/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684686377.jpg)
Kangaroo Court
ଓଡ଼ିଶାରେ ତାଲିବାନୀ ବର୍ବରତା। ଚୋରି ସନ୍ଦେହରେ ଧରିବା ପରେ, ଅଭିଯୁକ୍ତକୁ ପୋଲିସରେ ନଦେଇ, ନିଜେ ପିଟି ପିଟି ମାରିଦେଇଛନ୍ତି ଲୋକେ।କଙ୍ଗାରୁ କୋର୍ଟରେ ଦିଆଯାଇଛି ଚରମ ଶାସ୍ତି- ମୃତ୍ୟୁଦଣ୍ଡ। ଏଭଳି ମଧ୍ୟଯୁଗୀୟ କାଣ୍ଡ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଓ ଢେଙ୍କାନାଳ ସଦର ଥାନା ଅଞ୍ଚଳରେ। ୪ ଦିନ ଭିତରେ ଦୁଇ ଦୁଇଟି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶ୍ନ ଉଠୁଛି ଯେ, ଏଥିପାଇଁ ଲୋକଙ୍କ ଭିଡ଼-ହିଂସା ମାନସିକତା ଦାୟୀ, ନା ଥାନା ଓ କୋର୍ଟକଚେରି ଉପରୁ ଉଠିଯାଉଛି ଭରସା?
ଏ ନୃଶଂସତାକୁ ଆଖିରେ ଦେଖିହେବନି, କି କାନରେ ଶୁଣିହେବନି ଆର୍ତ୍ତଚିତ୍କାର। ଜଣଙ୍କ ଜୀବନ ନେଇଯାଇଛି କଙ୍ଗାରୁ କୋର୍ଟର ଅନ୍ ଦି ସ୍ପଟ୍ ଫୈସଲା। ଚୋରି
ସନ୍ଦେହରେ ଜଣଙ୍କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ଠେଙ୍ଗାବାଡ଼ିରେ ପିଟିଚାଲିଛନ୍ତି ଦୁଇ ତିନି ଜଣ ଲୋକ। ଚାରିପଟେ ଘେରି ଦେଖୁଛନ୍ତି ଅନ୍ୟମାନେ। କିଏ ମାଡ଼ର ତରିକା ବତାଉଛି, ତ ଆଉ କିଏ ମଜା ନେଉଛି। ଛୋଟ ଛୋଟ ପିଲା ବି ଦେଖୁଛନ୍ତି ବଡ଼ମାନଙ୍କ ତାଲିବାନୀ କାଣ୍ଡ। ଠେଙ୍ଗା ଭାଙ୍ଗିବା ପରେ, ଇଟା ପଥରରେ ଛେଚୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ।
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଚିଙ୍ଗୁଡ଼ିଘାଇ ଅଞ୍ଚଳରେ ଗତ ଗୁରୁବାର ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ, ପାଖ ସ୍କୁଲ ନିକଟରୁ ହାତବନ୍ଧା କ୍ଷତାକ୍ତ ମୃତଦେହକୁ ଜବତ କରିଛି ପୋଲିସ। ଆଉ ଏପଟେ ଗିରଫଦାରୀ ଭୟରେ ଗାଁ ଜନଶୂନ୍ୟପ୍ରାୟ। ଆଖପାଖ ଘରଗୁଡ଼ିକରେ ତାଲା ଝୁଲୁଛି। ମୃତକ ପୁରୀ ଜିଲ୍ଲା ଗଡ଼ିଶାଗଦା ଥାନା ବାଦୁରାଗଡ଼ ଗାଁର ବାହୁଡ଼ା ସାହୁ ବୋଲି ଜଣାପଡ଼ିଥିବା ବେଳେ, ପୋଲିସ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲାଣି।
ଦିନକ ତଳେ ଢେଙ୍କାନାଳ ସଦରଥାନା ଅଞ୍ଚଳରେ ବି ଘଟିଯାଇଛି ସମାନଧରଣର ବର୍ବର କାଣ୍ଡ। ଚୋରି ଅଭିଯୋଗରେ ଜଣଙ୍କୁ ହତ୍ୟା ପରେ, ଲୁହ ଓ କୋହ ସମ୍ଭାଳିବା ସ୍ଥିତିରେ ନାହାନ୍ତି ତାଙ୍କ ଅଭାଗା ପତ୍ନୀ। ସୂଚନା ଅନୁସାରେ, ଡେଙ୍ଗବୋରେଇ ଗାଁର ହେମନ୍ତ ରାଉତଙ୍କ ଫାର୍ମରୁ କିଛି ଯନ୍ତ୍ରାଂଶ ଓ ସିସିଟିଭି କ୍ୟାମେରା ଚୋରି ଅଭିଯୋଗରେ ଅକ୍ଷୟ ପଣ୍ଡା ଓ ଲିପୁ ନାମକ ୨ ଯୁବକଙ୍କୁ ଘରୁ ଉଠାଇ ଆଣି ଗାଁ ବୈଠକରେ ହାଜର କରାଯାଇଥିଲା ।
ହେଲେ କୌଣସି ସମାଧାନ ନହେବାରୁ ହେମନ୍ତ ନିଜ ସହଯୋଗୀଙ୍କ ସହିତ ଉଭୟଙ୍କୁ ସେଠାରୁ ନେଇ ଆଉ ଏକ ସ୍ଥାନରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏଥିରେ ଅକ୍ଷୟଙ୍କ ମୃତ୍ୟୁ ହୋଇଥିବା ବେଳେ, ଲିପୁ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ନିଜେ ହେମନ୍ତ ଉଭୟଙ୍କୁ ହସ୍ପିଟାଲ ଆଣିବା ପରେ ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।
ଖାପ୍ ପଞ୍ଚାୟତ, କଙ୍ଗାରୁ କୋର୍ଟ, ଭିଡ଼ ହିଂସା...। ଏସବୁର କେବେ ଘଟିବ ଅନ୍ତ? ଆଧୁନିକ ସମାଜରେ ମଧ୍ୟଯୁଗୀୟ ବର୍ବରତା ବଞ୍ଚି ରହିବାର କାରଣ କଣ? ଆଇନ ଓ ଅଦାଲତ ଥାଉ ଥାଉ କାହିଁକି ଲୋପ ପାଉନି 'ତତ୍କାଳ ନ୍ୟାୟ'ର ମାନସିକତା? କେବଳ ଅଶିକ୍ଷା, ଅସଚେତନତା, କୁପରମ୍ପରା... ନା ଆଉ କିଛି?ମାନବାଧିକାର କର୍ମୀଙ୍କ ମତରେ ଲୋକଙ୍କର ଆଇନକୁ ଭରସା ନପାଇବା ମଧ୍ୟ ଏଭଳି ଅପରାଧର ଆଉ ଏକ କାରଣ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)