/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746184469.jpg)
ତଣ୍ଟକାଟି ହତ୍ୟା
ଦେବଗଡ ଜିଲ୍ଲା ବାରକୋଟ ଥାନା ମର୍ହା ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ । ମର୍ହା ଗ୍ରାମର ୫୯ ବର୍ଷ ବୟସ୍କ ସୁରେଶ ଶବରଙ୍କୁ ନିର୍ମମ ହତ୍ୟା କରାଯାଇଛି । ତଂଟି କାଟି ହତ୍ୟା ପରେ ଜଙ୍ଗଲ ଭିତରେ ଶବ ଫିଙ୍ଗି ହତ୍ୟାକାରୀ ଫେରାର ମାରିଛନ୍ତି । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ବାରକୋଟ ଥାନାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।
ଅନ୍ୟପଟେ ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟା ହୋଇଥିବା ପରିବାର ଲୋକ ଅନୁମାନ କରୁଛନ୍ତି । ଘଟଣାସ୍ଥଳରେ ଆଜି ସନ୍ଧାନୀ କୁକୁର, ସାଇଂଟିଫିକ ଟିମ ସହ ପୋଲିସ ପହଂଚି ଶବ ଉଦ୍ଧାର କରିଥିବା ବେଳେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଘରୋଇ କାମ ପାଇଁ ସୁରେଶ ବୁଧବାର ରାତିରେ ଔତଳ ଗ୍ରାମକୁ ଶ୍ରମିକ ଯୋଗାଡ କରିବାକୁ ଯାଇଥିଲେ । ମାତ୍ର ସକାଳ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଗାଁ ଠାରୁ କିଛି ଦୂରରେ ତାଙ୍କ ବାଇକ ପଡିଥିବା ବେଳେ ସୁରେଶଙ୍କ କୌଣସି ପତା ମିଳିନଥିଲା ।
ମାତ୍ର ଗତକାଲି ଦିନ ପ୍ରାୟ ୧୧ ଟାରେ ଘର ଠାରୁ ମାତ୍ର ୩୦୦ ମିଟର ଦୂର ଜଙ୍ଗଲ ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କର ମୃତ ଦେହ ଉଦ୍ଧାର ହୋଇଥିଲା । ସୁରେଶଙ୍କ ତଂଟି କଟାଯାଇଥିବା ବେଳେ ମୁଣ୍ଡରେ ମଧ୍ୟ ଗୁରୁତର ଆଘାତ ଲାଗି ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ ।
ବାରକୋଟ ଥାନାକୁ ତୁରନ୍ତ ସୂଚନା ଦିଆଯାଇଥିବା ବେଳେ ପୋଲିସ ପହଂଚି ପ୍ରାଥମିକ ତଦନ୍ତ କରିଥିଲା । ଆଜି ସାଇଂଟିଫିକ ଟିମ ସହ ଘଟଣାସ୍ଥଳରେ ପହଂଚି ପୋଲିସ ଅଧିକ ତଦନ୍ତ କରିଥିବା ବେଳେ ସୁରେଶଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସୁରେଶଙ୍କ ବିରୋଧରେ ହାତୀ ହତ୍ୟା ସମେତ ବନ୍ୟ ଜନ୍ତୁ ଶିକାର ଭଳି ଅନେକ ସଙ୍ଗୀନ ଅଭିଯୋଗ ରହିଥିଲା । ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ସେନେଇ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି । ତଦନ୍ତ ଚାଲିଥିବାରୁ ପ୍ରତିକ୍ରିୟା ଦେବା ପାଇଁ ପୋଲିସ ଅଧିକାରୀ ମନା କରିଛନ୍ତି ।
(ରିପୋର୍ଟ- ସିଦ୍ଧାର୍ଥ, ଦେବଗଡ଼)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)