• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଙ୍ଗାରୁକୋର୍ଟରେ ଗାଁରୁ ବାସନ୍ଦ ହେଲେ ଓ୍ୱାର୍ଡ ସଭ୍ୟା । ଆଦିବାସୀ ବର୍ଗର ଲୋକ ହୋଇଥିବାରୁ ଗତ ପଞ୍ଚାୟତ ନିର୍ବାଚନରେ ଓ୍ୱାର୍ଡ ସଭ୍ୟା ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବାକୁ ବାରଣ କରିଥିଲେ ଗାଁ ଲୋକ । ହେଲେ ଗାଁ ମୁଖିଆଙ୍କ କଥା ନମାନି ନିର୍ବାଚନରେ ପ୍ରାର୍ଥୀ ହେବା ସହ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିଲେ ।

ତେଣୁ ୱାର୍ଡ ସଭ୍ୟାଙ୍କ ସହ ତାଙ୍କୁ ସମର୍ଥନ କରିଥିବା ଗାଁର କିଛି ପରିବାରକୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଏପଟେ ଜିଲ୍ଲାପାଳ କହିଛନ୍ତି, ଏଭଳି ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଗତ ପଞ୍ଚାୟତ ନିର୍ବାଚନରେ ୱାର୍ଡମେମ୍ବର ପ୍ରାର୍ଥୀ ହୋଇଥିବାରୁ ଗାଁରୁ ବାସନ୍ଦ କରାଯାଇଛି । ଏଭଳି ଜୁଲମର ଶିକାର ହୋଇଛନ୍ତି ଖୋଦ୍ ଜଣେ ନିର୍ବାଚିତ ପ୍ରତିନିଧି । ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ବସ୍ତା ବ୍ଲକ ବରୁଣଗଡିଆ ପଂଚାୟତ ଅଞ୍ଚଳରୁ । ଏହି ପଞ୍ଚାୟତର ୨୦ ନମ୍ବର ଓ୍ୱାର୍ଡରେ ରହିଛି ଗୋହିରାଗଡିଆ ଗାଁ । ଗତ ପଞ୍ଚାୟତ ନିର୍ବାଚନରେ ଓ୍ୱାର୍ଡସଭ୍ୟ ପଦ ପାଇଁ ଏହି ଓ୍ୱାର୍ଡଟି ଜଣେ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷଣ ଥିଲା । ସରକାରଙ୍କ ଏହି ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ଗ୍ରାମରେ ବସିଥିଲା କଙ୍ଗାରୁକୋର୍ଟ । ପ୍ରଜାକୋର୍ଟରେ ଗାଁ ମୁଖିଆଙ୍କ ନିଷ୍ପତିକ୍ରମେ ଆଦିବାସୀ ପରିବାରକୁ ଡକାଯାଇ ନିର୍ବାଚନରେ ପ୍ରାର୍ଥୀ ହେବାକୁ ମନା କରାଯାଇଥିଲା ।

ନିର୍ବାଚନରେ ଭାଗ ନେଲେ ଗାଁରୁ ବାହାର କରିଦିଆଯିବ ବୋଲି ଚେତାବନୀ ବି ଦିଆଯାଇଥିଲା । କୌଣସି ଗ୍ରାମବାସୀ ଯଦି ଆଦିବାସୀ ପରିବାରକୁ ନିର୍ବାଚନରେ ସହଯୋଗ କରନ୍ତି, ସେମାନଙ୍କୁ ମଧ୍ୟ ବାସନ୍ଦ କରାଯିବାକୁ ନିଷ୍ପତ୍ତି ନିଆଗଲା । କିନ୍ତୁ ଏହି ଓ୍ୱାର୍ଡର ୫ଟି ପରିବାର ଆଦିବାସୀ ପରିବାରକୁ ସମର୍ଥନ କରି ଗିରଥ ସୋରେନଙ୍କୁ ନିର୍ବାଚନରେ ପ୍ରାର୍ଥୀ କଲେ । ଗିରଥ ସୋରେନ ନିର୍ଦ୍ୱନ୍ଦ୍ୱରେ ଓ୍ୱାର୍ଡସଭ୍ୟା ଭାବେ ନିର୍ବାଚିତ ହେବା ପରେ ପୁଣି କଙ୍ଗାରୁକୋର୍ଟ ବସି ତାଙ୍କୁ ବାସନ୍ଦା କରାଯାଇଛି ।

କଙ୍ଗାରୁକୋର୍ଟର ନିଷ୍ପତି ଅନୁଯାୟୀ, ଓ୍ୱାର୍ଡସଭ୍ୟା ଗିରଥ ସୋରେନଙ୍କ ସମେତ ତାଙ୍କୁ ସମର୍ଥନ କରିଥିବା ପରିବାରକୁ ଗ୍ରାମରୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଏମିତିକି ଗାଁରେ ଥିବା ଶିବ ମନ୍ଦିରରେ ପୂଜା କରିବାକୁ ପ୍ରତିବନ୍ଧକ ରହିଛି । ଗାଁ ଦୋକାନରୁ କୌଣସି ଜିନିଷ ମଧ୍ୟ କିଣିବାକୁ ବାରଣ ହୋଇଛି । ବାସନ୍ଦ ପରିବାର ସହ ଗାଁର ଯିଏ ମିଶିବ ସେମାନଙ୍କୁ ବି ୧୦ ହଜାର ଟଙ୍କା ଜୋରିମାନା କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସରପଞ୍ଚ, ବିଡ଼ିଓ, ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିବା କହିଛନ୍ତି ସୋରେନ । ଏପଟେ ଗାଁ ମୁଖିଆ କହିଛନ୍ତି, ଏହା ମିଥ୍ୟା ଅଭିଯୋଗ । ରାଜନୈତିକ ଆକ୍ରୋଶ ରଖି ଏପରି କରାଯାଇଛି ।