• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ବାପା, ମାଆ ଓ ଝିଅକୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା ମାମଲା ।

  • ଜଣେ ନାବାଳକ ସମେତ ସମସ୍ତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ।

  • ଦୋଷୀ ସାବ୍ୟସ୍ତ କଲେ ରାୟଗଡ଼ା ଜିଲ୍ଲା ଜଜ୍ ।

ରାୟଗଡ଼ା: ଗୁଣି ଗାରେଡ଼ି ସନ୍ଦେହରୁ ପତି-ପତ୍ନୀ ଓ ଝିଅ, ୩ ଜଣଙ୍କୁ ବିଷ ଇଂଜେକ୍ସନ ଦେଇ ହତ୍ୟା ମାମଲାରେ ସମସ୍ତ ୯ ଦୋଷୀଙ୍କ ଫାଶି ଦଣ୍ଡାଦେଶ କାଏମ । ୨୦୧୬ରେ ରାୟଗଡ଼ାରେ ଘଟିଥିବା ଏ ଜଘନ୍ୟ ହତ୍ୟାକାଣ୍ଡରେ ପୂର୍ବରୁ ୯ ଦୋଷୀଙ୍କ ଫାଶି ଦଣ୍ଡାଦେଶ ଦେଇଥିଲେ ଗୁଣୁପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ତେବେ ରାୟ ବିରୋଧରେ ଦୋଷୀମାନେ ହାଇକୋର୍ଟ ଯିବା ଏବଂ ହାଇକୋର୍ଟ ମାମଲାର ପୁନର୍ବିଚାର ପାଇଁ ଜିଲ୍ଲା ଦୌରାଜଜଙ୍କୁ ଦାୟିତ୍ୱ ଦେବା ପରେ ରାୟଗଡ଼ା ଜିଲ୍ଲା ଦୌରାଜଜ୍ ତଳ କୋର୍ଟଙ୍କ ରାୟକୁ ପୁଣି ବଳବତ୍ତର ରଖିଛନ୍ତି ।

ଏବେ ଗୁଣିଗାରେଡ଼ି ସନ୍ଦେହରେ ପତି, ପତ୍ନୀ ଓ ଝିଅ, ତିନି ଜଣଙ୍କୁ ହତ୍ୟା ମାମଲାରେ ୯ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡରୁ ନିସ୍ତାର ନାହିଁ । ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା କିତ୍ତୁମ୍‌ ଗାଁରେ ଘଟିଥିବା ଏହି ଜଘନ୍ୟ ଅପରାଧ ମାମଲାରେ ସବୁ ଦୋଷୀଙ୍କ ଫାଶି ଦଣ୍ଡାଦେଶକୁ କାଏମ ରଖିଛନ୍ତି ରାୟଗଡ଼ା ଜିଲ୍ଲା ଓ ଦୌରାଜଜ୍ କୋର୍ଟ ।

୨୦୧୬ ସେପ୍ଟେମ୍ବର ୯ରେ କିତ୍ତୁମ୍‌ ଗାଁରେ ଘଟିଥିଲା ଏ ବର୍ବର କାଣ୍ଡ । ପୋଲିସ୍‌ର ତତକ୍ଷଣାତ୍ ତଦନ୍ତ ଓ ଚାର୍ଜସିଟ୍ ଫାଇଲ ପରେ ୯ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଏପ୍ରିଲ ୨୦୧୯ରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ ଗୁଣପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରି ହାଇକୋର୍ଟ ଯାଇଥିଲେ ଅଭିଯୁକ୍ତ । ହାଇକୋର୍ଟ ଦଣ୍ଡାଦେଶର ପୁନର୍ବିଚାର କରିବା ଲାଗି ନିମ୍ନ ଅଦାଲତକୁ ନିର୍ଦ୍ଦେଶ ଦେଇଥିଲେ । ରାୟଗଡ଼ା ଜିଲ୍ଲା ଓ ଦୌରାଜଜ୍ ଆଜି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ସହ ସମସ୍ତ ୯ ଜଣଙ୍କ ମୃତ୍ୟୁ ଦଣ୍ଡାଦେଶକୁ ବଳବତ୍ତର ରଖିଛନ୍ତି ।

୫ ବର୍ଷ ତଳେ ଘଟିଥିଲା ଏଭଳି ବିଭତ୍ସ ଘଟଣା । ୯ ସେପ୍ଟେମ୍ବର ୨୦୧୬ କିତ୍ତୁମ୍‌ ଗାଁରେ ଜ୍ୱର ଓ ଝାଡ଼ାବାନ୍ତି ବ୍ୟାପିବାରୁ ଜଣକ ପରେ ଜଣକର ମୃତ୍ୟୁ ହେଉଥିଲା । ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ବଞ୍ଚୁଥିବା ଏ ଗାଁ ଲୋକେ ସେତେବେଳେ ଏ ଘଟଣା ପାଇଁ ଡାଆଣୀ ଓ ଗୁଣି ଗାରେଡ଼ି ସନ୍ଦେହ କରି ଆସିନ ଶବର, ତାଙ୍କ ପତ୍ନୀ ଆମ୍ବିଆ ସବର ଓ ଝିଅ ଆସ୍ମରୀଙ୍କୁ ଦାୟୀ କରିଥିଲେ । ତିନି ଜଣଙ୍କୁ ଗାଁ ଦାଣ୍ଡରେ ବାନ୍ଧି ରଖି ନିସ୍ତୁକ ପିଟିବା ପରେ ଅତି ନୃଂଶସ ଭାବେ ସମସ୍ତଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରିଥିଲେ । ପରେ ମୃତଦେହକୁ ପୋଡ଼ି ଦେବା ସହ ପ୍ରମାଣ ନଷ୍ଟ ପାଇଁ ମାଟି ତଳେ ପୋତି ଦେଇଥିଲେ । ହେଲେ ଆସିନଙ୍କ ସାନ ଝିଅ ପୁଟା ସିଂ ଥାନାରେ ଏତଲା ଦେବା ପରେ ପୋଲିସ ଖୋଳତାଡ଼ କରି ଜଣେ ନାବାଳକ ସହ ୯ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏବେ ଘଟଣାର ୫ ବର୍ଷ ପରେ ବିଭତ୍ସତାକୁ ଦୋଷୀଙ୍କ ସମ୍ପର୍କୀୟ ଭୁଲ ବୋଲି ସ୍ୱୀକାର କରିବା ସହ ସେମାନଙ୍କ ଜୀବନ ରକ୍ଷା ଲାଗି ପୁଣି ଉପର କୋର୍ଟ ଯିବାକୁ ନିଷ୍ପତ୍ତି ନେଇଛନ୍ତି ।

ରାୟଗଡ଼ା ଜିଲ୍ଲାର ଏ ଘଟଣା ସେତେବେଳେ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ତେବେ ପ୍ରଥମ ଦଫାରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ଓ ପରେ କୋର୍ଟଙ୍କ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନକୁ ବିଭିନ୍ନ ସ୍ତରରେ ସ୍ବାଗତ କରାଯାଇଥିଲା ।

(ରିପୋର୍ଟର-ଇନ୍ଦ୍ରଜିତ ପଣ୍ଡା / ମନୋଜ ପାତ୍ର)