଦସ୍ୟ ଥିବା ସମୟରେ ବର୍ଷକ ଭିତରେ ବିଭିନ୍ନ ସଂସ୍ଥା ଦ୍ବାରା ଉଦ୍ଧାର ହୋଇ କମିଟି ସମ୍ମୁଖରେ ଉପସ୍ଥାପିତ କରାଯାଇଥିବା ୪-୫ ଜଣ ପିଲା କିସ୍‌ର ବୋଲି ଜଣାପଡ଼ିଥିଲା। ହେଲେ ନିଖୋଜ ହୋଇଥିବା ଏ ପିଲାମାନଙ୍କ ସଂପର୍କରେ କିସ୍ ପକ୍ଷରୁ ଥାନାରେ ଏତଲା ବି ହୋଇନଥିଲା। ଏନେଇ କିସ୍ କର୍ତ୍ତୃପକ୍ଷଙ୍କୁ ମଗାଯାଇଥିବା ଜବାବର ଖାମଖିଆଲି ଉତ୍ତର ଥିଲା, ଆମେ ଏଫ୍ଆଇଆର ଦେଇଥାନ୍ତୁ। ତେବେ କିସ୍ ଉପରେ କମିଟିର ସନ୍ଦେହ ହେବାରୁ ସେତେବେଳେ ଜିଲ୍ଲାପାଳଙ୍କ ଅନୁମତି ନେଇ କିସ୍ କ୍ୟାମ୍ପସ ଯାଞ୍ଚ କରିଥିଲା ଖୋର୍ଦ୍ଧା ସିଡବ୍ଲୁସି। ଯାହାର ଯାଞ୍ଚ ରିପୋର୍ଟ ଥିଲା ଆହୁରି ଆଶ୍ଚର୍ଯ୍ୟଜନକ। କିସ୍ ରେ ପିଲାଙ୍କ ଲାଗି ନଥିଲା ଆବଶ୍ୟକ ସଂଖ୍ୟକ ଟଏଲେଟ୍। ଅସ୍ବାସ୍ଥ୍ୟକର ପରିବେଶରେ ରହୁଥିଲେ ଛାତ୍ରଛାତ୍ରୀ। ସକାଳୁ ଚୁଡ଼ା ଚିନି ସହ ୧୨ ଘଣ୍ଟା ବ୍ୟବଧାନରେ ମିଳୁଥିଲା ମାତ୍ର ଦୁଇଥର ଖାଇବା। 

ସେପଟେ ସାମାଜିକ କର୍ମୀଙ୍କ ଅଭିଯୋଗ, କିସ୍ କର୍ତ୍ତୃପକ୍ଷ କୌଣସି ଅଧିକାରୀଙ୍କୁ କ୍ୟାମ୍ପସ ଭିତରକୁ ଆସିବାକୁ ଦିଅନ୍ତି ନାହିଁ। ଏମିତିକି କେଉଁ ଜିଲ୍ଲାରୁ କେତେ ପିଲା କିସ୍‌ରେ ପାଠ ପଢ଼ୁଛନ୍ତି, ସେ ତଥ୍ୟ ବି କୌଣସି ଜିଲ୍ଲା ପ୍ରଶାସନ ପାଖରେ ନାହିଁ। ଏଣୁ କିସ୍‌ରୁ ପିଲା ନିଖୋଜ ହେଲେ, କିସ୍ କର୍ତ୍ତୃପକ୍ଷ ଏ ଖବରକୁ ଚାପି ଦିଅନ୍ତି, ଆଉ ଯାହା ସାମ୍ନାକୁ ଆସେ ଅଧିକାରୀଙ୍କୁ ହାତ କରି ରଫାଦଫା କରିଦିଅନ୍ତି। କିସ୍‌ରୁ ପିଲା ନିଖୋଜ ଅଭିଯୋଗ ନେଇ ଆମେ କିସ୍ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଅଧିକ ପଢ଼ନ୍ତୁ: କିଟ୍‌ କାଣ୍ଡ: ପୁଣି ୬ ଜଣଙ୍କୁ ନୋଟିସ୍‌, ୨୭ରେ ହାଜର ହେବାକୁ ନିର୍ଦ୍ଦେଶ