• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବଲାଙ୍ଗିର ସୁଦପଡ଼ା ମଦ ବ୍ୟବସାୟୀଙ୍କଠୁ ଜବତ ନୋଟର ପରିମାଣ ୩ ଶହ କୋଟିରେ ପହଞ୍ଚିଲା । ପ୍ରାୟ ୨୫ଟି ମେସିନରେ ୫୦ କର୍ମଚାରୀଙ୍କ ଦ୍ବାରା ଜାରି ରହିଥିଲା ଗଣତି । ୫ ଦିନର ଲଗାତାର ଗଣତି ପରେ ଏହା ୩ ଶହ ୫ କୋଟି ଟଙ୍କା ବୋଲି ସୂଚନା ମିଳିଛି । ଶନିବାର ଓ ରବିବାର ଦୁଇଦିନ ଛୁଟିଥିବା ସତ୍ତ୍ବେ ବ୍ୟାଙ୍କ କର୍ମଚାରୀମାନେ ମଦ ବ୍ୟବସାୟୀଙ୍କଠୁ ଜବତ ବସ୍ତା ବସ୍ତା ଟଙ୍କାର ଗଣତି ଜାରି ରଖିଥିଲେ ।

ସୁଦପଡ଼ା ମଦ ବ୍ୟବସାୟୀଙ୍କ ଠାରୁ ମିଳିଥିଲା ୧୬୫ ବ୍ୟାଗ ନୋଟ୍ । ପୂର୍ବରୁ ଟିଟିଲାଗଡ଼ରୁ ଜବତ ନୋଟର ପରିମାଣ ୧୧ କୋଟିରେ ପହଞ୍ଚିଥିବାବେଳେ ସମ୍ବଲପୁର ଧନୁପାଲିର ବଳଦେବ ସାହୁ ଆଣ୍ଡ ସନ୍ସ ପାଖରୁ ଜବତ ନୋଟର ପରିମାଣ ଥିଲା ୩୭ କୋଟି ୫୦ ଲକ୍ଷ ଟଙ୍କା । ବଲାଙ୍ଗିର, ଟିଟିଲାଗଡ଼ ଏବଂ ସମ୍ବଲପୁର ୩ଟି ଜାଗାରୁ ଜବତ ନୋଟର ପରିମାଣ ଏବେ ପ୍ରାୟ ୩୪୮ କୋଟିରେ ପହଞ୍ଚିଛି ।

ତେବେ ଏହି ଟଙ୍କାର ଉତ୍ସ କ’ଣ ? ଏତେ ପରିମାଣର ଟଙ୍କା କାହାର ? ସେନେଇ ଆୟକର ବିଭାଗ ଖୋଳତାଡ଼ ଜାରି ରଖିଛି । ବଲାଙ୍ଗିର ଜିଲ୍ଲାର ଭାଟି ମ୍ୟାନେଜର ରାଜେଶ ସାହୁ ଓ ବଣ୍ଟି ସାହୁଙ୍କୁ ଧରି ଲଗାତର ତଥ୍ୟ ଆଦାୟ କରୁଛି IT ଟିମ୍ ।

ଅନ୍ୟପଟେ କଳା ଟଙ୍କା ବିରୋଧରେ ଗର୍ଜିବ ବିଜେପି । ଆଜି ରାଜ୍ୟର ସମସ୍ତ ଉପଖଣ୍ଡରେ ବିଜେପି ପ୍ରତିବାଦ କରିବା କାର୍ଯ୍ୟକ୍ରମ ରହିଛି । ବିଜେଡି ସରକାର ବିରୋଧରେ ଗର୍ଜିବା ସହ ମଦ ଦୁର୍ନୀତି ଏବଂ କଳାଟଙ୍କାର କାରବାର ବିରୋଧରେ ଆନ୍ଦୋଳନ କରିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ମଦ ବ୍ୟବସାୟୀଙ୍କଠୁ କୋଟି କୋଟି ଟଙ୍କା ମିଳିବା ଘଟଣାରେ ରାଜ୍ୟ ସରକାରଙ୍କ ଅବକାରୀ ନୀତିକୁ ମନମୋହନ ଦାୟୀ କରିଛନ୍ତି । ସୋସିଆଲ୍ ମିଡ଼ିଆ Xରେ ମନମୋହନ କହିଛନ୍ତି, ରାଜ୍ୟ ସରକାର ମଦ ମାଫିଆଙ୍କୁ ଅଯାଚିତ ଲାଭ ଦେଉଛନ୍ତି ଏବଂ ସେହି କଳାଟଙ୍କାରେ ବିଜେଡି ନିର୍ବାଚନ ଲଢ଼ୁଛି । ମନମୋହନଙ୍କ ଆରୋପ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।