• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବନ୍ଧୁ ସାଜିଲା ବଇରୀ । ସାଙ୍ଗ ବନିଗଲା ସୈତାନ । ବନ୍ଧୁପଣର ମୂଲ୍ୟକୁ ନା କେହି ବୁଝିପାରିଲେ ନା କେହି ସମ୍ମାନ ଦେଲେ । ଶେଷରେ ବନ୍ଧୁ କଲା ଆଉ ଜଣେ ବନ୍ଧୁକୁ ବ୍ଲାକମେଲିଂ । ଆଉ ପ୍ରତିଶୋଧ ନେବାକୁ ଯାଇ ସେହି ବନ୍ଧୁକୁ ମରଣଶେଯରେ ଶୁଆଇ ଦେଲା ଆଉ ଏକ ବନ୍ଧୁ । ଆମେ କହୁଛୁ ଖୋର୍ଦ୍ଧା ବାଣପୁର ଖମାରସାହିର ପ୍ରଶାନ୍ତ ମହାପାତ୍ରଙ୍କ ଯୁକ୍ତ ଦୁଇ ପଢୁଆ ପୁଅ ଆଶୁତୋଷଙ୍କ କଥା । ୩୬ ଘଣ୍ଟା ତଳେ ତାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲା ଗାଁ ସାଙ୍ଗ ଆଶିର୍ବାଦ ପ୍ରଧାନ । ଦିନ ତମାମ ଏକ ଘରେ ଆଶୁତୋଷଙ୍କୁ ବନ୍ଧକ ରଖିବା ସହ ତାଙ୍କ ବାପାଙ୍କୁ ୫ ଲକ୍ଷ ଟଙ୍କା ଦାବି କରିଥିଲା । ନଚେତ ପୁଅକୁ ହତ୍ୟା କରିବାକୁ ଧମକ ଦେଇଥିଲା ଆଶିର୍ବାଦ । ଶେଷରେ ଟଙ୍କା ନମିଳିବାରୁ ଆଶୁତୋଷକୁ ହତ୍ୟା କରି ଆଶିର୍ବାଦ କୁଅ ଭିତରେ ଫିଙ୍ଗିଦେଇଥିଲା ମୃତଦେହ । ଆଉ ଖୋଳତାଡ଼ କରି ପୋଲିସ ଅଭିଯୁକ୍ତ ଆଶିର୍ବାଦକୁ ଗିରଫ କରିବା ପରେ ତାର ବୟାନ ଆଧାରରେ କୂଅ ଭିତରୁ ଉଦ୍ଧାର ହୋଇଥିଲା ମୃତଦେହ ।

ଆଶୁତୋଷ ଓ ଆଶିର୍ବାଦ ଦୁଇ ବନ୍ଧୁ । ବୁଲାବୁଲିଠୁ ଖିଆପିଆ ଯାଏଁ ଏକାଠି କରନ୍ତି । ସେହି ବନ୍ଧୁତା ଭିତରେ ଆଶୁତୋଷ ମୁଣ୍ଡକୁ ଜୁଟିଥିଲା ଦୁର୍ବୁଦ୍ଧି। ଆଶିର୍ବାଦ ଏକାଧିକ ଝିଅଙ୍କ ସହ ଶାରିରୀକ ସଂପର୍କ ରଖୁଥିଲା, ଆଉ ସେହି ସଂପର୍କର ଦୃଶ୍ୟକୁ ଧରି ଆଶିର୍ବାଦକୁ ବ୍ଲାକମେଲିଂ କରିବା ସହ ବାରମ୍ବାର ଟଙ୍କା ଆଦାୟ କରୁଥିଲା ଆଶୁତୋଷ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଉଗ୍ର ହେବାରୁ ପ୍ରତିଶୋଧ ନେବାକୁ ବସିଥିଲା ଆଶିର୍ବାଦ ।

ସେଦିନ ଥିଲା ଜାନୁୟାରୀ ୨୩ । ହତ୍ୟା ଉଦ୍ଦେଶ୍ୟରେ ଆଶୁତୋଷକୁ ଏକ ଘରକୁ ଆଶିର୍ବାଦ ଡକାଇ ପ୍ରଚୁର ମଦ ପିଆଇଥିଲା । ପରେ ଘରକୁ ବନ୍ଦ କରି ଆଶିର୍ବାଦ ବାହାରକୁ ଚାଲିଯିବା ସହ ମାମଲାକୁ ଦିଗହରା କରିବା ପାଇଁ ଆରମ୍ଭ କରିଥିଲା ମୁଣ୍ଡ ଜାମିନ୍‌ର ମିଛ ନାଟକ । ନିଜ ପରିଚୟ ଗୋପନ ରଖି ଆଶୁତୋଷଙ୍କ ବାପାଙ୍କୁ ଫୋନରେ ୫ ଲକ୍ଷ ଦାବି କରିଥିଲା ଆଶିର୍ବାଦ । ନଚେତ ହତ୍ୟାର ଚେତାବନୀ ଦେଇଥିଲା । ଏହାପରେ ସଂଧ୍ୟାରେ ଫେରି ଆଶୁତୋଷକୁ ତଣ୍ଟିଚିପି ହତ୍ୟା କରି କୁଅରେ ଫିଙ୍ଗିଦେଇଥିଲା । ନିଜ ମୁହଁରେ ଏକଥା ବଖାଣିଛି ଅଭିଯୁକ୍ତ ଆଶିର୍ବାଦ ।

ଘରେ ବନ୍ଦୀ ଅବସ୍ଥାରେ ଥିବା ଆଶୁତୋଷ, ଉଦ୍ଧାର ପାଇଁ ଚିତ୍କାର କରିବା ସହ ପାଣି ମାଗିଥିଲେ । ଲୋଚନ ସେଠୀ ନାମକ ଗ୍ରାମରକ୍ଷୀ ଡାକ ଶୁଣି ପାଖକୁ ଆସିଥିଲେ । ତେବେ ଘରେ ଏକଥା ନକହିବାକୁ ଆଶୁତୋଷ, ଲୋଚନଙ୍କୁ କହିବାରୁ ସେ ନୀରବ ରହି ପଳାଇଯାଇଥିଲେ ବୋଲି କହିଛନ୍ତି ଲୋଚନ ।

ତେବେ ଜଣେ ଗ୍ରାମରକ୍ଷୀ ହୋଇ ଆଶୁତୋଷଙ୍କ ପରିବାରକୁ କାହିଁକି ଜଣାଇବାକୁ ଭୟ କଲେ ଲୋଚନ ? ତାକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ଅଭିଯୁକ୍ତ ଆଶିର୍ବାଦକୁ ଗିରଫ ପରେ ପୋଲିସ କୋର୍ଟଚାଲାଣ କରିବା ସହ ମାମଲାର ତଦନ୍ତ ଜାରି ରଖିଛି ।

 

(ରିପୋର୍ଟ- ଶକ୍ତିପ୍ରସାଦ ମହାପାତ୍ର, ବାଲୁଗାଁ)